ସେଦିନ ସେ କାଳ ରାତିରେ ଶୁଭସ୍ମିତା ବି ସାଜିଥିଲା ଦେବଦୂତ, ପାଣିରୁ ଛାଣି ଆଣିଥିଲା ଅନେକ ଜୀବନ : ତାକୁ କିନ୍ତୁ ଭୁଲିଗଲେ ସରକାର
10/01/2019 at 3:22 PM

ହୁକିଟୋଲା ଡଙ୍ଗା ବୁଡ଼ି ଘଟଣା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠେ । ହେଲେ ଏତେ ବଡ଼ ଅଘଟଣ ସମୟରେ ନିଜ ସାହାସିକତାର ପରିଚୟ ଦେଇଥିଲା କୁଜଙ୍ଗ ହସିଣା ଗାଁର ଶୁଭସ୍ମିତା । ଜୀବନକୁ ବାଜି ଲଗାଇ ବଞ୍ଚାଇଥିଲା ଦଶ ଜୀବନ ।ହେଲେ ଶୁଭସ୍ମିତାକୁ ସାବାସୀ ଦେବାକୁ ଭୁଲିଗଲା ପ୍ରଶାସନ ।

କୁଜଙ୍ଗ ହସିଣା ଗାଁର ଶୁଭସ୍ମିତା ସାହୁ । ଜାନୁଆରୀ ୨ ତାରିଖ ହୁକିଟୋଲା ଡଙ୍ଗା ବୁଡ଼ି ଘଟଣାରେ ସେ ସାଜିଥିଲା ଦେବ ଦୂତ । ଘଟଣା ଦିନ ଡଙ୍ଗାରେ ଥିଲା ଏଇ ସାହାସୀ ଝିଅଟି । ଭାରସାମ୍ୟ ହରାଇ ଯେତେବେଳେ ଡଙ୍ଗା ଓଲଟିଲା, ବୁଡ଼ିଗଲେ ୫୦ ଯାତ୍ରୀ । ଆଉ ସେତିକିବେଳେ ନିଜ ଜୀବନକୁ ବାଜି ଲଗାଇଦେଇଥିଲା ଶୁଭସ୍ମିତା । ପିଲା ଠୁ ବଡ଼ ଯାହାକୁ ପାଇଲା ସମସ୍ତଙ୍କୁ ଭିଡିଆଣି କୂଳରେ ଲଗାଇଦେଲା । ବଡ଼ ପାଟିରେ ସାହାଯ୍ୟ ପାଇଁ ଚିତ୍କାର କଲା । ଫଳରେ ଆଖ ପାଖରେ ଥିବା ଲୋକ ବି ଧାଇଁ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।ତେବେ ନିଜ ଭଉଣୀର ୪ ବର୍ଷର ଝିଅକୁ ବଞ୍ଚାଇ ପାରିନଥିଲା ଶୁଭସ୍ମିତା । ପରଦିନ ଦେଖିବାକୁ ପାଇଲା ଝିଆରୀର ମୃତ ଦେହ ।

ଡଙ୍ଗାବୁଡ଼ି ଘଟଣାରେ ଅନେକ ଜୀବନ ବଞ୍ଚାଇଥିବା ୨ ଭଉଣୀ ପୂର୍ଣ୍ଣିମା ଏବଂ ସବିତାଙ୍କ ପ୍ରଶଂସା ସବୁଠି । ସରକାର ସାବାସୀ, ସମ୍ବର୍ଦ୍ଧନା ସବୁ ଦେଲେ । ଗଣମାଧ୍ୟମ ବି ୨ ଭଉଣୀଙ୍କ ପ୍ରଶଂସାରେ ଶତମୁଖ । ହେଲେ ଶୁଭସ୍ମିତା କଥା ଭୁଲିଗଲେ ସମସ୍ତେ । ତେବେ ସାହାସୀ ଝିଅକୁ ବାବା ବଳିଆ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଜୀବନ ବଞ୍ଚାଇବା ବେଳେ ନିଜ ପର ଦେଖିନଥିବା ଏହି ଝିଅଟି ମଧ୍ୟ ସାବାସୀର ହକ୍ଦାର । ଏକଥା ପ୍ରଶାସନ ଭୁଲିଗଲେ କେମିତି ହେବ ?