ବାଟବଣା ସରକାରୀ ଯୋଜନା : ଅସହାୟଙ୍କ ପାଖରେ ପହଞ୍ଚିପାରୁନି ଯୋଜନା

Published By : Prameya-News7 Bureau | September 02, 2018 IST

କଟକ ୨|୯: ସରକାରଙ୍କ ଯୋଜନା ମହତ୍ । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟ । ଯାହାର ପ୍ରମାଣ ହେଉଛନ୍ତି, କଟକ ସଦର ବ୍ଲକ୍ ଆମଣ ପଞ୍ଚାୟତ ବାଘଧରାକୁଦ ଗାଁର ପକ୍ଷାଘାତରେ ପିଡ଼ୀତ ରାଜେନ୍ଦ୍ର ନନ୍ଦ ଏବଂ ତାଙ୍କ କ୍ୟାନ୍ସର ପିଡ଼ୀତା ପତ୍ନୀ ଭାଗ୍ୟଲକ୍ଷ୍ମୀ । ବୟସର ଅପରାହ୍ଣରେ ରୋଗଗ୍ରସ୍ତ ସ୍ବାମୀ ସ୍ତ୍ରୀ ଙ୍କ ଅବସ୍ଥା ଦେଖିଲେ ଯେ କେହି ବି ଏହା ହିଁ କହିବ । ଘରେ ଯାହା ସମ୍ବଳ ଥିଲା ଚିକିତ୍ସା ପାଇଁ ସବୁ ବିକି ସାରିଦେଇଛନ୍ତି । ପାଖରେ ଆଉ କାଣି କଉଡ଼ିଟିଏ ବି ନାହିଁ । ନିଜ ଭାଗ୍ୟକୁ ଆଦରି ଭଙ୍ଗାଘର ବଖରାକରେ ପଡ଼ି ରହିଛନ୍ତି ସ୍ବାମୀ ସ୍ତ୍ରୀ । ଖଣ୍ଡିଆ ଜରି ଖଣ୍ଡେ ଖଣ୍ଡେ ପକାଇ ମୁଣ୍ଡ ଉପରେ ଥିବା ଛାତର ଫାଙ୍କକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି, ହେଲେ ଏ ଅମାନିଆ ବର୍ଷା କିନ୍ତୁ ଦାଉ ସାଧିବାରେ ବ୍ୟସ୍ତ । କାହାକୁ କହିବେ କିଏ ବୁଝିବ ତାଙ୍କ ଦୁଃଖ ? ରାଜଧାନୀ ଭୁବନେଶ୍ବରରୁ ମାତ୍ର ୧୨ କିଲୋମିଟର ଦୂର ଏଇ ବାଘଧରାକୁଦ ଗାଁ । ହେଲେ ଏହି ଅଂଚଳରେ ସରପଞ୍ଚ , ବ୍ଲକରେ ବିଡିଓ, ତହସିଲଦାର, ବିଧାୟକ, ଜିଲ୍ଲାପାଳ କାହାରି ଆଖିକୁ କେମିତି ଏଇ ବାଘଧରାକୁଦ ଗାଁର ରାଜେନ୍ଦ୍ର ନନ୍ଦ ଏବଂ ତାଙ୍କ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କ କଷ୍ଟ ଦେଖାଯାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.