ରେମଡେସିଭିର ପ୍ରୟୋଗର ସମୀକ୍ଷା କରାଯିବ: ରୋଗୀଙ୍କଠାରେ ଲିଭର ସମସ୍ୟା ରିପୋର୍ଟ ପରେ ସରକାରଙ୍କ ନୂଆ ନିଷ୍ପତ୍ତି

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୦୪।୦୭: କରୋନା ସଂକ୍ରମଣରୁ ଉପଶମ ପାଇଁ ରେମଡେସିଭିର ଔଷଧ ସେବନ ପରେ ଯକୃତ ବା ଲିଭର ସମସ୍ୟା ସଂପର୍କିତ ଅନେକ ଅଭିଯୋଗ ଆସିବା ପରେ ଏହାର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି।

ସରକାରର ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ ରେମେଡିସିଭରର ଉପଯୋଗ ବିଷୟରେ ସମୀକ୍ଷା କରାଯାଉଛି। ଏହାର ପାର୍ଶ୍ଵ ପ୍ରତିକ୍ରିୟା ରହୁଥିବା ଶୁକ୍ରବାର ଅନୁଷ୍ଠିତ ମନ୍ତ୍ରିସ୍ତରୀୟ ବୈଠକରେ ଉଠିଥିଲା। ସରକାର ସରକାରୀ ଓ ଘରୋଇ ହସ୍ପିଟାଲରୁ ଏହି ସମ୍ବନ୍ଧରେ ଅନେକ ରିପୋର୍ଟ ପାଇଛନ୍ତି।  ଯେଉଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଛି, ସେମାନଙ୍କଠାରେ ଆଲକାଲିନ ଫସଫେଟ୍‌, ଏସଜିଓଟି ଓ ଏସଜିପିଟିର ମାତ୍ର ଅଚାନକ ବଢୁଥିବା ଦେଖିବାକୁ ମିଳିଛି। ଏହା ଲିଭରକୁ କ୍ଷତି ପହଞ୍ଚାଇଥାଏ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଘଟଣାରେ ଆମେ ଆହୁରି ସୂଚନା ଏକତ୍ର କରୁଛୁ ଏବଂ ଏହାକୁ ଅତି ସନ୍ତର୍ପଣର ସହ ସମୀକ୍ଷା କରାଯାଉଥିବା ଅଧିକାରୀ କହିଛନ୍ତି।

ଆମେରିକୀୟ ଫାର୍ମା କମ୍ପାନୀ ଜିଲିଡ୍ ସାଇନ୍ସ ଦ୍ଵାରା ବିକଶିତ ରେମଡେସିଭିରକୁ ଭାରତରେ ଜରୁରୀକାଳୀନ ସେବା ପ୍ରାଧିକରଣର ଅନୁମତି କ୍ରମେ କରୋନା ରୋଗୀଙ୍କୁ ଜରୁରୀକାଳୀନ ଯାଞ୍ଚ ସମୟରେ ଦିଆଯିବାକୁ ଅନୁମତି ମିଳିଥିଲା। ରେମଡେସିଭିର ସେହି ରୋଗୀଙ୍କୁ ନଦେବାକୁ କୁହାଯାଇଥିଲା, ଯାହାଙ୍କଠାରେ ପୂର୍ବରୁ  ଲିଭର ସମସ୍ୟା ରହିଛି।

ଆଲକାଲାଇନ୍‌ ଫସଫେଟ୍ ଏକ ଏଞ୍ଜାଇମ୍‌ ଯାହା ପିତ୍ତ ନଳୀକା, ଅନ୍ତବୁଜୁଳାରେ ଦେଖିବାକୁ ମିଳିଥାଏ। ଆଲକାଲାଇନ୍‌ ଫସଫେଟ୍‌ର ସ୍ତରକୁ ଲିଭରର ମାର୍କର ରୂପେ ବ୍ୟବହାର କରାଯାଏ। ରେମଡେସିଭିର ଏକ ପରୀକ୍ଷାମୂଳକ ଔଷଧ, ଯାହା ଏବୋଲା ପାଇଁ ବିକଶିତ କରାଯାଇଥିଲା। ଅନେକ ଅଧ୍ୟୟନରେ ଏହା କରୋନା ରୋଗୀଙ୍କ ପାଇଁ ମହତ୍ଵପୂର୍ଣ୍ଣ ଲାଭଦାୟୀ ବୋଲି ଜଣା ପଡିଥିଲା।

ଏପ୍ରିଲ ମାସରେ ଏକ ବିବୃତ୍ତିରେ ଆମେରିକା ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ କହିଛି ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ଯାହାଙ୍କଠାରେ ଫୁସଫୁସ୍‌ ସମ୍ବନ୍ଧିତ ସମସ୍ୟା ରହିଛି ଏବଂ ଯେଉଁମାନେ ରିମେଡେସିଭର୍ ଗ୍ରହଣ କରିଥିଲେ,  ସେମାନେ ସମାନ ରୋଗୀଙ୍କ ଅପେକ୍ଷା ଶୀଘ୍ର ସୁସ୍ଥ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.