ସୋସିଆଲ୍ ମିଡିଆ କମ୍ପାନୀକୁ କେନ୍ଦ୍ରର କଡା ନିର୍ଦ୍ଦେଶ, ତୁରନ୍ତ ହଟାଅ କରୋନାର ନୂଆ ଷ୍ଟ୍ରେନ୍‌କୁ ଭାରତୀୟ କୁହାଯାଇଥିବା ପୋଷ୍ଟ

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨।୫: କରୋନାର ନୂଆ ଷ୍ଟ୍ରେନ୍ କୁ ‘ଭାରତୀୟ ଷ୍ଟ୍ରେନ୍’ ବୋଲି କହିବାକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନୀଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସରକାର କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନଙ୍କ ପ୍ଲାଟଫର୍ମରୁ ଏପରି କୌଣସି କଣ୍ଟେଣ୍ଟ ଥିଲେ ତାହାକୁ ତୁରନ୍ତ ହଟାନ୍ତୁ ଯେଉଁଥିରେ ବି.୧.୬୧୭ ଷ୍ଟ୍ରେନ୍ କୁ ଭାରତୀୟ ଷ୍ଟ୍ରେନ୍ ବୋଲି କୁହାଯାଇଛି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ସମସ୍ତ କମ୍ପାନୀଗୁଡିକ ପାଇଁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, କରୋନା ଭାଇରସ୍ ର ଷ୍ଟ୍ରେନ୍ ବି.୧.୬୧୭ କୁ ନେଇ ଯେଉଁ ତଥ୍ୟ ପ୍ରକାଶ ପାଉଛି ସତ୍ୟ ନୁହେଁ । କୋଭିଡ୍ ୧୯ର କୌଣସି ଷ୍ଟ୍ରେନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିମ୍ବା ଅନ୍ୟ ବୈଜ୍ଞାନିକ ଗୋଷ୍ଠୀ କୌଣସି ରିପୋର୍ଟରେ ଭାରତୀୟ ବୋଲି କହିନାହାନ୍ତି ।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହବି ନୋଟିସ୍ ରେ ସ୍ପଷ୍ଟ କରାଯାଇଛି ଯେ ଏଭଳି ମିଥ୍ୟା ରିପୋର୍ଟ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥାଏ । ଚିଠିରେ କୁହାଯାଇଛି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାର କୌଣସି ରିପୋର୍ଟରେ ଭାରତୀୟ ଷ୍ଟ୍ରେନ୍ ଶବ୍ଦକୁ କରୋନା ଭାଇରସର ବି.୧.୬୧୭ ଷ୍ଟ୍ରେନ୍ ସହିତ ନାହିଁ । ସୋସିଆଲ ମିଡିଆରେ ଭୁଲ ତଥ୍ୟ ସେୟାର କରାଯାଉଛି ।

କେନ୍ଦ୍ର ସରକାରଙ୍କ ଅନୁସାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି.୧.୬୧୭କୁ ବିଶ୍ବସ୍ତରୀୟ ଚିନ୍ତାର ଏକ ଷ୍ଟ୍ରେନ୍ ବୋଲି ଶ୍ରେଣୀଭୁକ୍ତ କରିଛି । କିନ୍ତୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି ଷ୍ଟ୍ରେନ୍ କୁ ଭାରତୀୟ ଷ୍ଟ୍ରେନ୍ ବୋଲି କୁହାଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଏବେ ଯେଉଁ ଷ୍ଟ୍ରେନ୍ କାୟା ବିସ୍ତାର କରିଛି ତାହା ବ୍ରିଟେନ୍, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ପରେ କରୋନାର ଚତୁର୍ଥ ଷ୍ଟ୍ରେନ୍ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.