ସ୍କୁଲ ଓ କଲେଜ ଖୋଲିବା ଲାଗି ସରକାରଙ୍କ ଗାଇଡଲାଇନ୍, ଜାଣନ୍ତୁ ପୁରା ମାଷ୍ଟରପ୍ଲାନ୍

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୧।୧୦:   ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଅନଲାଇନ୍‌ ଲର୍ଣ୍ଣିଂରୁ ଆରମ୍ଭ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଉପସ୍ଥାନ ଲାଗି ସରକାର ଏବେ ବିଚାର କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରାଳୟ ଅନଲକ୍‌ ୫-୦ଲାଗି ଗାଇଡଲାଇନ ଜାରି କରିଛନ୍ତି। ଏହି ରିଭାଇଜଡ ଗାଇଡଲାଇନ ଅନୁସାରେ ଅକ୍ଟୋବର ୧୫ ତାରିଖରୁ ସାରା ଦେଶରେ ଗ୍ରେଡେଡ ଉପାୟରେ ସ୍କୁଲ ଓ କଲେଜ ଖୋଲିବ।

ତେବେ ସ୍କୁଲ ଓ କଲେଜ ଖୋଲିବା ଲାଗି ପରିସ୍ଥିତିର ଆକଳନ ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଏ ନେଇ ସ୍କୁଲ ଓ କଲେଜ ମ୍ୟାନେଜମେଣ୍ଟଙ୍କ ସହ ବିଚାରବିମର୍ଶ କରାଯିବ। ତେବେ ଏଥିରେ ପୂର୍ବପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବନାହିଁ ବୋଲି ଜଣାପଡିଛି। କଲେଜ ଖୋଲିବା ଲାଗି ରାଜ୍ୟମାନଙ୍କର ଉଚ୍ଚଶିକ୍ଷା ବିଭାଗଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସ୍କୁଲ ଓ କଲେଜ ଖୋଲିବା ପରେ ମଧ୍ୟ ଅନଲାଇନ୍‌ ଲର୍ଣ୍ଣିଂକୁ ଗୁରୁତ୍ୱ ଦିଆଯିବ। ତେବେ କଣ ରହିଛି ସରକାରଙ୍କ ଗାଇଡଲାଇନ୍‌ ଆସନ୍ତୁ ଜାଣିବା।

ପ୍ରଥମତଃ ପୂର୍ବ ଭଳି ଛାତ୍ରଛାତ୍ରୀଙ୍କ ଅନଲାଇନ ଲର୍ଣ୍ଣିଂ ଲାଗି ଗୁରୁତ୍ୱ ଦିଆଯିବ। ସେହିପରି ଛାତ୍ରଛାତ୍ରୀଙ୍କୁ ପୂର୍ବ ପରି ସ୍କୁଲ କଲେଜରେ ଉପସ୍ଥାନ ଲାଗି ବାଧ୍ୟ କରାଯାଇପାରିବ ନାହିଁ। ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡକାଇବାକୁ ହେଲେ ସେମାନଙ୍କ ଅଭିଭାବକଙ୍କ ଅନୁମତି ପ୍ରଥମେ ନିଆଯିବ। ଯଦି ସ୍କୁଲ ଅନଲାଇନ୍‌ କ୍ଲାସ କରାଉଛନ୍ତି ଓ ଛାତ୍ରଛାତ୍ରୀ ଏଥିରେ ପଢୁଛନ୍ତି ଏବଂ ଏଥିଲାଗି ସେମାନେ ସ୍କୁଲ ଓ କଲେଜ ଆସିବାକୁ ଚାହୁଁନାହାନ୍ତି ତେବେ ଛାତ୍ରଛାତ୍ରୀଙ୍କୁ ସ୍କୁଲ କଲେଜ ଆସିବା ଲାଗି ବାଧ୍ୟ କରାଯିବ ନାହିଁ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଏସଓପିକୁ ଧ୍ୟାନରେ ରଖି ନିଜ ଲାଗି ଗାଇଡଲାଇନ ପ୍ରସ୍ତୁତ କରିପାରିବେ। ତେବେ ଏହି ଗାଇଡଲାଇନକୁ କଡାକଡି ପାଳନ କରାଯିବା ଜରୁରି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ କହିଛନ୍ତି। ହେଲେ ସ୍କୁଲ ଖୋଲାଯିବ କି ନା ସେନେଇ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନେବେ। ଏହା ବାଦେ ସ୍କୁଲ ଖୋଲିବ କି ନା ତାହା ସ୍କୁଲ ପ୍ରଶାସନ ଉପରେ ନିର୍ଭର କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.