ନାତିକୁ ଚଟକଣୀ ମାରିଲେ ଜେଜେ, କିନ୍ତୁ ସହି ପାରିଲାନି ପୁଅ: ଗୋଟିଏ ପାହାରରେ ଚାଲିଗଲା ବାପାର ଜୀବନ

Published By : Prameya-News7 Bureau | July 13, 2021 IST

କୁଶଲଗଡ ୧୩/୦୭ : ରାଜସ୍ଥାନ କୁଶଲଗଡରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କୁଶଲଗଡ ବଂଶୱାରା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଚାପୁଡ଼ା ମାରିବା କାରଣରୁ ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ରବିବାର ରାତିରେ ୫୦ ବର୍ଷ ବୟସ୍କ ଭେଷ୍ଟା ନିଜ ୮ ବର୍ଷର ନାତିଙ୍କୁ ଚାପୁଡ଼ା ମାରିଥିଲେ। ନାତିଟି ତାଙ୍କ ସହ ଦୁର୍ବ୍ୟବହାର କରିଥିଲା। ଜେଜେ ହିସାବରେ ସେ ନାତିକୁ ଆକଟ କରିବାକୁ ତାକୁ ଗୋଟିଏ ଚାପୁଡ଼ା ମାରିଦେଇଥିଲେ। ବାଳକଟିର ପିତା ଜୟନ୍ତୀ ଲାଲ ଶନିବାର ଅହମ୍ମଦାବାଦରୁ ଫେରିଥିଲେ। ଜୟନ୍ତୀ ଲାଲ ସେଠାରେ ଦିନ ମଜୁରିଆ ଭାବେ କାମ କରନ୍ତି। ଘଟଣା ଘଟିବା ସମୟରେ ସେ ବାହାରେ ଥିଲେ। କୁଶଲଗଡ ସର୍କଲ ଇନ୍ସପେକ୍ଟର ପ୍ରଦୀପ କୁମାର କହିଛନ୍ତି ଯେ ଜେଜେବାପା ଠାରୁ ଚାପୁଡ଼େ ମାଡ ଖାଇବା ପରେ ବାଳକଟି ନିଜର ଜଣେ ପଡ଼ୋଶୀଙ୍କ ପାଖକୁ ଯାଇ ବାପାଙ୍କୁ ଡାକିବାକୁ କହିଥିଲା।

ଖବର ପାଇ ଜୟନ୍ତୀ ଲାଲ ଘରେ ଆସି ପହଞ୍ଚିଥିଲେ। ଘରକୁ ଆସିବା ପରେ ପୁଅ ତାଙ୍କୁ କହିଥିଲା ଯେ ଜେଜେବାପା ତାକୁ ଚାପୁଡ଼ା ମାରିଲେ। ପୁଅ ମୁହଁରୁ ଏସବୁ ଶୁଣି ଜୟନ୍ତୀ ଲାଲ ରାଗିଗଲେ ଓ ବାପାଙ୍କ ସହ ମୁହାଁମୁହିଁ ହୋଇଥିଲେ। କେବଳ ସେତିକି ନୁହେଁ, ସେ ଏତେ ରାଗିଯାଇଥିଲେ ଯେ ନିଜ ବାପାଙ୍କୁ ଏକ ବାଡିରେ ପିଟିଥିଲେ। ପୁଅଠୁ ମାଡ ଖାଇବା ପରେ ଭେଷ୍ଟା ବେହୋସ ହୋଇଯାଇଥିଲେ। ବାପା ବେହୋସ ହେବାପରେ ବି ପୁଅର ମନ ତରଳି ନଥିଲା। ବାପାର ଏହିଭଳି ଅବସ୍ଥା ଦେଖି ସେ ବାପାଙ୍କୁ ହସ୍ପିଟାଲ ମଧ୍ୟ ନେଇନଥିଲା।

ପ୍ରଦୀପ କୁମାର କହିଛନ୍ତି ବାପା ପୁଅର ଝଗଡା ମଧ୍ୟରେ ଭେଷ୍ଟା ବେହୋସ ହୋଇଯାଇଥିଲେ। ଜୟନ୍ତୀ ଲାଲ ପୋଲିସକୁ କହିଛି ଯେ ସେ ପରଦିନ ସକାଳୁ ବାପାଙ୍କୁ ହସ୍ପିଟାଲ ନେବାକୁ ଚାହୁଁଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସର୍କଲ ଇନ୍ସପେକ୍ଟର ପ୍ରଦୀପ କୁମାର କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା ରହିଛି। ମାମଲାରେ ଜୟନ୍ତୀ ଲାଲକୁ ଗିରଫ କରାଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠିଛି, ନାତି ନାତୁଣୀଙ୍କ ଉପରେ କଣ ଜେଜେବାପା-ଜେଜେମା, ଅଜାଆଈର କୌଣସି ଅଧିକାର ନାହିଁ ? ପିଲା ଅଭାଦ୍ରାମୀ କଲେ, ଦୁଷ୍ଟାମୀ କଲେ କଣ ସେମାନେ ତାକୁ ଆକଟ କରିବାକୁ ଚାପୁଡ଼େ ମାରିବେନି ? ନିଜ ନାତି ଉପରେ ନିଜର ଅଧିକାର ଭାବି ଚାପୁଡ଼େ ମାରିଦେବା ବୁଢା ଜେଜେବାପାଙ୍କ ବହୁତ ମହଙ୍ଗା ପଡିଥିଲା। ଏହି ସାମାନ୍ୟ କଥା ପାଇଁ ସେ ନିଜ ଜନ୍ମିତ ପୁଅ ଠାରୁ ମାଡ ଖାଇଲେ ଏବଂ ଜୀବନ ମଧ୍ୟ ହାରିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.