ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ଶେଷ ହୋଇଗଲା ସରକାରୀ ଆମ୍ବୁଲାନ୍ସର ଅକ୍ସିଜେନ, ଅଧା ବାଟରେ ଚାଲିଗଲା ରୋଗୀଙ୍କ ଜୀବନ

Published By : Prameya-News7 Bureau | August 09, 2020 IST

ମାଧେପୁରା ୦୯/୦୮ : ସାରା ଦେଶକୁ କରୋନା ମହାମାରୀ କବଳିତ କରି ରଖିଛି | ବିହାର ସୁବେରେ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛି | କିନ୍ତୁ ପ୍ରଶାସନ ସୁବିଧାକୁ ଏଠାରେ ପ୍ରଶ୍ନ ଉଠିଛି | ବିହାର ମାଧେପୁରା ମେଡିକାଲ କଲେଜର ଏକ ମାମଲା ସାମ୍ନାକୁ ଆସିଛି | ଅଗଷ୍ଟ ୨ ତାରିଖରେ ଜିଲ୍ଲାର ନରପତଗଞ୍ଜ ବାସିନ୍ଦା ବଳଦେବ କରୋନା ସଂକ୍ରମିତ ହେବାପରେ ତାଙ୍କୁ ମାଧେପୁରା ଜେକେଟିଏମସିଏଚରେ ଭର୍ତ୍ତି କରାଯାଇଥିଲା | ତାଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡିଥିଲା |  

ପରିଜନ କହିଛନ୍ତି ଯେ, ପାଖାପାଖି ୧୫ ମିନିଟ ଭେଣ୍ଟିଲେଟରରେ ରଖିବା ପରେ ପ୍ଲଗ ଖରାପ ହୋଇଯାଇଥିଲା | କିନ୍ତୁ ଭଗବାନଙ୍କ କୃପାରୁ ଭେଣ୍ଟିଲେଟର ବିନା କେବଳ ଅକ୍ସିଜେନ ଦ୍ୱାରା ହିଁ ସେ କରୋନାକୁ ମାତ ଦେଇଥିଲେ | କିନ୍ତୁ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲେ | କରୋନା ଟେଷ୍ଟ ନେଗେଟିଭ ଆସିବା ପରେ ଚିକିତ୍ସକ ତାଙ୍କୁ ପାଟନା ସ୍ଥାନାନ୍ତର କରିବାକୁ କହିଥିଲେ | ମେଡିକାଲ କଲେଜ ଦ୍ୱାରା ଉପଲବ୍ଧ କରାଯାଇଥିବା ଲାଇଫ ସପୋର୍ଟ ଆମ୍ବୁଲାନ୍ସ ନେଇ ବଳଦେବଙ୍କ ନାତି ତାଙ୍କୁ ପାଟନା ନେବାକୁ ବାହାରିଲେ | ମାଧେପୁରାରୁ ଠିକ ୨୨ କିମି ଦୂରରେ ତ୍ରିବେଣୀଗଞ୍ଜ ନିକଟରେ ଆମ୍ବୁଲାନ୍ସର ଅକ୍ସିଜେନ ଶେଷ ହୋଇଗଲା |

ଅକ୍ସିଜେନ ପାଇଁ ତ୍ରିବେଣୀଗଞ୍ଜ ହସ୍ପିଟାଲ ଯାଉ ଯାଉ ପୀଡିତଙ୍କ ମୃତ୍ୟୁ ହୋଇଯାଇଥିଲା | ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଫେରାର ହୋଇଗଲା | ଫଳରେ ଶବ ୪ ଘଣ୍ଟା ଯାଏଁ ଆମ୍ବୁଲାନ୍ସରେ ପଡ଼ିରହିଲା | ଏହି ସମୟ ମଧ୍ୟରେ ମୃତକଙ୍କ ନାତି ଅନେକ ବରିଷ୍ଠ ଅଧିକାରୀଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ କିନ୍ତୁ ଅନେକ ଘଣ୍ଟା ଯାଏଁ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା | ବଳଦେବଙ୍କ ମୃତ୍ୟୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପୋଲ ଖୋଲି ଦେଇଛି | ବଳଦେବଙ୍କ ମୃତ୍ୟୁ ପରେ ତାଙ୍କ ନାତି ମେଡିକାଲ କଲେଜରେ କରୋନା ରୋଗୀଙ୍କ ଚିକିତ୍ସାରେ ହେଉଥିବା ଦାୟିତ୍ବହୀନତାକୁ ନେଇ ଅଭିଯୋଗ କରିଛନ୍ତି | ଏହି ମାମଲାର ହସ୍ପିଟାଲ କର୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.