କର୍ଣ୍ଣାଟକ ନାଟକର ଆଜି କ୍ଲାଇମାକ୍ସ : ୧୩ମାସର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଆସ୍ଥା ଭୋଟ ଜିତିବ କି ହାରିବ ସେନେଇ ହଟିନି ସସ୍ପପେନ୍ସ

Published By : Prameya-News7 Bureau | July 18, 2019 IST

ବେଙ୍ଗାଳୁରୁ୧୮|୭: କର୍ଣ୍ଣାଟକ ରାଜନୈତିକ ଅସ୍ଥିରତାର ଆଜି ଶେଷ ପର୍ଯ୍ୟାୟ । ବିଧାନସଭାରେ ଆସ୍ଥା ଭୋଟ ଉପରେ ଚାଲିଛି ବିତର୍କ ।  ଆସ୍ଥା ଭୋଟ ପ୍ରକ୍ରିୟାକୁ ଆଜି  ସାରିବାପାଇଁ ବାଚସ୍ପତିଙ୍କୁ ବିଜେପି ନେତା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଅନୁରୋଧ କରିଥିବାବେଳେ  ବିଧାୟକଙ୍କୁ ହ୍ବିପ୍ ଜାରି କରିବାନେଇ ସ୍ପଷ୍ଟୀକରଣ ଲୋଡିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ।

କର୍ଣ୍ଣାଟକ ନାଟକର ଆଜି କ୍ଲାଇମାକ୍ସ। ୧୩ମାସର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଆସ୍ଥା ଭୋଟ ଜିତିବ କି ହାରିବ ସେନେଇ ହଟିନି ସସ୍ପପେନ୍ସ । ବିଧାନସଭାରେ ଆସ୍ଥା ଭୋଟ ଉପରେ ଚାଲିଛି ବିତର୍କ । କଂଗ୍ରେସର ୧୩ ଏବଂ ଜେଡିଏସର ୩ ବିଧାୟକ ଇସ୍ତଫା ଦେବାପରେ ସଙ୍କଟରେ ମେଣ୍ଟ ସରକାର। ୧୬ ବିଧାୟକଙ୍କ ଇସ୍ତଫା ପରେ ମେଣ୍ଟ ସରକାରର ବିଧାୟକଙ୍କ ସଂଖ୍ୟା ୧୧୭ରୁ ୧୦୧କୁ ଖସି ଯାଇଛି। ସେପଟେ ବିଜେପି ପାଖରେ ରହିଛି ୧୦୫ ବିଧାୟକଙ୍କ ସମର୍ଥନ।

ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଆଜି ବିଧାନସଭାରେ ମେଣ୍ଟ ସରାକାର ପାଇଁ ଆସ୍ଥା ଭୋଟ ଲୋଡିବା ପରେ ଆରମ୍ଭ ହୋଇଥିଲା ବିତର୍କ। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବିଧାନସଭାରେ ଚାଲିଥିଲା ଘମାଘୋଟ ବିତର୍କ । ଗୃହରେ  ବିତର୍କ ଚାଲିଥିବାବେଳେ ଆସ୍ଥାଭୋଟ ପ୍ରକ୍ରିୟାକୁ ଆଜି ସାରିବା ପାଇଁ ବାଚସ୍ପତି କେ. ଆର. ରମେଶ କୁମାରଙ୍କୁ  ଅନୁରୋଧ କରିଛନ୍ତି ବିଜେପି ନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା।

ଏପଟେ ଆସ୍ଥାଭୋଟ ପୂର୍ବରୁ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ  ହ୍ବିପ ଜାରି କରାଯାଇପାରିବ କି ନାହିଁ ସେନେଇ ବାଚସ୍ପତିଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା। ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ  ବିଧାୟକଙ୍କୁ ହ୍ବିପ ଜାରି କରିବା ଦଳର ଅଧିକାର ଅଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ  ବିଦ୍ରୋହି ବିଧାୟକଙ୍କୁ ଆସ୍ଥା ଭୋଟ ପାଇଁ ବାଧ୍ୟ ରଖାଯାଇପାରିବନି ।

ସେପଟେ ବିଦ୍ରୋହି ବିଧାୟକଙ୍କୁ ହ୍ବିପ୍ ଜାରି କରାଯିବା ପ୍ରସଙ୍ଗରେ ଆଇନ ବିଶେଷଜ୍ଞଙ୍କ  ପରାମର୍ଶ ଲୋଡିଛନ୍ତି ବାଚସ୍ପତି କେ.ଆର.ରମେଶ କୁମାର। ଯଦି ବିଦ୍ରୋହୀ ବିଧାୟକକୁ ଦଳ ପକ୍ଷରୁ ହ୍ବିପ୍ ଜାରି କରାଯାଏ ତେବେ ଏହା ବୈଧ ହେବ ନା ନାହିଁ ସେନେଇ ସେ ରାଜ୍ୟର ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ଲୋଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.