ସୋମବାରଠୁ ଶସ୍ତାରେ ସୁନା ବିକିବେ କେନ୍ଦ୍ର ସରକାର, ଅନଲାଇନରେ କିଣିଲେ ମିଳିବ ଡିସକାଉଣ୍ଟ୍

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ, ୧୦/୦୭:   ଶସ୍ତାରେ ମିଳିବ ସୁନା । ଯଦି ଆପଣ କମ୍ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି ବା ନିବେଶ କରିବାକୁ ଚାହୁଁଛନ୍ତି ତେବେ ସୋମବାରଠୁ ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ । କାରଣ ସରକାର ଜୁଲାଇ ୧୨ରୁ ସୋଭରନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ବିକ୍ରି ଜୁଲାଇ ୧୬ ଯାଏଁ ଚାଲିବ ।

ଆରବିଆଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଏହି ସମୟରେ ପ୍ରତି ଗ୍ରାମ ସୁନାର ମୂଲ୍ୟ ରହିବ ୪୮୦୭ ଟଙ୍କା ।ଏହି ସ୍କିମ ଆରବିଆଇ ସରକାରଙ୍କ ତରଫରୁ ଜାରି କରିଥାଏ ।

ଅନଲାଇନରେ କିଣିଲେ ମିଳିବ ରିହାତି

ସୋଭରନ୍ ଗୋଲ୍ଡ ବଣ୍ଡ୍-୨୦୨୧-୨୨ର ଚତୁର୍ଥ କିସ୍ତି ସୋମବାରଠୁ ୫ ଦିନ ଯାଏଁ ଚାଲିବ । ଯଦି ଗୋଲ୍ଡ ବଣ୍ଡ୍ ପାଇଁ ଆପଣ ଅନଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ । ଅର୍ଥାତ ନିବେଶକ ୧ ଗ୍ରାମର ସୁନାକୁ ୪୭୫୭ ଟଙ୍କାରେ କିଣିପାରିବେ ।

କେଉଁଠୁ କିଣିପାରିବେ ସୁନା

ଗୋଲ୍ଡ ବଣ୍ଡ୍ ସମସ୍ତ ବ୍ୟାଙ୍କ୍, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଡାକଘର ଓ ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜରେ ଉପଲବ୍ଧ ହେବ । ଏହାକୁ ଏନଏସଇ ଓ ବିଏସଇ ମାଧ୍ୟମରେ ବିକ୍ରି କରାଯିବ । କିନ୍ତୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଓ ପେମେଣ୍ଟ ବ୍ୟାଙ୍କରେ ଏହା ଉପଲବ୍ଧ ହେବ ନାହିଁ ।

କେତେ ଟଙ୍କା କରିହେବ ନିବେଶ

ଜଣେ ବ୍ୟକ୍ତି ସର୍ବାଧିକ ୪ କେଜି ସୁନା କିଣିପାରିବେ । ଅତିକମରେ ୧ ଗ୍ରାମର ସୁନାରେ ନିବେଶ କରିହେବ । ଟ୍ରଷ୍ଟ୍ କିମ୍ବା ଅନ୍ୟ ସଂସ୍ଥା ୨୦ କେଜି ଯାଏଁ ସୁନା କିଣିପାରିବେ ।

କଣ ଏହି ସୋଭରନ ଗୋଲ୍ଡ ବଣ୍ଡ

ସୋଭରନ ଗୋଲ୍ଡ ବଣ୍ଡରେ ନିବେଶକୁ ଫିଜିକଲ ଭାବେ ସୁନା ମିଳିନଥାଏ। ଏହା ଫିଜିକାଲ ଗୋଲ୍ଡ ତୂଳନାରେ ଅଧିକ ସୁରକ୍ଷିତ। ସୁଦ୍ଧତା ମାମଲାରେ ଏହା ଇଲେକ୍ଟ୍ରୋନିକ ରୂପେ ଥିବା କାରଣରୁ ଏହାର ସୁଦ୍ଧତା ଉପରେ କୌଣସି ସନ୍ଦେହ କରାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.