ଜଳ ଅଭାବରୁ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନି ବୋଲି ସରକାର କହୁଛନ୍ତି ସାଂଘାତିକ ମିଛ ! ବାସ୍ତବ ପରିସ୍ଥିତି ଭିନ୍ନ, ପଢନ୍ତୁ ଏହି ରିପୋର୍ଟ
9/08/2019 at 5:07 PM

ସମ୍ବଲପୁର ୯|୮: ଜଳଭଣ୍ଡାରରେ ପାଣି କମିଯାଇଥିବାରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି ବୋଲି ସଫେଇ ଦେଇ ବାହାର ରାଜ୍ୟରୁ ଚଢା ଦରରେ ବିଦ୍ୟୁତ କିଣୁଛନ୍ତି ରାଜ୍ୟ ସରକାର। ପାଣି କମିଥିବା ଜଳଭଣ୍ଡାର ଭିତରେ ରହିଛି ହୀରାକୁଦ । କିନ୍ତୁ ହୀରାକୁଦ ଜଳଭଣ୍ଡାରରେ ଆବଶ୍ୟକ ପରିମାଣର ଜଳ ରହିଛି। ମନମୁଖୀ ଜଳ ପରିଚାଳନା, ଶିଳ୍ପକୁ ଅହେତୁକ ଅନୁକମ୍ପା କାରଣରୁ ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପକୁ ପାଣି ଦିଆଯାଉନି । ଫଳରେ ୨୭୫ ମେଗାୱାଟ୍ ବଦଳରେ ଏଠି ଉତ୍ପାଦନ ହେଉଛି ମାତ୍ର ୭୨ ମେଗାୱାଟ୍।

ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପରେ କାହିଁକି ସ୍ବାଭାବିକ ହୋଇପାରୁନି ବିଦ୍ୟୁତ ଉତ୍ପାଦନ ? ୨୭୫.୫ ମେଗାଓ୍ବାଟ ପ୍ରକଳ୍ପରୁ ମାତ୍ର ୭୨ ମେଗାଓ୍ବାଟ୍ ଉତ୍ପାଦନ ପଛର ରହସ୍ୟ କ’ଣ ? କାହିଁକି ରାଜ୍ୟ ଶକ୍ତି ବିଭାଗ ଏହାକୁ ପୂର୍ଣ୍ଣ ଉତ୍ପାଦନକ୍ଷମ କରୁନି ? ହୀରାକୁଦରେ ପାଣି କମିଯାଇଥିବା ସରକାର ସଫେଇ ଦେଇଥିବା ବେଳେ ବାସ୍ତବତା କିନ୍ତୁ ସଂପୂର୍ଣ୍ଣ ଭିନ୍ନ । କାରଣ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ । ଏବେ ଜଳଭଣ୍ଡାରରେ ୬୦୮ ଫୁଟ୍ ପାଣି ରହିଛି। ପାଣିର ଅଭାବ ନଥିବା ବେଳେ, ବିଦ୍ୟୁତ୍ ଉତ୍ପାଦନ ସ୍ବାଭାବିକ ହୋଇନପାରିବା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

ହୀରାକୁଦ ମୁଖ୍ୟନଦୀବନ୍ଧ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀ କିନ୍ତୁ ସବୁ ଗୁମର ଖୋଲି ଦେଇଛନ୍ତି । କହିଛନ୍ତି, ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ନିର୍ଦ୍ଦେଶ ଅନୁସାରେ ଜଳପରିଚାଳନା କରାଯାଉଛି। ସେହି ଅନୁସାରେ, ପ୍ରଥମେ କେନାଳରେ ଜଳ ଛଡାଯିବ । ପରେ ବିଭିନ୍ନ କାରଖାନାକୁ ଜଳ ଛଡାଯିବ । ଜଳବିଦ୍ୟୁତ୍ ପ୍ରକଳ୍ପକୁ କମ୍ ଜଳ ଛଡାଯିବ ନଚେତ୍ ବିଲକୁଲ ଛଡାଯିବନି । ୫ଦିନ ହେଲା ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଜଳ ଛଡାଯାଉନି।

ସରକାର ସତ ଢାଙ୍କିବାକୁ ଯେତେ ଉଦ୍ୟମ କଲେବି ତାହା ଜଳଜଳ ଦେଖାଯାଉଛି । ଦୀର୍ଘବର୍ଷ ହେଲା ପାଣି ଲିକେଜ୍ କାରଣରୁ ପାୱାର ହାଉସ୍ର ୬, ୭ ନମ୍ବର ୟୁନିଟ୍ ବନ୍ଦ ରହିଛି । ଆଧୁନିକରଣ କରାଯାଉଥିବାରୁ ଦୁଇବର୍ଷ ହେଲା ଅନ୍ୟ ଦୁଇଟି ୟୁନିଟ୍କୁ ବନ୍ଦ କରାଯାଇଛି । ବଳକା ୩ଟି ୟୁନିଟ୍ରୁ ମାତ୍ର ୭୨.୦୫ ମେଗାଓ୍ବାଟ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି । ଏଥିପାଇଁ ଦୈନିକ ୧୩ ହଜାର କ୍ୟୁସେକ୍ରୁ ଅଧିକ ଜଳ ଆବଶ୍ୟକ ।

ସେହିପରି ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ରରୁ ଦୈନିକ ୫୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ସମ୍ଭବ । ଏଥିପାଇଁ ଦୈନିକ ଆବଶ୍ୟକ ୯ ହଜାର କ୍ୟୁସେ୍କ ଜଳ । ୫ ଦିନ ହେଲା ଏହି ଦୁଇ ପ୍ରକଳ୍ପକୁ ଜଳ ଯୋଗାଣ ବନ୍ଦ ରହିଥିଲା । ଆଜି କେବଳ ହୀରାକୁଦ ପ୍ରକଳ୍ପକୁ ଜଳ ଛଡାଯାଇଛି ।

ଦିନେ ବିଦ୍ୟୁତ୍ ଉତ୍ପାଦନରେ ଆମେ ବଳକା ରାଜ୍ୟ ଥିଲେ । ଏବେ ଜଳ ଅଭାବ ଦର୍ଶାଇ ରାଜ୍ୟ ସରକାର ବାହାର ରାଜ୍ୟରୁ କୋଟି କୋଟି ଟଙ୍କାର ବିଦ୍ୟୁତ୍ କିଣୁଛନ୍ତି। ଜଳଭଣ୍ଡାରରେ ଜଳ ଠୁଳ କରି ସମୁଦ୍ରକୁ ଛାଡି ଦିଆଯାଉଛି ସିନା ତାହାକୁ କିପରି କାମରେ ଲଗାଯିବ ସେ ଉପରେ କେହି ନଜର ଦେଉନାହାନ୍ତି ।…