କାରଗିଲ ଶହୀଦଙ୍କ ପରିବାରକୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
29/08/2018 at 7:25 AM

ଭୁବନେଶ୍ବର ୨୯/୮: ୧୯୯୯ ମସିହାର କାରଗିଲ ଯୁଦ୍ଧ। ଯୁଦ୍ଧରେ ଦେଶର ସୁରକ୍ଷା ଓ ସମ୍ମାନ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ ଓଡ଼ିଆ ପୁଅ। ଶହୀଦ ହେଲେ ଓଡ଼ିଶା ମାଟିର ବୀର ପୁଙ୍ଗବ ଲାନ୍ସନାଏକ ସଚ୍ଚିଦାନନ୍ଦ ମଲ୍ଲିକ। ଭାରତୀୟ ସେନାବାହିନୀର ୧୨ମହର ରେଜିମେଂଟର ଯବାନ ଦେଶ ପାଇଁ ବଳିଦାନ ଦେଲେ।
ଯୁଦ୍ଧ ଶେଷ ହେଲା। ମାତ୍ର ପତ୍ନୀ ନିବେଦିତା ଓ ତିନି ବର୍ଷର ପୁଅ ସୈାମ୍ୟରଞ୍ଜନଙ୍କ ଜୀବନରେ ସୃଷ୍ଟି ହେଲା ଏକ ଶୂନ୍ୟତା ଯାହା କେହି ପୂରଣ କରିପାରିବେନି। ନିଜ ବାପାଙ୍କୁ ସ୍ମରଣ କରି ତାଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି ପୁଅ ସୈାମ୍ୟରଞ୍ଜନ। ନିକଟରେ ଏକ ଇଂରାଜୀ ପତ୍ରିକାରେ ସୈାମ୍ୟରଞ୍ଜନଙ୍କର ଏହି ଚିଠିଟି ପ୍ରକାଶିତ ହୋଇଛି। ଦୀର୍ଘ ୧୯ବର୍ଷ ଧରି ସେ କିଭଳି ତାଙ୍କ ବାପାଙ୍କ ଅଭାବ ଶାରିରୀକ ଓ ମାନସିକ ସ୍ତରରେ ଅନୁଭବ କରୁଛନ୍ତି ଏବଂ ତାଙ୍କ ମା ନିବେଦିତା କିଭଳି ତାଙ୍କୁ ସମାଜରେ ଭଲ ମଣିଷଭାବେ ଗଢ଼ି ତୋଳିବାରେ ଚେଷ୍ଟିତ ବଦ୍ଧପରିକର ଅଛନ୍ତି ସେ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଛନ୍ତି ସୈାମ୍ୟରଞ୍ଜନ।
ସେହି ବୀର ଶହିଦ ଯବାନ ଲାନ୍ସନାଏକ ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ଶିକ୍ଷା ଓ ଅନୁସନ୍ଧାନ ପରିବାର ପକ୍ଷରୁ ଅଶେଷ ଶ୍ରଦ୍ଧାଞ୍ଜଳି ଦିଆାଯିବା ସହିତ ତାଙ୍କ ପତ୍ନୀ ଏବଂ ପୁଅ ସୈାମ୍ୟରଞ୍ଜନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରାଯାଇଛି। ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ସୋଆର ସମସ୍ତ ଡିନ୍ ଏବଂ ବିଭାଗୀୟ ମୁଖ୍ୟ,ନିର୍ଦ୍ଦେଶକ ଏବଂ ବରିଷ୍ଠ ପ୍ରଫେସରମାନେ ଉପସ୍ଥିତ ଥିଲେ।
ସୋଆର ଆଇଟିଇଆର୍ କଲେଜର ଚତୁର୍ଥ ବର୍ଷ ଇଞ୍ଜିନିୟରିଂ ଛାତ୍ର ସୈାମ୍ୟରଞ୍ଜନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆବେଗଭରା କଣ୍ଠରେ କହିଥିଲେ ଯେ ଯେତେବେଳେ ମୁଁ ଶିଶୁମାନଙ୍କୁ ନିଜ ପିତାଙ୍କ ସାଙ୍ଗରେ ଖେଳିବା ଦେଖେ,ମୁଁ ଦୁଃଖିତ ହୁଏ ନାହିଁ ବରଂ ସେମାନଙ୍କ ଖୁସି ମଧ୍ୟରେ ନିଜ ବାପାଙ୍କୁ ଦେଖିପାରେ। ମୋ ବାପା ଦେଶ ପାଇଁ ବଳିଦାନ ଦେଇଛନ୍ତି ଏବଂ ମୋ ମା ମୋତେ ମଣିଷ କରିବା ପାଇଁ ସବୁ ପ୍ରକାର ଦୁଃଖକଷ୍ଟକୁ ସହି ଆଗକୁ ବଢ଼ିଛନ୍ତି ବୋଲି ସେ ଗର୍ବର ସହ କହିଥିଲେ।
ଲାନ୍ସନାଏକ ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପତ୍ନୀ ଏହି ଅବସରରେ କିଭଳି ସଚ୍ଚିଦାନନ୍ଦ ଦେଶ ପାଇଁ ଜୀବନ ଦେଲେ ଏବଂ ତାଙ୍କ ମୃତ୍ୟୁ ପରେ ସେ କିଭଳି ନିଜ ପୁଅକୁ ଏକୁଟିଆ ମଣିଷ କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ।
ସମ୍ବର୍ଦ୍ଧନା ସମାରୋହ ଅବସରରେ ସୋଆ କୁଳପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ସୈାମ୍ୟରଞ୍ଜନ କିଭଳି ନିଜ ପାଠପଢ଼ାରେ ଉନ୍ନତି କରିପାରିବେ ସେ ନେଇ ସୋଆ ପକ୍ଷରୁ ସମସ୍ତ ସହଯୋଗ କରାଯିବ।
କେନ୍ଦ୍ରାପଡ଼ା ଜିଲ୍ଲା କାନ୍ଦିଆହାଟ ଅଞ୍ଚଳର ପୁଅ ସଚ୍ଚିଦାନନ୍ଦ ୧୯୮୯ମସିହାରେ ସେନାବାହିନୀରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଲାନ୍ସନାଏକ ଏକ ପଦବୀକୁ ତାଙ୍କର ପଦୋନ୍ନତି ହୋଇଥିଲା। ମାତ୍ର ନିୟତିର ଗତି ଭିନ୍ନ ଥିଲା। ଜୁନ୍୨୮,୧୯୯୯ରେ କାରଗିଲ ଯୁଦ୍ଧରେ ଶତ୍ରୃ ସହ ଲଢ଼େଇ କରି ଜୀବନ ହାରିଦେଲେ ଏହି ବୀର ଶହୀଦ। ଅପରେସନ ବିଜୟରେ ବିଜୟ ଲାଭ କଲା ଦେଶ।
ସମୟର ସ୍ରୋତରେ ୧୯ବର୍ଷ ବିତିଯାଇଛି। ଏତେ ବର୍ଷ ଧରି ଏହୀ ବୀର ଯବାନଙ୍କ ପରିବାର ତାଙ୍କର ସ୍ମୃତିକୁ ହିଁ ସାଉଁଟି ରଖିଛନ୍ତି। ତାଙ୍କୁ ନେଇ ଦେଶବାସୀଙ୍କ ସହ ଗର୍ବ ଅନୁଭବ କରୁଛନ୍ତି ପତ୍ନୀ ନିବେଦିତା ଓ ଏକମାତ୍ର ପୁଅ ସୈାମ୍ୟରଞ୍ଜନ।