୩୫ ବର୍ଷ ପରେ ଘରକୁ ଆସିଲା ଲକ୍ଷ୍ମୀ, ନାତୁଣୀକୁ ଆଣିବା ପାଇଁ ଫସଲ ବିକି ହେଲିକପ୍ଟର ପଠାଇଲା ଜେଜେ ବାପା

Published By : Prameya-News7 Bureau | April 22, 2021 IST

ନାଗୌର ୨୨/୪: ଘରେ ଝିଅଟିଏ ଜନ୍ମ ନେଲେ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କୁହାଯାଏ। ଦେଶରେ ଏମିତି ଘର ଅଛି ଯେଉଁଠି ଝିଅକୁ  ପରିବାର ପାଇଁ ବୋଝ ବୋଲି କୁହାଯାଏ। ପୁଅଟିଏ ଜନ୍ମ ନେଲେ ପରିବାର ଲୋକେ ଯେତିକି ଖୁସି ହୁଅନ୍ତି କନ୍ୟା ସନ୍ତାନ ପାଇଁ ପ୍ରାୟ କାହା ମନରେ ଆନନ୍ଦ ନଥାଏ। ଲୋକେ ବିଶ୍ବାସ କରନ୍ତି ପୁଅ ହେଲେ କୂଳ ରକ୍ଷା କରିବ। ଝିଅ ଜନ୍ମ ପରଘରକୁ। ଏକବିଂଶ ଶତାବ୍ଦୀରେ ଲୋକଙ୍କ ଏଭଳି ଭାବନାକୁ ଚୂରମାର କରି ରଖିଦେବ ରାଜସ୍ଥାନ ନାଗୌରର ଏହି ଖବର ।

ନିଜ ନାତୁଣୀକୁ ଘରକୁ ପାଛୋଟି ଆଣିବାକୁ ହେଲିକପ୍ଟର ପଠାଇଥିଲେ ଜେଜେ ବାପା। ଜଣେ ସାଧାରଣ କୃଷକ ନିଜ ନାତୁଣୀ ପାଇଁ କରିଥିବା ବନ୍ଦୋବସ୍ତ ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କରୋନା ସଙ୍କଟ କାଳରେ ଝିଅକୁ ମିଳିଥିବା ଏହି ସମ୍ମାନର ଖବର ଆପଣଙ୍କୁ ଖୁସି ଆଣିଦେବ ନିଶ୍ଚିତ। ନାଗୌରର କୃଷକ ମଦନଲାଲ ପ୍ରଜାପତଙ୍କ ଘରକୁ ୩୫ ବର୍ଷ ପରେ ଆସିଛି କୁନି ଝିଅ। ଦୀର୍ଘ ବର୍ଷ ପରେ ଘରେ କନ୍ୟା ସନ୍ତାନ ଜନ୍ମ ନେଇଥିବାରୁ ମଦନଲାଲଙ୍କ ଖୁସି କହିଲେ ନସରେ। ନାତୁଣୀଙ୍କୁ ଅଜା ଘରୁ ଆଣିବାକୁ ମଦନଲାଲ ହେଲିକପ୍ଟର ପଠାଇଥିବା ଜଣାପଡ଼ିଛି।

ହେଲିପ୍ୟାଡ୍‌ ପାଖରୁ ଘରକୁ ନାତୁଣୀକୁ ପାଛୋଟି ଆଣିବାକୁ ବିଛାଯାଇଥିଲା ଫୁଲ। ଏଥିପାଇଁ ୧୦-୧୨ ଦିନ ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଜଣେ ସାଧାରଣ ଚାଷୀ ହୋଇଥିବାରୁ ହେଲିକପ୍ଟର ଠିକ୍‌ କରିବା ମଦନଲାଲଙ୍କ ପାଇଁ କାଠିକର ପାଠ ଥିଲା। କିନ୍ତୁ ସେ ତାଙ୍କର ସମସ୍ତ ଫସଲ ବିକ୍ରି କରି ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ସହ ହେଲିକପ୍ଟର ଭଡ଼ା ଭରିଥିଲେ।

କୁନି ଝିଅର ବାପା ହନୁମାନ ପ୍ରଜାପତ ଏବଂ ମା ଚୁକା ଦେବୀ ତାକୁ ହେଲିକ୍ପଟରରେ ନେଇ ଘରକୁ ଫେରିଥିଲେ। ଦୁର୍ଗା ନବମୀ ଦିନ ଧୁମାଧାମରେ ସିଦ୍ଧିର ଗୃହ ପ୍ରବେଶ ​ହୋଇଛି।  ୩ ମାର୍ଚ୍ଚରେ ନିଜ ମାମୁଁଙ୍କ ଘରେ ଜନ୍ମ ନେଇଥିଲା ସିଦ୍ଧି। ଜେଜେ ବାପାଙ୍କ ଘରେ ପହଞ୍ଚିବା ପରେ ସିଦ୍ଧିକୁ ବାଜା ବଜାଇ  ଏବଂ ବାଣ ଫୁଟାଇ ସ୍ବାଗତ କରାଯାଇଥିବା ଜଣାପଡ଼ିଛି। ସମାଜ ପାଇଁ ଝିଅ ବୋଝ ନୁହେଁ ବୋଲି ମଦନଲାଲ ପ୍ରମାଣିତ କରିଥିବା ବେଳେ ତାଙ୍କର ଏହି ପ୍ରୟାସ ଉଦାହରଣ ସୃଷ୍ଟି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.