ଭାରତରେ ନିବେଶ ପାଇଁ ଚୀନ, ପାକିସ୍ତାନର ଚାଲବାଜି ଚଳିବ ନାହିଁ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୦୪: କରୋନା ମହାମାରୀ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଅବସରବାଦୀ ଅଧିଗ୍ରହଣ ଉପରେ ଅଙ୍କୁଶ ଲଗାଇବା ପାଇଁ ବର୍ତ୍ତମାନର ବିଦେଶୀ ପୁଞ୍ଜି ନିବେଶ(FDI) ନିୟମରେ ପରିବର୍ତ୍ତନ କରିଛନ୍ତି। ଏହାରି ଆଧାରରେ ଯେଉଁ ଦେଶର ସୀମା ଭାରତ ସହିତ ଲାଗି ରହିଛି, ସେଠାକାର ନିବେଶକ ସରକାରୀ ଆଦେଶ ବିନା ଏଠାରେ ନିବେଶ କରି ପାରିବେ ନାହିଁ। ଅର୍ଥାତ ଚୀନ, ବାଂଲାଦେଶ ଓ ପାକିସ୍ତାନର ନିବେଶକ କିମ୍ବା କମ୍ପାନୀକୁ ଭାରତରେ ନିବେଶ ପାଇଁ ସରକାରଙ୍କୁ ଅନୁମତି ନେବାକୁ ପଡିବ। ଏହାର ସୂଚନା DPIT ପକ୍ଷରୁ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ସଂପ୍ରତି ଚୀନ ନିବେଶକଙ୍କ ଉପରେ ପଡିବ। ସଂପ୍ରତି କେବଳ ବାଂଲାଦେଶ ଓ ପାକିସ୍ତାନରୁ ଆସୁଥିବା ଏଫଡିଆଇ ପାଇଁ ସରକାରଙ୍କ ଅନୁମତି ଦରକାର ହେଉଥିଲା। କିନ୍ତୁ ଏବେ ଏଫଡିଆଇର ନିୟମରେ ପରିବର୍ତ୍ତନର ପ୍ରଭାବ ଚୀନ ନିବେଶକଙ୍କ ଉପରେ ପଡିବ।

ଉଲ୍ଲେଖଯୋଗ୍ୟ, ଗତ ଦିନରେ ଚାଇନିଜ୍ ସେଣ୍ଟ୍ରାଲ ବ୍ୟାଙ୍କ HDFCର କୋଟି କୋଟି ଅଂଶ ଧନ କ୍ରୟ କରିଥିଲା। ଏଥିରେ ଏହାର ଭାଗିଦାରୀ କମ୍ପାନୀରେ ୧ ପ୍ରତିଶତ ଅତିକ୍ରମ କରିଥିଲା। ସେହି ସମୟରେ ଏମିତି ରିପୋର୍ଟ ଆସିଥିଲା ଯେ, ଚୀନ ପୂରା ଦୁନିଆରେ ନିଜର ନିବେଶକୁ ବୃଦ୍ଧି କରୁଛି। କରୋନା କାରଣରୁ ପୂରା ଦୁନିଆର ଘରୋଇ ପୁଞ୍ଜି ବଜାର ମାନ୍ଦାବସ୍ଥାକୁ ଚାଲି ଆସିଛି ଏବଂ ଅଂଶଧନର ଚାହିଦାରେ ବହୁତ ହ୍ରାସ ଘଟିଛି। ଚୀନ ଏହି ସମୟକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ଦ୍ରୁତ ଗତିରେ ନିବେଶ କରୁଛି।

DPITର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଯଦି କୌଣସି ଦେଶର ସୀମା ଭାରତ ସହିତ ସଂଲଗ୍ନ ରହିଛି ତେବେ ସେଠାକାର ଯେ କୌଣସି ନିବେଶକ ସେ କମ୍ପାନୀ ହେଉ କି ବ୍ୟକ୍ତିଗତ ହେଉ ସେମାନେ କେବଳ ସରକାରଙ୍କ ଅନୁମତିରେ ହିଁ ଭାରତରେ ନିବେଶ କରି ପାରିବେ। ସେମାନଙ୍କୁ ପ୍ରତିରକ୍ଷା, ମହାକାଶ, ଆଣବିକ ଶକ୍ତି ପରି କ୍ଷେତ୍ରରେ ନିବେଶ କରିବାକୁ ଅନୁମତି ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.