ଏହି ସରକାରୀ କମ୍ପାନୀଗୁଡିକ ପିଏମ୍ କେୟାର୍ସ ଫଣ୍ଡରେ ଦେଲେ ୨୬୭.୫୫ କୋଟି ଟଙ୍କା, ଜାଣନ୍ତୁ କେତେ ଦେଲେ କେଉଁ କମ୍ପାନୀ
5/04/2020 at 3:54 PM

ନୂଆଦିଲ୍ଲୀ ୫।୪: କରୋନା ଭାଇରସ୍ ଯୋଗୁଁ ସଙ୍କଟ ମଧ୍ୟରେ ଗତିକରୁଛି ଭାରତ । ଦେଶର ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ପାଇଁ ଅପିଲ କରିଥିଲେ । ଯାହା ଫଳରେ ନେତାଠୁ ଅଭିନେତା, ଶିଳ୍ପପତି, କ୍ରିକେଟର ଆଉ ସାଧାରଣ ବ୍ୟକ୍ତିବିଶେଷ ସହାୟତାର ହାତ ବଢାଇବାରେ ଲାଗିଛନ୍ତି । ଏହି ତାଲିକାରେ ସରକାରୀ ଇସ୍ପାତ କମ୍ପାନୀଗୁଡିକ ମଧ୍ୟ ସାମିଲେ ହୋଇଛନ୍ତି । ପିଏମ୍ କେୟାର୍ସ ଫଣ୍ଡରେ ସରକାରୀ ଇସ୍ପାତ କମ୍ପାନୀଗୁଡିକ ପକ୍ଷରୁ ୨୬୭.୫୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଖଣି କମ୍ପାନୀ NMDC ସର୍ବାଧିକ ୧୫୫କୋଟି ଟଙ୍କା ପିଏମ୍ କେୟାର୍ସ ଫଣ୍ଡରେ ଜମା କରିଛି । ସେହିଭଳି ଇସ୍ପାତ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଆସିଥିବା ଅନ୍ୟ ଏକ ଖଣି କମ୍ପାନୀ ମାୟଲ ୪୮ କୋଟି ଟଙ୍କା ଜମା କରିଛି । ସେହିଭଳି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ୩୦ କୋଟି ଟଙ୍କା ଏବଂ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (RINL) ୬.୧୬ କୋଟି ଟଙ୍କା ଜମା କରିଛନ୍ତି ।
ସେହିଭଳି ପେଲେଟ୍ କମ୍ପାନୀ KIOCL ପିଏମ୍ କେୟାର୍ସ ଫଣ୍ଡରେ ୧୦.୧୦କୋଟି ଟଙ୍କା ଜମା କରିଛି । କନସଲଟାନ୍ସି କମ୍ପାନୀ MECON ୭.୭୫ କୋଟି ଟଙ୍କା, ଇ-କମର୍ସ କମ୍ପାନୀ MSTC ୫.୫୪ କୋଟି ଟଙ୍କା ଏବଂ ଫେରୋ ସ୍କ୍ରାପ୍ ନିଗମ (FSNL) ଏହି ଫଣ୍ଡରେ ୫ କୋଟି ଟଙ୍କାର ସହାୟତା କରିଛନ୍ତି । ଇସ୍ପାତ ଉଦ୍ୟୋଗଗୁଡିକ ପିଏମ୍ କେୟାର୍ସ ଫଣ୍ଡରେ ୨୬୭.୫୫ କୋଟି ଟଙ୍କାର ସହାୟତା କରିଛନ୍ତି ।