ମାତୃତ୍ଵ ଅବକାଶ ଉପରେ ସରକାରଙ୍କ ବଡ ଘୋଷଣା : କମ୍ପାନୀକୁ ୭ ସପ୍ତାହର ଦରମା ଦେବେ ସରକାର

Published By : Prameya-News7 Bureau | November 16, 2018 IST

ଦିଲ୍ଲୀ ୧୬/୧୧ : ମହିଳା କର୍ମଚାରୀଙ୍କ ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି | ମାତୃତ୍ଵ ଅବକାଶର ୭ ସପ୍ତାହର ଦରମା ସରକାର କମ୍ପାନୀକୁ ଫେରାଇଦେବେ | କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଗୁରୁବାର ଘୋଷଣା କରିଛନ୍ତି ଯେ, ମାସକୁ ୧୫ ହଜାରରୁ ଅଧିକ ଦରମା ପାଉଥିବା ମହିଳାମାନଙ୍କୁ ମିଳୁଥିବା ମାତୃତ୍ଵ ଅବକାଶର ୭ ସପ୍ତାହର ଦରମା ସରକାର ନିଯୁକ୍ତ କମ୍ପାନୀକୁ ଫେରେଇଦେବ | ମାତୃତ୍ଵ ଅବକାଶର ଅବଧି ସରକାର ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିବାପରେ ଗର୍ଭବତୀ ମହିଳାଙ୍କୁ କୌଣସି କମ୍ପାନୀ ଚାକିରୀ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ | ଏହା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି | ଆହୁରି ଦେଖିବାକୁ ମିଳିଥିଲା ଯେ, କିଛି କମ୍ପାନୀ ଗର୍ଭବତୀ ମହିଳାଙ୍କୁ ଚାକିରୀରୁ ମଧ୍ୟ ବାହାର କରିଦେଇଛି | ତେବେ ସରକାରଙ୍କ ଏହି ଘୋଷଣା ଉଭୟ ମହିଳା ଏବଂ କମ୍ପାନୀ ହିତରେ ରହିବ ବୋଲି ଆଶା କରାଯାଉଛି | ମହିଳା ଏବଂ ଶିଶୁ ବିକାଶ ବିଭାଗର ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଖରେ ଥିବା ଶ୍ରମିକ କଲ୍ୟାଣ ଯୋଜନାର ଟଙ୍କାର ଉପଯୋଗ ବହୁତ କମ ହେଉଛି | ଶ୍ରମ ମନ୍ତ୍ରାଳୟ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ୨୬ ସପ୍ତାହ ମଧ୍ୟରୁ ୭ ସପ୍ତାହର ଦରମା ନିଯୁକ୍ତ କମ୍ପାନୀକୁ ଦିଆଯିବ | ଶ୍ରୀବାସ୍ତବ କହିଛନ୍ତି ଯେ, ମାସିକ ୧୫ ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା ମହିଳାଙ୍କ ଅବକାଶ ପାଇଁ ସରକାରଙ୍କ ତରଫରୁ କମ୍ପାନୀକୁ ଦିଆଯିବ | ସୂଚନାଯୋଗ୍ୟ ଯେ, ଏହି ବର୍ଷ ସରକାର ମାତୃତ୍ଵ ଅବକାଶକୁ ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିଥିଲେ | ଶ୍ରୀବାସ୍ତବ କହିଛନ୍ତି ଯେ, ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବହୁତ କମ୍ପାନୀ ଗର୍ଭବତୀ ମହିଳାଙ୍କୁ ଚାକିରୀରୁ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା | ମାତୃତ୍ଵ ଅବକାଶର ସମୟସୀମା ବୃଦ୍ଧି ଯୋଗୁଁ କମ୍ପାନୀଗୁଡିକ ବିବାହିତା ମହିଳାଙ୍କୁ ଚାକିରୀ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.