‘ତୌକତେ’ ଓ ‘ୟାସ୍’ ଯୋଗୁ ହୋଇଛି ୧୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ, ରକ୍ଷା ହୋଇଯାଇଛନ୍ତି ୨୪ଲକ୍ଷ ଲୋକେ : ସରକାର

Published By : Prameya-News7 Bureau | July 25, 2021 IST

ନୂଆଦିଲ୍ଲୀ ୨୫।୭: ଗତ ମଇ ଦ୍ୱିତୀୟ ସପ୍ତାହରେ ଭାରତ ଉପକୂଳ ଦେଇ ପ୍ରବାହିତ ହୋଇଥିଲା ଦୁଇଟି ଭୟାନକ ସାମୁଦ୍ରିକ ବାତ୍ୟା ‘ତୌକତେ’ ଓ ‘ୟାସ’। ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ତୌକତେ ମେ ୧୫ ତାରିଖରେ ବାତ୍ୟାର ରୂପ ନେଇ କେରଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ତାଣ୍ଡବ ରଚିଥିଲା। ଏହା ପଛକୁ ଆସିଥିଲା ଉତ୍ତର ଭାରତ ମହାସାଗରରେ ଉଠିଥିବା ଘୂର୍ଣ୍ଣିବାତ୍ୟା  ‘ୟାସ୍’ ଯାହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିଲା।

ଉଭୟ ବାତ୍ୟାର ବିନାଶକ କ୍ଷମତା  ସମ୍ପର୍କରେ ପୂର୍ବରୁ ଭାରତ ସରକାର ରାଜ୍ୟମାନଙ୍କୁ ସତର୍କ କରାଇସାରିଥିଲେ। ସେହି ଅନୁସାରେ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ୨୪ ଲକ୍ଷ ଲୋକଙ୍କୁ ବାତ୍ୟା ଆଗରୁ ସୁରକ୍ଷିତ ସ୍ଥାନକୁ ପଠାଯାଇସାରିଥିଲା। ଏଥିଲାଗି ଏନଡିଆରଏଫ ଓ ଏସଡିଆରଏଫ ଦିନରାତି ଏକ କରି ଲୋକଙ୍କ ଉଦ୍ଧାର ଓ ସୁରକ୍ଷିତ ରହଣୀର ବ୍ୟବସ୍ଥା କରିଥିଲେ। ଏଥିଲାଗି କେନ୍ଦ୍ର ସରକାରଙ୍କୁ ୧୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିଛି। ସଂସଦରେ କେନ୍ଦ୍ର ଗୃ ରାଷ୍ଟ୍ରମନ୍ତ୍ରୀ ସାଂସଦମାନଙ୍କ ପ୍ରଶ୍ନର ଉତ୍ତରରେ ଏହି ଜବାବ ରଖିଛନ୍ତି।

ଉଭୟ ବାତ୍ୟାରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାଢେ ୪ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ଛଡା ମତ୍ସ୍ୟଜୀବିଙ୍କ ୬ହଜାର ୫ଶହ ଡଙ୍ଗା  ସହ ୪୧ ହଜାର ୧୬୪ ଜାଲ ପାଣିରେ ଭାସିଯାଇଥିଲା। ବାତ୍ୟା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ପ୍ରଭାବିତ ରାଜ୍ୟଙ୍କ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମେ ୧୯ ତାରିଖରେ ଗୁଜରାଟ ଗସ୍ତ କରିଥିବା ବେଳେ ମେ ୨୮ରେ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ପ୍ରତ୍ୟକ୍ଷ ସମୀକ୍ଷା କରିଥିଲେ।

{"id":485687,"sizeSlug":"large","linkDestination":"none"}

ବାତ୍ୟା ଯୋଗୁ ଦେଶରେ ୩୬୭,୬୨୨.୩୮ ହେକ୍ଟର ଜମିରେ ଫସଲ ଉଜାଡିଥିଲା। ଏଥିଲାଗି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ କିଷାନ ଫସଲ ବୀମା ଯୋଜନାରେ ସହାୟତା କରିଥିବା କୁହାଯାଉଛି। ସେପଟେ ବାତ୍ୟା ମୁକାବିଲା ଲାଗି କେନ୍ଦ୍ର ସରକାର ଗୁଜରାଟରେ ୪୩, ମହାରାଷ୍ଟ୍ରରେ ୪, ଗୋଆରେ ୧, କେରଳରେ ୯, କର୍ଣ୍ଣାଟକରେ ୩, ତାମିଲନାଡୁରେ ୫, ରାଜସ୍ଥାନରେ ୨, ଡାମନ ଓ ଡ୍ୟୁରେ ୩ ଏବଂ ଦାଦର ଓ ନଗର ହାବେଲୀରେ ୧ଟି ଏପରି ୭୧ଟି ଏନଡିଆରଏଫ ଟିମ୍‌ ମୁତୟନ କରିଥିଲେ।

ସେହିପରି ୟାସ୍‌ ଲାଗି କେନ୍ଦ୍ର ସରକାର ଓଡ଼ିଶାରେ ୫୨, ପଶ୍ଚିମବଙ୍ଗରେ ୪୬, ଝାଡଖଣ୍ଡରେ ୮, ଆନ୍ଧ୍ରପ୍ରଦେଶରେ ୩, ତାମିଲନାଡୁରେ ୩ ଓ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ୧ ଏପରି ୧୧୩ଟି ଏନଡିଆରଏଫ ଟିମକୁ ଉଦ୍ଧାର ଓ ପରବର୍ତ୍ତି ପୁନର୍ବାସ ସହାୟତା ଲାଗି  ମୁତୟନ କରିଥିଲେ।  ସେହିପରି ବାତ୍ୟାଜନିତ କ୍ଷୟକ୍ଷତି ଲାଗି ଏନଡିଆରଏଫ ପାଣ୍ଠିରୁ ଗୁଜରାଟ ଲାଗି ୧ ହଜାର କୋଟି, ପଶ୍ଚିମବଙ୍ଗ ଲାଗି ୩୦୦ କୋଟି, ଓଡିଶାକୁ ୫ଶହ କୋଟି ଓ ଝାଡଖଣ୍ଡକୁ ୨୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଥିବା ନେଇ ୧୩ ଜଣ ସାଂସଦଙ୍କ ପ୍ରଶ୍ନର ଜବାବରେ ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦକୁ ଏହି ଉତ୍ତର ଦେଇଛନ୍ତି।

ଏଥିରେ ସରକାରଙ୍କୁ ମୋଟ ୧୦ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିବା ବେଳେ ଏଥିରେ ଗୁଜରାଟରେ ୨ଲକ୍ଷ ୩୮ ହଜାର ୫୪୮, ମହାରାଷ୍ଟ୍ରରେ ୧୩ ହଜାର ୪୩୫, ଡ୍ୟୁରେ ୪୦୫ ଜଣ ଓ କେରଳରେ ୮୩ ଜଣଙ୍କୁ ତୌକତେ ପ୍ରକୋପରୁ ଊଦ୍ଧାର କରାଯାଇଥିବା କହିଛନ୍ତି। ସେହି ୟାସ୍‌ ପ୍ରକୋପରୁ ଓଡିଶାରେ ୭ଲକ୍ଷ ୩ହଜାର ୫୮ ଜଣ, ୧୫୦୪୫୦୬ ଜଣ ଓ ଝାରଖଣ୍ଡରେ ୧୭ ହଜାର ୧୬୫ ଜଣ ମୋଟ ୨୪ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଥିଲା ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସଂସଦକୁ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.