ନକଲି ପ୍ରତି ସାବଧାନ ! ଅନଲାଇନରେ ବିକ୍ରି ହେଉଛି ନକଲି କରୋନା ଭ୍ୟାକସିନ୍, ଚେତାବନୀ ଜାରି କଲେ ସରକାର
13/01/2021 at 5:38 PM

ଜେନିଭା ୧୩/୦୧ : ସ୍ୱିଜରଲ୍ୟାଣ୍ଡର ସ୍ୱାସ୍ଥ୍ୟ ନିୟାମକ ସ୍ୱିସମେଡିକ୍ ଅନଲାଇନ୍ କରୋନା ଭ୍ୟାକସିନ୍ ନ କିଣିବାକୁ ଚେତାବନୀ ଦେଇଛି। ସେ କହିଛି ଯେ ଅନଲାଇନରେ ନକଲି କରୋନା ଭ୍ୟାକସିନ୍ ବିକ୍ରି ହେଉଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍ୱିସମେଡିକ ମଙ୍ଗଳବାର ଦିନ ଏକ ବୟାନରେ କହିଛି ଯେ କରୋନା ଭ୍ୟାକସିନର ଚାହିଦା ବଢୁଛି। ଏହିଭଳି ସ୍ଥିତିରେ ଅପରାଧିକ ପ୍ରବୃତିର ବ୍ୟକ୍ତି ଓ ସଂସ୍ଥା ଇଣ୍ଟରନେଟରେ ନକଲି ଭ୍ୟାକସିନ ବିକ୍ରି କରି ଲୋକଙ୍କ ଭୟର ଫାଇଦା ଉଠାଉଛନ୍ତି।
ବୟାନରେ କୁହାଯାଇଛି ଯେ, ନକଲି ଔଷଧ, ଟୀକା ଓ ବିଶେଷ କରି କରୋନା ଟୀକା ସହ ଜଡିତ ଅପରାଧ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଏଥିରେ ଏମିତି କିଛି ସକ୍ରିୟ ତତ୍ତ୍ୱ ଅଛି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ।
ସ୍ୱିସମେଡିକ୍ ଜୋର ଦେଇ କହିଛି ଯେ ଭ୍ୟାକସିନ୍ ଏମିତି ଏକ ସମାଧାନ ଯାହା ଚିକିତ୍ସକଙ୍କ ଦ୍ୱାରା ପ୍ରସ୍ତୁତ ହେଲା ପରେ ସିରିଞ୍ଜ ଦ୍ୱାରା ଇନଜେକ୍ଟ କରାଯାଇଥାଏ। ଭ୍ୟାକସିନକୁ କୋଲ୍ଡ ଷ୍ଟୋରେଜରେ ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ରଖାଯାଇଥାଏ। ସେଥିପାଇଁ ଏହିସବୁ ଉତ୍ପାଦ ଅନଲାଇନ୍ ବିକ୍ରି କରାଯାଇପାରିବ ନାହିଁ। ସ୍ୱିସମେଡିକ୍ କହିଛି ଭ୍ୟାକସିନ ନେବା ପାଇଁ ଇଛୁକ ବ୍ୟକ୍ତି ନିଜ ଡାକ୍ତରଙ୍କ ସହ ପରାମର୍ଶ କରିବ ଉଚିତ।
ସ୍ୱିଜରଲ୍ୟାଣ୍ଡରେ ଏବେ ସୁଦ୍ଧା ୪ ଲକ୍ଷ ୮୭ ହଜାର ୩୫୭ କରୋନା ମାମଲା ସାମ୍ନାକୁ ଆସିଛି। ଚିକିତ୍ସା ପରେ ୩ ଲକ୍ଷ ୧୭ ହଜାର ୬୦୦ ଜଣ ସୁସ୍ଥ ହୋଇଛନ୍ତି। ୮ ହଜାର ୪୭୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ବ୍ରିଟେନର ନୂଆ ଷ୍ଟ୍ରେନ କରୋନା ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛି।