ଅଟୋ ଏବଂ ଟେଲିକମ୍‌ ସେକ୍ଟର ପାଇଁ ଟ୍ରେଜେରୀ ଖୋଲିଦେଲେ ସରକାର, ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯: କରୋନା ମହାମାରୀ ଯୋଗୁଁ କ୍ଷତି ସହିଥିବା ଅଟୋ ଇଣ୍ଡଷ୍ଟ୍ରିକୁ ବଡ଼ ଆଶ୍ବସ୍ତି ମିଳିଛି। ମୋଦୀଙ୍କ କ୍ୟାବିନେଟରେ ଅଟୋମୋବାଇଲ୍‌ ସେକ୍ଟର ପାଇଁ ପ୍ରଡକ୍ସନ ଲିଙ୍କଡ୍‌ ଇନସେଣ୍ଟିଭ୍‌ ଯୋଜାନକୁ ମଞ୍ଚୁରି ମିଳିଛି। ଏହି ସ୍କିମ୍‌ରେ ଅଟୋ କମ୍ପୋନେଣ୍ଟ ଏବଂ ଡ୍ରୋନ୍‌ ସେକ୍ଟର ମଧ୍ୟ ସାମିଲ ରହିଛି। ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ରହିବ। ଏହା ଦ୍ବାରା ଅଟୋମୋବାଇଲ୍‌ ସେକ୍ଟରରେ ନିବେଶ ବଢ଼ିବ ବୋଲି ସରକାର ଆଶ ପ୍ରକାଶ କରିଥିବା ବେଳେ ଆମଦାନୀ କମିବ ବୋଲି କହିଛନ୍ତି।

କ୍ୟାବନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର ସରକାର ଅଟୋ ସେକ୍ଟର ପାଇଁ ୨୫,୯୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ବାରା ୭.୬୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି। ଏହି ସ୍କିମ୍‌ ଜରିଆରେ ବିଦେଶରୁ ଆମଦାନୀ କମିବ ଏବଂ ଦେଶରେ ଅଟୋ ପାର୍ଟସ ନିର୍ମାଣ ଜୋରଦାର ହୋଇପାରିବ ବୋଲି ସେ କହିଛନ୍ତି। ଏହା ସହ ଅନୁରାଗ ଠାକୁର ଆହୁରି କହିଛନ୍ତି, ଜଣାଶୁଣା ଅଟୋ କମ୍ପାନୀଙ୍କୁ ଅତିମ୍‌ରେ ୨ ହଜାର କୋଟି ଟଙ୍କା ନିବେଶ କରିବାକୁ ହେବ।  ନୂଆ କମ୍ପାନୀ ୫୦୦ କୋଟି ଟଙ୍କା ନିବେଶ କରିବେ ।

ଟେଲିକମ୍‌କୁ କଣ ମିଳିଲା

ଟେଲିକମ୍‌ କମ୍ପାନୀ ପାଇଁ ମଧ୍ୟ ରିଲିଫ ପ୍ୟାକେଜ୍‌ ଘୋଷଣା କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଟେଲିକମ୍‌ ସେକ୍ଟରରେ ୯ଟି ବଡ଼  ଗଠନମୂଳ ସଂସ୍କାର କରାଯାଇଛି। ସମୋଚିତ ସକଳ ରାଜସ୍ବ (ଏଜିଆର) ବକେୟା ପରିଭାଷାରେ ପରିବର୍ତ୍ତନ କରାଯିବ। ଟେଲିକମ୍‌ କମ୍ପାନୀର ଦାବି ଉପରେ ସରକାର ଚିନ୍ତା କରୁଛନ୍ତି।

ଏହି ସବୁ କମ୍ପାନୀର ମାସିକ ସୁଧ ହାରକୁ ବାର୍ଷିକ ସୁଧ ହାରରେ ପରିଣତ କରାଯାଇଛି ବୋଲି ସେ କହିଛନ୍ତି। ଏହା ସହ ଜରିମାନକୁ ନେଇ ଟେଲିକମ୍‌ କମ୍ପନୀକୁ ଆଶ୍ବସ୍ତି ଦିଆଯାଇଛି। ଟେଲିକମ୍‌ ଅପରେଟର୍ସ ବକେୟାକୁ ନେଇ ମୋରାଟୋରିୟମ ନେଇପାରିବେ। ଏହାକୁ ୪ ବର୍ଷ ପାଇଁ ଦିଆଯାଇଥିବା ଜଣାପଡ଼ିଛି। ଏହି ଏଜିଆର ପାଇଁ ଭୋଡାଫୋନ୍‌ ଆଇଡିଆ ଏବଂ ଏୟାରଟେଲ ଉପରେ ଆର୍ଥିକ ବୋଝ ବଢ଼ିଛି। ଏନେଇ ସରକାରଙ୍କ ପକ୍ଷରୁ ଆଶ୍ବସ୍ତି ମିଳିବା ପରେ ଭୋଡାଫୋନ୍‌-ଆଇଡିଆ ଶେୟାରରେ ଗତି ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.