ସଂଶୋଧିତ ହେଲା ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ, କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ସହାୟତା ରାଶି ବୃଦ୍ଧି

Published By : Prameya-News7 Bureau | October 08, 2021 IST

ଭୁବନେଶ୍ବର ୮।୧୦: ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କ GIS ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

କର୍ମଚାରୀମାନଙ୍କ ପାଇଁ GIS ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତ୍ୟଷ୍ଟିକ୍ରିୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.