କରୋନା ଯୋଦ୍ଧାଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ସଂକ୍ରମଣରେ ପ୍ରାଣ ହରାଇଲେ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା

Published By : Prameya-News7 Bureau | April 22, 2020 IST

ଭୁବନେଶ୍ବର ୨୨.୦୪- କରୋନା ଯୋଦ୍ଧାଙ୍କ  ଲାଗି ରାଜ୍ୟ ସରକାରଙ୍କ ବଡ ସହାୟତା ନିଷ୍ପତ୍ତି। କୋଭିଡ୧୯ ଭାଇରସ୍ ମୁକାବିଲା  ବା କରୋନା ମୁକାବିଲା ଅଭିଯାନରେ ସାମିଲ ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ହେଲେ ତାଙ୍କୁ ସହିଦ ମାନ୍ୟତା ଦିଆଯିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତାସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ବି ଘୋଷଣା କରିଥିଲେ । ଆଉ ତାପରେ ଏବେ ସମସ୍ତ କରୋନା ଯୋଦ୍ଧାଙ୍କ ଲାଗି ସହୃଦୟତାର ସହ ନିଷ୍ପତ୍ତି ନେଇଛନ୍ତି ସରକାର ।

 କରୋନା ଯୋଦ୍ଧାଓଡ଼ିଶା ରାଜ୍ୟ ସରକାର କୋଭିଡ୍‌-୧୯ ମୁକାବିଲା ନିମନ୍ତେ ସରକାରୀ କର୍ମଚାରୀ, ବେସରକାରୀ ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ, ସହର ଓ ଗ୍ରାମାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ଏବଂ ବୃତ୍ତିଗତ ସଂସ୍ଥାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତି । କର୍ତ୍ତବ୍ୟ ସଂପାଦନ ସମୟରେ ଉପରୋକ୍ତ ଲୋକମାନଙ୍କର ସଂକ୍ରମଣର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କଲେ ତାଙ୍କ ପତ୍ନୀ / ପତି ଅବା ପରବର୍ତ୍ତୀ ନିକଟ ସଂପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବେ ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ବାରା କୋଭିଡ୍‌-୧୯ ସଂପୃକ୍ତ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଲୋକମାନଙ୍କୁ ୯୦ ଦିନ ନିମନ୍ତେ ୫୦ ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା ପାଇଁ ଯୋଜନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.