ଫୋନିଠୁ ବଳିଗଲା ଫୋନି ପରର ଦୁଃଖ : ଲାଇଟ୍, ପାଣି, ରାସନ, ଗମନାଗମନ ସୁବିଧା ଯୋଗାଇବାରେ ସରକାର ଫେଲ୍, ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ

Published By : Prameya-News7 Bureau | May 07, 2019 IST

ଭୁବନେଶ୍ବର ୭।୫ : ରାଜଧାନୀ ଭୁବନେଶ୍ବରରେ ଫୋନି ପରବର୍ତ୍ତି ବିପର୍ଯ୍ୟୟରେ ସବୁଠୁ ଉତ୍କଟ ହୋଇଛି ଜଳ ସମସ୍ୟା । ଲୋକେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ଘରେ ବୋରଓ୍ବେଲ ଅଛି ହେଲେ ବିଦ୍ୟୁତ୍ ନାହିଁ, ଟାଙ୍କିକୁ ପାଣି ଉଠାଇବାକୁ ଘରୋଇ ଜେନେରେଟର ଉପରେ ନିର୍ଭର କରୁଛନ୍ତି ଲୋକେ। ରାଜାଧାନୀ ବାସିନ୍ଦାଙ୍କ ଏହି ପରିସ୍ଥିତିର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ । ସ୍ଥାନ ବିଶେଷରେ ଘଣ୍ଟାପ୍ରତି ୫ଶହରୁ ଆରମ୍ଭ କରି ୧୫ ଶହ ପର୍ଯ୍ୟନ୍ତ ଦାବି କରୁଛନ୍ତି ଜେନେରେଟର ମାଲିକ।
ଅଳ୍ପ କିଛି ସ୍ଥାନକୁ ପାଇପ୍ ଜଳ ଯୋଗାଇ ଦିଆଯାଇଥିବା ବେଳେ ଅଧିକାଂଶ ଅଞ୍ଚଳକୁ ଜଳ ଯୋଗାଣ ଏବେ ମଧ୍ୟ ସମ୍ଭବହୋଇ ନାହିଁ । ଫଳରେ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଥିବା କୂଅ ଏବଂ ନଳକୂପ ପାଖରେ ଶହଶହ ଲୋକ ଧାଡି ବାନ୍ଧୁଛନ୍ତି । କାର ଓ ବାଇକ୍ ରେ ଲୋକେ ଘରକୁ ପାଣି ବୋହୁଥିବା ଦେଖିବାକୁ ମିଳୁଛି । ପରିସ୍ଥିତି ଏପରି ହୋଇଛି ମହିଳାଙ୍କୁ ଛାଡି ପୁରୁଷ ଲୋକେ କେବେ ପାଦ ପକାଇନଥିବା ସ୍ଥାନୀୟ ପୋଖରୀ ଓ ନଦୀଘାଟରେ ଶୌଚ ଓ ଗାଧୋଇବା ପାଇଁ ଭିଡ ଜମାଉଛନ୍ତି।
ବିଜୁଳି ଅପେକ୍ଷାରେ ବେହାଲ :
ସବୁବେଳେ ବିଜୁଳି ସହ ଅଭ୍ୟସ୍ତ ରାଜଧାନୀ ବାସୀଙ୍କା ପାଇଁ ଫୋନି ପରବର୍ତ୍ତି ସ୍ଥିତିରେ ଚଳିବା ମୁସ୍କିଲ ହୋଇପଡିଛି । ବସ୍ତିଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଲୋକେ ଫ୍ୟାନ୍, କୁଲର ଓ ଏସିରେ ଅଭ୍ୟସ୍ତ ହୋଇଥିବା ବେଳେ ବର୍ତ୍ତମାନର ସ୍ଥିତି ସେମାନଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇପଡିଛି । ଦିନ ଅପେକ୍ଷା ରାତିର ସ୍ଥିତି ଲୋକଙ୍କୁ ନାକେଦମ କରିଦେଉଛି । ପ୍ରବଳ ଗୁଳଗୁଳି ସାଙ୍ଗକୁ ମଶାଙ୍କ ଉତ୍ପାତ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପରି ହୋଇଛି । ମଶା ଧୂପ କିମ୍ବା କୌଣସି ପ୍ରକାର ଧୂଆଁ ମଶା ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁନାହିଁ । ରାତିର ଅନ୍ଧାର ସାଙ୍ଗକୁ ମଶାଙ୍କ ଉତ୍ପାତ ରାଜାଧାନୀବାସୀଙ୍କ ନିଦ ଉଡେଇନେଇଛି । ପ୍ରତ୍ୟେକ ଲୋକଙ୍କ ପାଇଁ ୨ ଘଣ୍ଟା ଶୋଇବା ଏବେ ସାତସପନ ।
ପୁଣି ଲଣ୍ଠନ ଭରସା :
ବର୍ଷବର୍ଷ ଧରି ରାଜଧାନୀବାସୀ ଭୁଲିଯାଇଥିବା ଲଣ୍ଠନକୁ ପୁଣି ମନେ ପକାଇଛନ୍ତି । ୨୦ ଟଙ୍କାର କ୍ୟାଣ୍ଡଲ ୪୦ ଟଙ୍କାରେ ବିକ୍ରି ହେଉଥିବ ବେଳେ ବିଦ୍ୟୁତ ଅଭାବରୁ ଚାର୍ଜ ଲାଇଟ୍ ଥାଇ ମଧ୍ୟ ନଥିବା ସହ ସମାନ। ଠିକ୍ ସେତିକି ବେଳେ ପାରମ୍ପରିକ ଲଣ୍ଠନ ଉପରେ ଭରସା କରୁଛନ୍ତି ଅନେକ ପରିବାର। ୟୁନିଟ୍-୧ ମାର୍କେଟ୍ ରେ ୧୬୦ ଟଙ୍କାର ଲଣ୍ଠନ ରାଜାଧାନୀର ଅନ୍ୟ ସ୍ଥାନରେ ୩ଶହ ଟଙ୍କାରେ ବିକ୍ରି ହେଉଛି । ସ୍ବଳ୍ପ କିରୋସିନରେ ଅଧିକ ସମୟ ଧରି ଜଳୁଥିବା ଲଣ୍ଠନ ଏବେ ସବୁ ବର୍ଗର ଆବଶ୍ୟକ ହୋଇପଡିଛି ।
ମାତିଛନ୍ତି ଲୁଟେରା :
ରାତି ହେଲେ ରାଜଧାନୀ ରାସ୍ତାରେ ଏବେ ଅନ୍ଧାରର ରାଜୁତି । ଏଭଳି ସ୍ଥିତିରେ ବିଭିନ୍ନ କଲୋନୀ ଓ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁ୍ର୍ଭାବ । ପୋଲିସ ପାଟ୍ରୋଲିଂ ପର୍ଯ୍ୟାପ୍ତ ନଥିବା ବେଳେ ରାତି ତମାମ ଚୋର ଓ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ରହୁଛି । ଖାସ୍ କରି ବାତ୍ୟା ପରେ ଘରେ ତାଲା ପକାଇ ରାଜଧାନୀ ଛାଡି ଗାଁକୁ ଚାଲିଯାଇଥିବା ପରିବାରଗୁଡିକର ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା। ବିଭିନ୍ନ ଥାନା ଅଞ୍ଚଳରେ ରାତି ଅଧିଆ ଚୋରିର ଖବର ସାମ୍ନାକୁ ଆସୁଛି । ଲୋକେ ପାଣି ଓ ବିଜୁଳିର ଅଭାବରେ ଗାଁକୁ ଚାଲିଯାଉଥିବା ବେଳେ ଏଭଳି ପରିସ୍ଥିତିରେ ଲୋକେ ଶାନ୍ତିରେ ରହିପାରୁନାହାନ୍ତି । ଗାଁରେ ରହି ମଧ୍ୟ ପ୍ରତି ମୂହୁର୍ତ୍ତରେ ସେମାନଙ୍କୁ ଭୁବନେଶ୍ବର ଘର ଚିନ୍ତା ଘାରୁଛି ।
ଜଳଖିଆରୁ ବରା, ଇଡଲି ଉଭାନ :
ପ୍ରାୟତଃ ରାଜଧାନୀରେ ସକାଳ ଜଳଖିଆ ତାଲିକାରେ ଥାଏ ବରା, ଇଡଲି ଓ ଚକୁଳି । କିନ୍ତୁ ବିଦ୍ୟୁତ୍ ନଥିବାରୁ ବିରି ଓ ଚାଉଳ ପେସା ସମ୍ଭବ ହେଉନଥିବାରୁ ରାସ୍ତାକଡ ଜଳଖିଆ ଦୋକାନୀ ଉପମା, ପୁରୀ ଓ ପକୁଡି ଭଳି ଜଳଖିଆ ଗ୍ରାହକଙ୍କୁ ପରଶୁଛନ୍ତି । ବରା କିମ୍ବା ଇଡଲି ମାଗିଲେ ଉତ୍ତର ମିଳୁଛି ଆଜ୍ଞା ଇଲେକ୍ଟ୍ରି ପରା ନାହିଁ । ବିରି, ଚାଉଳ ପେସା ହେବ କେମିତି । ପରିସ୍ଥିତି ଏପରି ହୋଇଛି ଯେ ୟୁଜ୍ ଏଣ୍ଡ ଥ୍ରୋ ପ୍ଲେଟ୍ ବ୍ୟବହାର କରୁଛନ୍ତି ଦୋକାନୀ । ପାଣି ଅଭାବରୁ ପ୍ଲେଟ୍ ଧୋଇବା ସମ୍ଭବ ହେଉ ନାହିଁ ।
କ୍ଷୀର ପାଇଁ ହନ୍ତସନ୍ତ :
ବାତ୍ୟା ଫୋନି ଯୋଗୁଁ ଦୁଗ୍ଧ ଉତ୍ପାଦନ ବାଧା ପ୍ରାପ୍ତ ହୋଇଥିବା ବେଳେ ଲୋକଙ୍କୁ ରାଜଧାନୀରେ ପ୍ୟାକେଟ କ୍ଷୀର ମିଳିପାରୁନାହିଁ। ଓମଫେଡ, ମିଲ୍କ ମୁ ଓ ପ୍ରଗତି ଭଳି ଡାୟରୀ କମ୍ପାନୀଙ୍କ ଦୁଗ୍ଧ ପ୍ୟାକେଟ ମାର୍କେଟରେ ମିଳୁନଥିବା ବେଳେ ଚନ୍ଦ୍ରଶେଖରପୁର ଓମଫେଡ ପ୍ଲାଣ୍ଟ କାଉଣ୍ଟରରୁ କିଛି ଲୋକ ଖୀର ସଂଗ୍ରହ କରୁଥିବା ଦେଖାଯାଇଛି । ବିଦ୍ୟୁତ ନଥିବାରୁ ଫ୍ରିଜ କିମ୍ବା ଡିପ ଫ୍ରିଜର କାମ କରୁ ନାହିଁ । ଏଣୁ ଖୁଚୁରା ବ୍ୟବସାୟୀ ଅଧିକ ପରିମାଣରେ ଖୀର ରଖିବାକୁଚାହୁଁ ନାହାନ୍ତି । ଫଳରେ ବଜାରରେ ଦୁଗ୍ଧର ବ୍ୟାପକ ଅଭାବ ଦେଖାଦେଇଛି ।
ଅଣ୍ଡା ଗୋଟି ୮ ଟଙ୍କା
ଘରେ ଫ୍ରିଜ ଚାଲୁନଥିବାରୁ ଲୋକେ ଅଧିକ ସବୁଜ ପରିବା କିଣିବାକୁ ଉଚିତ ମଣୁ ନାହାନ୍ତି । ସେପଟେ ପରିବା ଦର ମଧ୍ୟ ଆକାଶ ଛୁଆଁ। ଆମିଷ ପ୍ରେମୀ ଗ୍ରାହକଙ୍କ ପାଇଁ ଶସ୍ତା, ସୁନ୍ଦର ଓ ପସନ୍ଦର ଖାଦ୍ୟ ହେଉଛି ଅଣ୍ଡା । ତେବେ ସ୍ଥାନ ବିଶେଷରେ ଫୋନି ପୂର୍ବରୁ ୫ ଟଙ୍କାରେ ମିଳୁଥିବା ଅଣ୍ଡା ଏବେ ୮ ଟଙ୍କା ହେଲାଣି। ହୋଲସେଲ ମାର୍କେଟରେ ଅଣ୍ଡାର ମୂଲ୍ୟ ସ୍ଥିର ଥିବ ବେଳେ ଖୁଚୁରା ବ୍ୟବସାୟୀ ଏହାକୁ ଅଧିକ ଦାମରେ ବିକୁଛନ୍ତି । ଖାଲି ସେତିକି ନୁହେଁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ପ୍ରାୟ ଅଞ୍ଚଳରେ ୬୦ ଟଙ୍କାରେ ବିକ୍ରି ହେଉଛି ।
ପାଣି ନାହିଁ ବିୟର ପିଅ !
ସାଧାରଣ ଲୋକଟିଏ ପିଇବା ପାଣି ପାଣି ପାଇଁ ଏଠାରୁ ସେଠାକୁ ଦୌଡୁଛି । କିନ୍ତୁ ବଜାରରେ ମଦ ଦୋକାନ ଆଗରେ ଜମୁଛି ଜୋରଦାର ଭିଡ । ପାଗ ଗରମ ଯୋଗୁ ବିୟରର ଚାହିଦା ଢେର ବଢିଯାଇଛି । ଖାଲି ବିୟର ନୁହେଁ ଅନ୍ୟାନ୍ୟ ବ୍ରାଣ୍ଡର ମଦ ମଧ୍ୟ ପ୍ରଚୁର ବିକ୍ରି ହେଉଛି । ଫଳରେ ସକାଳରୁ ରାତି ଯାଏଁ ମଦ କାଉଣ୍ଟର ଆଗରେ ଗ୍ରାହକଙ୍କ ବେଶ ଭିଡ ଜମୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.