ମୋବାଇଲ୍ ଚଲାଇ ନ ପାରିବାରୁ ନିରୀହ ସ୍ତ୍ରୀର ଚାଲିଗଲା ଜୀବନ : କ୍ରାଇମ୍ ପେଟ୍ରୋଲ ଦେଖି ହତ୍ୟା କଲା ସ୍ବାମୀ
10/09/2020 at 5:35 PM

ବସ୍ତି ୧୦/୯: ଜଣେ ଗ୍ରାଜୁଏଟ୍ ବ୍ୟକ୍ତିଙ୍କ ଅପାଠୁଆ ମହିଳାଙ୍କ ସହ ବିବାହ ହୋଇଥିବାରୁ ସେ ଜମା ଖୁସିରେ ରହୁନଥିଲା। ତାଙ୍କ ପତ୍ନୀ ମୋବାଇଲ୍ ବି ଚଲାଇ ପାରୁନଥିଲା। ସେତେବେଳେ ପତ୍ନୀଙ୍କଠୁ ପିଛା ଛଡ଼ାଇବା ପାଇଁ ସେ କ୍ରାଇମ୍ ଧାରାବାହିକ କ୍ରାଇମ ପାଟ୍ରୋଲରୁ ଆଇଡିଆ ନେଇଥିଲା ଏବଂ ନିଜ ଗୋଡ଼ରେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରି ଦେଇଥିଲା। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ।
ବସ୍ତିର ବାଲ୍ଟରଗଞ୍ଜ ଥାନାର କୃପାଳପୁର ଗାଁ ପାଖରେ କୁଆନୋ ନଦୀରେ ବସ୍ତାରେ ମହିଳାଙ୍କ ଶବ ମିଳିବାରୁ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା। ନୃଶଂସ ଭାବେ ହତ୍ୟା କରାଯାଇଥିବା ୨୫ବର୍ଷ ବୟସ୍କା ଶୋଭାବତୀଙ୍କ କେବଳ ଏତିକି ଭୁଲ୍ ଥିଲା ଯେ ସେ ଅଶିକ୍ଷିତ ଥିଲେ ଏବଂ ମୋବାଇଲ୍ ଚଲାଇ ପାରୁନଥିଲେ।
ହତ୍ୟାର ଅଭିଯୁକ୍ତ ସ୍ବାମୀ ଆଗ୍ରିକଲଚରରେ ବିଏସସି କରିଥିଲା। ବିବାହ ପରଠୁ ପତ୍ନୀଠୁ ଅସନ୍ତୁଷ୍ଟ ରହୁଥିବା ଶ୍ରୀଶଙ୍କର ଅନେକ ଥର ତାଙ୍କୁ ଛାଡ଼ିବାକୁ ଉଦ୍ୟମ କରିଥିଲା କିନ୍ତୁ ଶୋଭାବତୀ ସ୍ବାମୀ ସହ ଶ୍ବଶୁର ଘରେ ରହିବାକୁ ଚାହୁଁଥିଲେ। ତାଙ୍କଠୁ ପିଛା ଛଡ଼ାଇବା ପାଇଁ ଶ୍ରୀଶଙ୍କର ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥଲା।
ସେପ୍ଟେମ୍ବର ୬ତାରିଖ ସକାଳେ ଶ୍ରୀଶଙ୍କର ନିଜ ଗୋଡ଼ରେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ସେ ତାଙ୍କୁ ଅନ୍ୟ ସ୍ଥାନରେ ମଧ୍ୟ ଆକ୍ରମଣ କରିଥିଲା।
ହତ୍ୟାକାରୀ ତା ଦାଦା ପୁଅ ଭାଇ ଏବଂ ଭାଇର ଶାଶୁ ସହାୟତାରେ ସେହି ଦିନ ରାତିରେ ଶବକୁ ବସ୍ତାରେ ଭର୍ତ୍ତି କରି ବାଇକରେ ଲଦି ଗଟରା ପୋଲ ପହଞ୍ଚିଥିଲା ଏବଂ କୁଆନୋ ନଦୀରେ ଫିଙ୍ଗି ଦେଇଥିଲା।
ମଙ୍ଗଳବାର ବାଲ୍ଟରଗଞ୍ଜ ଥାନା ଅଞ୍ଚଳରେ କୃପାଳପୁର ପାଖରେ ନଦୀରେ ବସ୍ତାରୁ ଶୋଭାବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବାପ ଘର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ଏହା ପରେ ଶୋଭାବତୀଙ୍କ ଭାଇ ରାକେଶଙ୍କ ଅଭିଯୋଗରେ ଶ୍ରୀଶଙ୍କରର ସହାୟତା କରିଥିବା ଭାଇ ଏବଂ ଶାଶୁ ବିରୋଧରେ ମାମଲା ରୁଜୁ ହୋଇଥିଲା।
ବୁଧବାର କପ୍ତାନଗଞ୍ଜ ପୋଲିସ୍ ସୁବରବରଓ୍ବା ପୋଲ ପାଖରୁ ୩ଜଣ ଅଭିଯୁକ୍ତକୁ ଧରିଥିଲା ଏବଂ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିଲା।
ପୋଲିସ ପଚରାଉଚରାରେ ଶ୍ରୀଶଙ୍କର କହିଥିଲା ଯେ ସେ ଅଧିକାଂଶ ସମୟରେ ମୋବାଇଲ୍ ଫୋନରେ କ୍ରାଇମ ପେଟ୍ରୋଲ୍ ଦେଖୁଥିଲା। ସେ ତଣ୍ଟି ଚିପି ହତ୍ୟା କରିବା ପରିବର୍ତେ ଗୋଡ଼ରେ ତାଙ୍କ ବେକ ସମେତ ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରିଥିଲା।