ଲଦାଖରେ ସହିଦଙ୍କ ଉପରେ ଅବୈସୀ କହିଲେ- ପ୍ରତିଶୋଧ ନେଉ ସରକାର, ବ୍ୟର୍ଥ ନଯାଉ ବଳିଦାନ

Published By : Prameya-News7 Bureau | June 16, 2020 IST

ହାଇଦ୍ରାବାଦ ୧୬।୦୬: ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଜାରି ବିବାଦ ବଢିବାରେ ଲାଗିଛି। ଗଲଓ୍ଵାନ ଘାଟିରେ ସୋମବାର ରାତି ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏଥିରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଅବୈସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କହିଛନ୍ତି,  ସରକାର ଏହାର ପ୍ରତିଶୋଧ ନିଅନ୍ତୁ ଏବଂ ସହିଦଙ୍କ ବଳିଦାନ ବ୍ୟର୍ଥ ନଯାଉ। ଅବୈସୀଙ୍କ ବ୍ୟତୀତ ସମସ୍ତ ବିରୋଧୀ ପାର୍ଟି ଏହି ଘଟଣାର ନିନ୍ଦା କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେଦାହୁଲ ମୁସଲିମିନ(AIMIM)ର ପ୍ରମୁଖ ଅସଦୁଦ୍ଦିନ ଅବୈସୀ ଟ୍ଵିଟ୍ କରି କହିଛନ୍ତି, ଆଜି ଗଲଓ୍ଵାନ ଘାଟିରେ ଚୀନ ଯେଉଁ ତିନି ବାହାଦୂର ଯବାନଙ୍କୁ ମାରିଛି, ଭାରତ ସେମାନଙ୍କ ସହିତ ଛିଡା ହୋଇ ରହିଛି। ମୁଁ କର୍ଣ୍ଣେଲ ଓ ଦୁଇ ବୀର ସିପାହୀଙ୍କ ପରିବାର ଲାଗି ପ୍ରାର୍ଥନା କରୁଛି। ସରକାର ଏହି ହତ୍ୟାକାରୀଙ୍କ ପ୍ରତିଶୋଧ ନେବା ଉଚିତ୍ ଓ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ, ଏହି ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।

ଅନ୍ୟପଟେ ଲଦାଖରେ ଯବାନଙ୍କ ବଳିଦାନ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଟ୍ଵିଟ୍ କରି କହିଛନ୍ତି, ଭାରତ ସରକାରଙ୍କୁ ଏବେ କଠୋର ଆଭିମୁଖ୍ୟ ଦେଖାଇବାର ସମୟ ଆସି ଯାଇଛି। ଆମ ପକ୍ଷରୁ ଦୁର୍ବଳତାର ଗୋଟିଏ ବି ସଙ୍କେତ ଚୀନକୁ ଆକ୍ରମଣାତ୍ମକ କରି ଦେବ। ପୂରା ଦେଶ ସହିତ ମୁଁ ମଧ୍ୟ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି। ଦେଶ ଆପଣଙ୍କ ଶୋକରେ ଆପଣଙ୍କ ସହିତ ଛିଡା ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.