ଦେଶରେ ରହିବେ୪ରୁ୫ ରାଷ୍ଟ୍ରାୟତ ବ୍ୟାଙ୍କ, ଘରୋଇକରଣକୁ ଆଗକୁ ନେଉଛନ୍ତି ସରକାର

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୭: ଘରୋଇ କରଣ ଅଭିଯାନକୁ ଏବେ ତ୍ୱରାନ୍ୱୀତ କରିବେ ସରକାର। ଏଥିରେ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା ହ୍ରାସ ହେବ ବୋଲି ଜଣାପଡିଛି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଦେଶରେ ହୁଏତ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା ଅତିବେଶିରେ ୫କୁ ଖସିଆସିପାରେ ବୋଲି ଅନୁମାନ କରାଯାଉଛି। ଭାରତ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନେଇ ଉଭୟ ସରକାରୀ ଓ ବ୍ୟାଙ୍କ ସୂତ୍ରରୁ ସୂଚନା ମିଳିଛି। ତେବେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପ୍ରସଙ୍ଗରେ ଏବେବି ନିରବତା ଅବଲମ୍ବନ କରୁଛନ୍ତି।

ମିଳୁଥିବା ସୂଚନା ଅନୁସାରେ ବ୍ୟାଙ୍କ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ଏଣ୍ଡ ସିନ୍ଧ ଆଦି ବ୍ୟାଙ୍କ ଘରୋଇକରଣ ଲାଗି  ଏହି ସବୁ ବ୍ୟାଙ୍କରେ ଥିବା ସରକାରଙ୍କ ଅଂଶଧନ ବିକ୍ରି ଲାଗି ନିଷ୍ପତ୍ତି ହୋଇପାରେ। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ପ୍ରସ୍ତାବ ମଞ୍ଜୁରି ନିମନ୍ତେ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରାଯାଇପାରେ। 

ଦେଶରେ ଏବେ ୧୨ଟି ସରକାରୀ ମାଲିକାନାଧୀନ ବ୍ୟାଙ୍କ କାର୍ଯ୍ୟ କରୁଛନ୍ତି। ତେବେ ଏପରି ବ୍ୟାଙ୍କମାନଙ୍କ ସଂଖ୍ୟାକୁ ସର୍ବାଧିକ ୪ ଅଥବା ୫କୁ ହ୍ରାସ କରିବାକୁ ସରକାର ଯୋଜନା କରୁଛନ୍ତି। କରୋନାଭାଇରସ ମହାମାରୀ ଦେଶର ବିକାଶ ହାର ହ୍ରାସ କରିଛି। ସରକାର ଗୁରୁତର ପାଣ୍ଠି ସଂକଟର ସମ୍ମୁଖୀନ ହୋଇଥିବା ବେଳେ ବ୍ୟାଙ୍କ ଘରୋଇକରଣ ଆଂଶିକ ସହାୟକ ହୋଇପାରେ ବୋଲି ସରକାର ବିଚାର କରୁଛନ୍ତି।

ତେବେ କରୋନା ଭାଇରସ ମହାମାରୀ ପୂର୍ବରୁ ବ୍ୟାଙ୍କ ଘରୋଇକରଣ ଲାଗି ବିଭିନ୍ନ କମିଟି ଏପରିକି ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ମଧ୍ୟ ଅତୀତରେ ସରକାରଙ୍କୁ ଅନୁମୋଦନ କରିଥିଲେ। ଏପରି ବ୍ୟାଙ୍କମାନଙ୍କ ସଂଖ୍ୟା ଅତିବେଶିରେ ୪ ଅଥବା ୫ ମଧ୍ୟରେ ସୀମିତ ରଖିବାକୁ ଆରବିଆଇ ପରାମର୍ଶ ଦେଇଛନ୍ତି। ଏଣୁ ସରକାର ଏବେ ବ୍ୟାଙ୍କ ମିଶ୍ରଣ କରିବେ ନାହିଁ ବୋଲି କହିସାରିଲେଣି। ଏଣୁ ଏଭଳି ବ୍ୟାଙ୍କରେ ଥିବା ସରକାରୀ ଅଂଶ ଏବେ ବିକିବା ଗୋଟିଏ ରାସ୍ତା ରହିଯାଇଛି ବୋଲି ଜନୈକ ବରିଷ୍ଠ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀ କହିଛନ୍ତି।

ଗତବର୍ଷ ସରକାର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ମିସାଇ ୪ଟି ବଡ ବ୍ୟାଙ୍କ ସୃଷ୍ଟି କରିଥିଲେ। ତେବେ ବ୍ୟାଙ୍କ ସମିଶ୍ରଣରୁ ବର୍ତ୍ତିଯାଇଥିବା ବ୍ୟାଙ୍କଗୁଡିକୁ ଏବେ ଘରୋଇକରଣ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ହେଲେ ଉପୁଜିଥିବା ପରିସ୍ଥିତିରେ ସରକାର ବ୍ୟାଙ୍କ ଘରୋଇକରଣ କରିନ ପାରନ୍ତି। କରୋନାଭାଇରସ ମହାମାରୀ ପରେ ବ୍ୟାଙ୍କମାନଙ୍କ ଋଣ ଆଦାୟ ସରିଲେ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରେ। ସେହିପରି ପୁଞ୍ଜିବଜାର ମଧ୍ୟ ଅସ୍ଥିର ରହିଛି. ଏଣୁ ଏପରି ପରିସ୍ଥିତିରେ ବ୍ୟାଙ୍କ ଘରୋଇକରଣ କରିବା ମଧ୍ୟ ଅସମ୍ଭବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.