କୋଚିଳା ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

Published By : Prameya-News7 Bureau | July 06, 2021 IST

ଭଦ୍ରକ ୬।୭: ବନ୍ୟା ପ୍ଲାବିତ ଭଦ୍ରକ ଜିଲ୍ଲା ର ଧାମନଗର ଅଞ୍ଚଳବାସୀଙ୍କ ପାଇଁ  ଖୁସିର ଖବର । ଧାମନଗର ବ୍ଲକର ବହୁ ପ୍ରତୀକ୍ଷିତ କୋଚିଳା ନଦୀର ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି । ୩୬୦ କୋଟି ଟଙ୍କାର ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆସନ୍ତା ୧୯ ତାରିଖ ଦିନ ହେବ ବୋଲି ୫-ଟି ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ହେବା ଦ୍ବାରା ଧାମନଗର ବ୍ଲକରେ ବନ୍ୟା ନିୟନ୍ତ୍ରଣ ହେବା ସହ ଚାଷ ଜମିକୁ ଜଳସେଚନ ହୋଇପାରିବ । ଭଦ୍ରକ ବ୍ଲକ ପରିସରରେ ଥିବା ଭିଡିଓ କନଫରେନ୍ସିଂ ପ୍ରକୋଷ୍ଠରେ ଜିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ୫-ଟି ସଚିବ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ୧୯ ତାରିଖରେ ଏହାର ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ୫-ଟି ସଚିବ ଭିଡିଓ କନଫରେନ୍ସିଂ  ଜରିଆରେ ସୂଚନା ଦେଇଥିଲେ ।

ଧାମନଗର ବ୍ଲକ ଏକ ବନ୍ୟା ପ୍ଲାବିତ ଅଞ୍ଚଳ, ପ୍ରତିବର୍ଷ ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସି ବହୁ ଧନଜୀବନ କ୍ଷୟକ୍ଷତି କରୁଛି । ବୈତରଣୀ - କୋଚିଳା ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ଧାମନଗରବାସୀ ।  ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ଶୁଣିଛନ୍ତି । ଏହି ପ୍ରକଳ୍ପ ହେବା ଦ୍ବାରା ଧାମନଗରରେ ଚାଷୀମାନେ ଉପକୃତ ହେବା ସହ ବନ୍ୟା ଦାଉରୁ ରକ୍ଷା ପାଇପାରିବେ ବୋଲି ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ବ୍ୟୋମକେଶ ରାୟ କହିଛନ୍ତି । ଏହି ପ୍ରକଳ୍ପଟି ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଥିବାରୁ, ଧାମନଗର ବ୍ଲକ ଚେୟାରମ୍ୟାନ ଅଶୋକ ନାୟକଙ୍କ ସମେତ ଧାମନଗର ବାସିନ୍ଦାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.