ଲକ୍‌ଡାଉନ୍‌ ୪.୦ରେ ଅଧିକ ରିହାତି: ଆସନ୍ତାକାଲି ଜାରି ହେବ ଗାଇଡ୍ ଲାଇନ୍, ଏସବୁ କ୍ଷେତ୍ରକୁ ମିଳିପାରେ କୋହଳ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: କରୋନା ଭାଇରସ୍‌ କାରଣରୁ ଲାଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ସୋମବାରଠୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁରୂପ ଏହି ପର୍ଯ୍ୟାୟରେ ଲୋକଙ୍କୁ ଅଧିକ ରିହାତି ମିଳିପାରେ। ଲକ୍‌ଡାଉନ୍‌ ୪ କେମିତି ରହିବ ସେ ନେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯିବ। ଅଧିକାରୀଙ୍କ ଅନୁଯାୟୀ ଲକ୍‌ଡାଉନ୍‌ ୪.୦ରେ ଯାତ୍ରୀବାହୀ ରେଳ ସେବା ଓ ଘରୋଇ ଯାତ୍ରୀ ଉଡାଣ କ୍ରମାନ୍ଵୟରେ ଆରମ୍ଭ ହେବ। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ନିଜର ଅଞ୍ଚଳରେ ହଟ୍‌ସ୍ପଟ୍‌କୁ ପରିଭାଷିତ କରିବାର ଅଧିକାର ଦିଆଯିବ।

ଏବେ କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ସୀମିତ ରହିବ

ଦେଶରେ ଏବେ ସ୍କୁଲ, କଲେଜ୍, ମଲ୍ ଓ ସିନେମା ଘର ଖୋଲା ଯିବାକୁ ଅନୁମତି ମିଳିବ ନାହିଁ। ମାତ୍ର କୋଭିଡ୍-୧୯ କଣ୍ଟେନମେଣ୍ଟ ଅଞ୍ଚଳକୁ ଛାଡିଦେଲେ ବାକି ଜୋନ୍‌ରେ ସେଲୁନ, ବାରିକ ଦୋକାନ ଏବଂ ଚଷମା ଦୋକାନା ଖୋଲିବାକୁ ଅନୁମତି ଦିଆଯାଇପାରେ। ଏହା ସହିତ ଇକମର୍ସ କମ୍ପାନୀକୁ କଣ୍ଟେନମେଣ୍ଟ ଜୋନ୍ ଛାଡି ବାକି ଜାଗାଗୁଡିକରେ ଅଣ ଜରୁରୀ ସାମଗ୍ରୀର ଡେଲିଭରୀ କରିବାକୁ ଅନୁମତି ମିଳିବ।

ଜନୈକ ଅଧିକାରୀ କହିଛନ୍ତି,  ଲକ୍‌ଡାଉନ୍‌ ୪ରେ ପୂର୍ବ ତୂଳନାରେ ଅଧିକ ରିହାତି ମିଳିବ। ଏହି ସମୟରେ ଗ୍ରୀନ ଜୋନ୍‌କୁ ସଂପୂର୍ଣ୍ଣ ଖୋଲି ଦିଆଯିବ। ଅରେଞ୍ଜ ଜୋନ୍‌ରେ କିଛିକାଂଶରେ ପ୍ରତିବନ୍ଧକ ରହିବ। ରେଡ୍‌ ଜୋନ୍‌ରେ କଣ୍ଟେନମେଣ୍ଟ ଅଞ୍ଚଳ ପରି କଠୋର ପ୍ରତିବନ୍ଧକ ଲାଗୁ ରହିବ। ରାଜ୍ୟ ସରକାରଙ୍କଠୁ ମିଳିଥିବା ପରାମର୍ଶର ଅଧ୍ୟୟନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତିମ ଗାଇଡ୍‌ ଲାଇନ୍‌ ଜାରି କରାଯିବ।

ଅଟୋ ରିକ୍ସା ଓ ଟ୍ୟାକ୍ସି ସେବା ଆରମ୍ଭ ହେବ !

ରେଲଓ୍ଵେ ବିଭାଗ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ଟି ସହରକୁ ସ୍ଵତନ୍ତ୍ର ରେଳ ଚଳାଚଳ ଆରମ୍ଭ କରି ସାରିଛି। ଅନେକ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ଲାଗି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଲକ୍‌ଡାଉନ୍‌ ୪ରେ ଟ୍ରେନ୍, ବସ୍ ଓ ମେଟ୍ରୋ ସେବା ରେଡ୍‌ ଜୋନ୍‌ର ଅଣ କଣ୍ଟେନମେଣ୍ଟ ଅଞ୍ଚଳରେ ସୀମିତ କ୍ଷମତା ସହିତ ଆରମ୍ଭ ହୋଇପାରେ। ରେଡ୍ ଜୋନ୍‌ରେ ଅଟୋ ଓ ଟ୍ୟାକ୍ସିକୁ ସୀମିତ ଯାତ୍ରୀ ସହିତ ଚଳାଚଳ ଲାଗି ଅନୁମତି ମିଳିପାରେ।

ଯୁଗ୍ମୃ-ଅଯୁଗ୍ମ ପଲିସିରେ ଖୋଲିବ ଦୋକାନ ?

ଅନ୍ୟ ଏକ ଅଧିକାରୀଙ୍କ ଅନୁଯାୟୀ, ଅଧିକାଂଶ ସେବା ନନ କଣ୍ଟେନମେଣ୍ଟ ଜୋନ୍‌ରେ ଖୋଲିବାକୁ ଅନୁମତି ମିଳିପାରେ। ରାଜ୍ୟ ସରକାର ମଧ୍ୟ ଏସବୁ ଖୋଲିବା ଲାଗି ନିଷ୍ପତ୍ତି ନେବେ। ଅରେଞ୍ଜ ଓ ରେଡ୍  ଜୋନ୍‌ରେ ବଜାର ଖୋଲିବାର ଅଧିକାର ରାଜ୍ୟ ସରକାରଙ୍କୁ  ଦିଆଯାଇପାରେ। ରାଜ୍ୟ ସରକାର ଅଣ ଜରୁରୀ ସାମଗ୍ରୀର ଦୋକାନ ଯୁଗ୍ମ-ଅଯୁଗ୍ମ ନମ୍ବର ଆଧାରରେ ଖୋଲିବାକୁ ଅନୁମତି ଦେଇ ପାରନ୍ତି। ରେଡ୍ ଜୋନ୍‌ରେ କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ଦେଲେ ବାକି ଅଞ୍ଚଳରେ ଅଣ ଜରୁରୀ ସାମଗ୍ରୀର ଉପଲବ୍ଧତା ଲାଗି ଇ-କମର୍ସ କମ୍ପାନୀକୁ ଅନୁମତି ଦିଆଯାଇପାରେ।

ରେଲଓ୍ଵେ ଓ ଘରୋଇ ଉଡାଣ ଧିରେ ଧିରେ ଖୋଲିବ

ରେଲଓ୍ଵେ ଓ ଘରୋଇ ବିମାନ ଉଡାଣ ସେବା କ୍ରମିକ ଏବଂ ଆବଶ୍ୟକତା ଆଧାରିତ ସଞ୍ଚାଳନକୁ ଆଗାମୀ ସପ୍ତାହରେ ଅନୁମତି ମିଳିପାରେ। ମାତ୍ର ସଂପୂର୍ଣ୍ଣ ଭାବେ ଏହା ଖୋଲିବାର ସମ୍ଭାବନା ନାହିଁ। ବିହାର, ତାମିଲନାଡୁ, କର୍ଣ୍ଣାଟକ ପରି ରାଜ୍ୟ ଟ୍ରେନ୍ ଓ ବିମାନ ଚଳାଚଳକୁ ସଂପୂର୍ଣ୍ଣ ଭାବେ ଚାଲୁ କରିବାକୁ ଚାହୁଁ ନାହାନ୍ତି।  

ରାଜ୍ୟର ଦାବି ପୂରା ହୋଇପାରେ

ଅଧିକାରୀଙ୍କ ଅନୁଯାୟୀ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆସାମ ଓ ତେଲେଙ୍ଗାନା ସରକାର ବନ୍ଦ  ଜାରି ରଖିବାକୁ ଚାହୁଁଛନ୍ତି। ଆଉ କିଛି ରାଜ୍ୟ ଚାହୁଁଛନ୍ତି ସ୍ଥିତି ମୁତାବକ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍‌ ନିର୍ଦ୍ଧାରଣ କରିବାର ଅଧିକାର ସେମାନଙ୍କୁ ମିଳୁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡିକର ଏହି ଅନୁରୋଧକୁ ସ୍ଵୀକାର କରି ପାରନ୍ତି। ସ୍ଥିତି ଦେଖି ନିଜ ନିଜ ରାଜ୍ୟରେ କଣ ଚାଲୁ ରଖିବା ଉଚିତ୍ ଏବଂ କଣ ବନ୍ଦ ରହିବା ଉଚିତ୍ ସେହି ନିଷ୍ପତ୍ତି  ରାଜ୍ୟ ସରକାର ନେଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.