କରୋନା ମୁକାବିଲା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର
21/04/2020 at 1:17 PM

ଭୁବନେଶ୍ୱର ୨୧।୦୪: ମାନବ ଜାତି ସବୁଠୁ ବଡ଼ ବିପର୍ଯ୍ୟୟର ସାମ୍ନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ସୁସ୍ଥ ଭାରତ ଏବଂ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଭାରତ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ କୋଭିଡ-୧୯ର ପ୍ରତିକୂଳ ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୋମବାର ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୫ଟି ଜିଲ୍ଲାରେ ନୂଆ କୋଭିଡ ହସ୍ପିଟାଲର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟର ଅନୁଗୁଳ ଜିଲ୍ଲା ତାଳଚେରର ଏମ୍ସିଏଲ୍ ମେଡିକାଲ କଲେଜ, ବରଗଡ଼ର ଏମ୍ସିଏଚ୍ ବିଲ୍ଡିଂ ଏବଂ ପଲିଟେକ୍ନିକ କଲେଜ, ନବରଙ୍ଗପୁରର ବିଇଡି କଲେଜ, ସୁନ୍ଦରଗଡ଼ର ଏନ୍ଟିପିସି ମେଡିକାଲ କଲେଜ ଏବଂ ଜଗତସିଂହପୁର ଜିଲ୍ଲାର ପାରାଦୀପସ୍ଥିତ ବିଜୁ ଯାତ୍ରୀ ନିବାସଠାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲର ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟିତ କୋଭିଡ-୧୯ ହସ୍ପିଟାଲ ଦ୍ୱାରା କରୋନା ମହାମାରୀ ବିରୋଧରେ ଓଡ଼ିଶାର ଲଢ଼େଇ ଆହୁରି ମଜବୁତ ହେବ ।
ଶ୍ରୀ ପ୍ରଧାନ ଏହି କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଏକ ସୁସ୍ଥ ଓଡ଼ିଶା ଗଠନ ନିମନ୍ତେ ନିରନ୍ତର ସହଯୋଗ ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଓସିଏଲ୍, ଏମ୍ସିଏଲ୍, ନାଲ୍କୋ, ଏନ୍ଟିପିସି ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ କଠିନ ସମୟରେ ଏହି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କେବଳ ଭାରତକୁ ସଶକ୍ତ କରୁନାହାନ୍ତି ବରଂ ସେମାନେ ସମ୍ଭାବ୍ୟ ଉପାୟରେ କୋଭିଡ୍-୧୯ ବିରୋଧରେ ଲଢ଼େଇ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାସହିତ ରୋଗୀଙ୍କଠାରେ କରୋନା ଭାଇରସକୁ ଶୀଘ୍ର ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ବିଶେଷ ଭାବେ ଆଇସିଏମ୍ଆର୍-ଆର୍ଏମ୍ଆର୍ସି, ଆଇଏଲ୍ଏସ୍, ଭୁବନେଶ୍ୱର ଏମ୍ସ ଏବଂ ସେଲ୍ର ଆଇଜିଏଚ୍ ହସ୍ପିଟାଲ ପରିଚାଳନା ଏବଂ ଉଦ୍ୟମକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସାମାଜିକ ଦାୟିତ୍ୱ ମନୋଭାବ ରଖି କରୋନା ମହାମାରୀକୁ ହରାଇବାକୁ ଅନେକ ପଦକ୍ଷେପ ନେଉଥିବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର, ନାଗରିକ ଏବଂ କରୋନା ଯୋଦ୍ଧାଙ୍କର ସାମୂହିକ ସଂକଳ୍ପ ଓଡ଼ିଶା ଏବଂ ଭାରତକୁ ଏହି ଅଦୃଶ୍ୟ ଶତ୍ରୁ ବିରୋଧୀ ଲଢ଼େଇରେ ବିଜୟ ଦ୍ୱାରରେ ପହଞ୍ଚାଇବ । ଓଡ଼ିଶାବାସୀ ମହାବାତ୍ୟା ଏବଂ ବଡ଼ ବଡ଼ ରୋଗ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ି ତାକୁ ପ୍ରତିହତ କରିଛନ୍ତି । ଆମେ ସମସ୍ତେ ଏକାଠି ଅଛୁ, ଆମେ ଏହି ସଙ୍କଟକୁ ସାମ୍ନା କରିବୁ, ଦୂର କରିବୁ ଏବଂ ବିଜୟୀ ହେବୁ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାବାସୀଙ୍କୁ ଲକ୍ଡାଉନ୍ ଗାଇଡ୍ଲାଇନ ପାଳନ କରିବା ତଥା ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ନିୟମିତ ବ୍ୟବଧାନରେ ହାତକୁ ଭଲ ଭାବେ ସଫା କରିବାକୁ ଆହ୍ୱାନ କରିଛନ୍ତି ।
ସୁସ୍ଥ ଓଡ଼ିଶା ଗଠନ ପାଇଁ ନିରନ୍ତର ଉଦ୍ୟମ ନିମନ୍ତେ ଶ୍ରୀ ପ୍ରଧାନ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ୟାବିନେଟ ସହକର୍ମୀ ତଥା କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଆର୍.କେ. ସିଂହ ଏବଂ ମନସୁଖ ମାଣ୍ଡଭିଆଙ୍କୁ କୃତଜ୍ଞତା ଜଣାଇବା ସହ ଏକାଠି ହୋଇ ଏହି ମହାମାରୀ ପ୍ରତିହତ କରିପାରିବା ବୋଲି କହିଛନ୍ତି ।