କରୋନା ରୋଗୀଙ୍କ ପାଇଁ ବଡ ଆଶ୍ଵସ୍ତି ! ରେଲଓ୍ଵେ ପ୍ରସ୍ତୁତ କଲା ୭୦ ହଜାର ଆଇଲୋସେନ ବେଡ୍

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୦୫।୦୫: ଭାରତୀୟ ରେଲଓ୍ଵେ କରୋନା ଭାଇରସ୍‌ ମହାମାରୀ ମୁକାବିଲାରେ ବଡ ଯୋଗଦାନ ଦେଇଛି। ଗୋଟିଏ ପଟେ ରେଲଓ୍ଵେ ସଙ୍କଟର ଏହି ଘଡିରେ ଜରୁରୀ ସାମାନ ସହ ଅକ୍ସିଜେନ୍ ଯୋଗାଣ ଯୁଦ୍ଧକାଳୀନ ଭିତ୍ତିରେ କରୁଛି। ଅନ୍ୟପଟେ ରେଲଓ୍ଵେ ୪୪୦୦ କୋଚ୍‌କୁ କୋଭିଡ୍ କେୟାର କୋଚ୍‌ରେ ପରିଣତ କରିଛି। ରେଲଓ୍ଵେ ୭୦,୦୦୦ ଆଇସୋଲେସନ ବେଡ୍‌ ବିଶିଷ୍ଟ ୪୪୦୦ କୋଚ୍ ମହାରାଷ୍ଟ୍ର, ଦିଲ୍ଲୀ ସମେତ ଦେଶର ୬ ରାଜ୍ୟରେ ଉପଲବ୍ଧ କରାଇଛି। କେବଳ ଏତିକି ନୁହେଁ କୋଭିଡ୍ କେୟାର କୋଚ୍‌କୁ ଆବଶ୍ୟକ ଅନୁଯାୟୀ, ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ୟ ନିଆଯାଇ ପାରିବ।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟଗୁଡିକ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, ବର୍ତ୍ତମାନ ୪୦୦୦ ଶଯ୍ୟା କ୍ଷମତା ବିଶିଷ୍ଟ ୨୩୨ କୋଭିଡ୍ କେୟାର କୋଚ୍‌ ହସ୍ତାନ୍ତର କରାଯାଇଛି। କୋଭିଡ୍ କେୟାର କୋଚ୍‌ର ବ୍ୟବହାର ହାଲୁକା ଓ ମଧ୍ୟମ ଲକ୍ଷଣ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯାଇ ପାରିବ। ଲଗାତାର ବଢୁଥିବା ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଏହି କୋଚ୍‌ଗୁଡିକରେ କୁଲର ଓ ଝୋଟ୍‌ରେ ପ୍ରସ୍ତୁତ ମ୍ୟାଟ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ କୋଭିଡ୍ କୋଚ୍‌ରେ ୧୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏଥିସହ ଗୋଟିଏ କୋଚ୍‌ରେ ୨ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଯାଇଛି।

କୋଭିଡ୍ କେୟାର କୋଚ୍‌ରେ ଏ ପର୍ଯ୍ୟନ୍ତ ୧୬୨ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଥିରୁ ୯୬ ରୋଗୀ ସୁସ୍ଥ  ହୋଇ ଘରକୁ ଫେରି ଯାଇଛନ୍ତି। ରେଲଓ୍ଵେ ପକ୍ଷରୁ ଉପଲବ୍ଧ କୋଭିଡ୍ କେୟାର କୋଚ୍‌ରେ ୩,୬୦୦ ଶଯ୍ୟା ଉପଲବ୍ଧ ରହିଛି। ଭାରତୀୟ ରେଲଓ୍ଵେ ନାଗାଲାଣ୍ଡ ଓ ଗୁଜରାଟ ସରକାରଙ୍କ ଦାବି ଅନୁଯାୟୀ, ସାବରମତୀ, ଚନ୍ଦଲୋଡିଆ ଓ ଦୀମାପୁରରେ କୋଚ୍‌ ମୁତୟନ କରିଛି। ସେହି ପରି ରାଜ୍ୟର ଚାହିଦା ମୁତାବକ ରେଲଓ୍ଵେ ଉପଲବ୍ଧ କୋଭିଡ୍ କେୟାର କୋଚ୍‌କୁ ମୁତୟନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.