କରୋନା ଲାଗି ଘୋଷଣା ହେଲା ୧.୭୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍, ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମିଳିବ ସୁବିଧା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୩: ଦେଶରେ କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ଗୁରୁବାର ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।  ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଲକ୍ ଡାଉନ୍ ଦ୍ୱାରା ପ୍ରଭାବିତ ୮୦ କୋଟି ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ପ୍ୟାକେଜ୍‌ରେ ରହିଛି କ'ଣ।

କରୋନା ସଂକ୍ରମଣ ଯୋଗୁ ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତେବେ ଏଥିଯୋଗୁ ଯେପରି କୌଣସି ଗରିବ ପ୍ରଭାବିତ ନ ହୁଅନ୍ତି ସେଥି ଲାଗି ପ୍ୟାକେଜ୍‌ରେ ଯୋଜନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଏହା ସୁନିଶ୍ଚିତ କରିବ ଯେପରି ପ୍ରତିବ୍ୟକ୍ତି ଖାଦ୍ୟ ମିଳିପାରିବ। ଯୋଜନାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଅତିରିକ୍ତ ଗହମ ଓ ଚାଉଳ ପ୍ରଦାନ କରାଯିବା ସହ ଡାଲି ବି ମିଳିବ ବୋଲି କହିଛନ୍ତି। ଏହାର ଲାଭ ଦେଶର ୮୦ କୋଟି ଲୋକଙ୍କୁ ମିଳିବ।

ସେହିପରି ଏପ୍ରିଲ ପ୍ରଥମ ସପ୍ତାହରେ ଚାଷୀଙ୍କ ଲାଗି ସେମାନଙ୍କ ବ୍ୟାଙ୍କ ଖାତାରେ ୨ହଜାର ଟଙ୍କା ପକାଇ ଦିଆଯିବ। ଦେଶର ୮ କୋଟି ୭୦ ଲକ୍ଷ ଚାଷୀ ଏହାର ଲାଭ ପାଇପାରିବେ। କେବଳ ଗରିବ ଓ ଚାଷୀ ନୁହନ୍ତି ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ମଧ୍ୟ କେନ୍ଦ୍ର ସରକାର ପ୍ୟାକେଜରେ ସାମିଲ କରିଛନ୍ତି। ଏପରି ଲୋକଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହା ଆଗାମୀ ୩ ମାସ ପର୍ଯ୍ୟନ୍ତ ମିଳିବାକୁ ଥିବା ବେଳେ ସରକାର ୨ଟି କିସ୍ତିରେ ଏହି ଅର୍ଥ ପ୍ରଦାନ କରାଯିବ। ସରକାରଙ୍କ ନିଷ୍ପତ୍ତି ଯୋଗୁ ୩କୋଟି ଲୋକ ଲାଭାନ୍ୱିତ ହେବେ।

ମନରେଗା ଶ୍ରମିକଙ୍କ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କା କରିଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯିବ। ଏହା ଛଡା ମହିଳା ଜନଧନ ଖାତାଧାରୀଙ୍କୁ ୩ ମାସ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟରେ ମାସିକ ୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି। ଏହା ଛଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନର ବ୍ୟବସ୍ଥା କରାଯିବ। ଦିନଦୟାଲ ଯୋଜନାରେ ଏହି ସୁବିଧା ମିଳିବ।

ସଙ୍ଗଠିତ କ୍ଷେତ୍ର ଲାଗି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିରେ ଆଗାମୀ ୩ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫରେ ସରକାର ଯୋଗଦାନ ଦେବେ। ଏପର୍ଯ୍ୟନ୍ତ ଇପିଏଫ୍ ଲାଗି କର୍ମଚାରୀ ତାଙ୍କ ବେତନରୁ ୧୨ ପ୍ରତିଶତ ଦେଉଥିବା ବେଳେ ତାଙ୍କ କମ୍ପାନୀ ୧୨ ପ୍ରତିଶତ ପ୍ରଦାନ କରୁଥିଲେ। ତେବେ ସରକାର ୩ ମାସ ପର୍ଯ୍ୟନ୍ତ ଉଭୟ କର୍ମଚାରୀ ଓ କମ୍ପାନୀର ୨୪ ପ୍ରତିଶତ ପ୍ରଦାନ କରିବେ। ତେବେ ଏହି ସୁବିଧା କେବଳ ସେହି କମ୍ପାନୀର କର୍ମଚାରୀଙ୍କୁ ମିଳିବ ଯେଉଁ କମ୍ପାନୀରେ ୧୦୦ ଜଣ କର୍ମଚାରୀ ଥିବେ ଓ ୯୦ ପ୍ରତିଶତ କର୍ମଚାରୀଙ୍କ ବେତନ ୧୫ ହଜାରରୁ କମ୍ ଥିବ।

ସେହିପରି ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ମିନେରାଲ ଫଣ୍ଡର ବ୍ୟବହାର କରି ମେଡିକାଲ ସ୍କ୍ରିନି, ଟେଷ୍ଟିଂ ଓ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରନ୍ତୁ। ଯେପରି ଦେଶରେ ଭୂତାଣୁର ସଂକ୍ରାମଣ ହୋଇ ନ ପାରେ। ଦେଶରେ କରୋନା ବିରୋଧରେ ଯେଉଁମାନେ ସଂଗ୍ରାମ କରୁଛନ୍ତି, ଚିକିତ୍ସା କ୍ଷେତ୍ର ସହ ସମ୍ପୃକ୍ତ ସମସ୍ତଙ୍କୁ ୫୦ଲକ୍ଷ ଟଙ୍କାର ବୀମା ଲାଭ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ସ୍ୱାସ୍ଥ୍ୟ ସେବା ସହ ଜଡିତ ୨୦ ଲକ୍ଷ କର୍ମଚାରୀ ଲାଭବାନ ହେବେ ବୋଲି ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.