ସିଏଏ ଲାଗୁ ପାଇଁ ଆଉ ଅଧିକ ୬ ମାସ ସମୟ ମାଗିଲେ ଗୃହ ମନ୍ତ୍ରାଳୟ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୭: ଗୃହ ମନ୍ତ୍ରାଳୟ ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ନିୟମ ଆଣିବାକୁ ଆହୁରି ୬ ମାସ ସମୟ ମାଗିଛି । ମନ୍ତ୍ରାଳୟ ପକ୍ଷରୁ ଏନେଇ ମଙ୍ଗଳବାର ସଂସଦରେ କୁହାଯାଇଛି । ଉଭୟ ଗୃହରେ ମନ୍ତ୍ରାଳୟ ୯ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ସମୟ ମାଗିଥିବା ଜଣାପଡ଼ିଛି । ସିଏଏ ଜରିଆରେ ପାକିସ୍ତାନ ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁ ଏବଂ ଉତ୍ପୀଡନର ଶିକାର ହିନ୍ଦୁ, ପାର୍ସି, ଜୈନ, ଖ୍ରୀଷ୍ଟିଆନ୍‌ ଏବଂ ବୌଦ୍ଧ ସମ୍ପ୍ରଦାୟର ବ୍ୟକ୍ତି ଭାରତର ନାଗରିକତା ଗ୍ରହଣ କରିପାରିବେ ।

ଏନେଇ ସଂସଦରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପଚାରିଥିଲେ ଯେ, ସିଏଏ ନିୟମର ଅଧିସୂଚନା ଜାରି କରିବାର ଅନ୍ତିମ ତାରିଖ ଧାର୍ଯ୍ୟ ହୋଇଛି କି ନାହିଁ। ଏନେଇ କାରଣ ମଧ୍ୟ ସେ ପଚାରିଥିଲେ। ଏହା ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ସିଏଏକୁ ୧୨ ଡିସେମ୍ବର ୨୦୧୯ ନୋଟିଫାଏ କରାଯାଇଥିଲା ଏବଂ ୧୦ ଜାନୁଆରୀ ୨୦୨୦ରେ ପ୍ରଭାବକୁ ଆସିଥିଲା । ଏହା ସହ ନାଗରିକତା ସଂଶୋଧନ ଆଇନ୍, ୨୦୧୯ର ନିୟମକୁ ଧାର୍ଯ୍ୟ କରିବା ପାଇଁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସମିତିରେ ୯ ଜାନୁଆରୀ ୨୦୨୨ ଯାଏ ସମୟ ମଗାଯାଇଛି ।

ତେବେ ଏହି ଆଇନ୍‌ ଉପରେ ୧୨ ଡିସେମ୍ବର ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହମତି ପ୍ରକାଶ କରିଥିଲେ। ସିଏଏ ଆସିବା ପରେ ଏହାକୁ ବହୁ ସଂଖ୍ୟକ ଲୋକେ ବିରୋଧ କରିଥିଲେ। ତିନି ଦେଶରୁ ଧାର୍ମିକ ଉତ୍ପୀଡନ ଯୋଗୁ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ହିନ୍ଦୁ, ପାର୍ସି, ଶିଖ, ଖ୍ରୀଷ୍ଟିଆନ୍‌, ଜୈନ ଏବଂ ବୌଦ୍ଧଙ୍କ ସମୁଦାୟର ଲୋକଙ୍କୁ ଅବୈଧ ବୋଲି ଗ୍ରହଣ କରାଯିବ ନାହିଁ। ଏହା ସହ ସମୋନଙ୍କୁ ଭାରତୀୟ ନାଗରିକତା ଦିଆଯିବ। ଯଦି ସେମାନଙ୍କ ପାଖରେ ମାତା-ପିତାଙ୍କ ଜନ୍ମସ୍ଥାନ ପ୍ରମାଣ ପତ୍ର ନଥିବ ତେବେ ସେମାନେ ଭାରତରେ ୬ ବର୍ଷ ରହିବା ପରେ ନାଗରିତା ପାଇଁ ଆବେଦନ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.