ମହାମାରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ରେ ସରକାର ଲାଗୁ କରିପାରନ୍ତି Covid ସରଚାର୍ଜ

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ ୩।୧: ଆଉ ମାତ୍ର ମାସକରୁ କମ୍‌ ସମୟରେ ଆସିଯିବ ଦେଶର ବାର୍ଷିକ ବଜେଟ୍‌। ଗତବର୍ଷ କୋଭିଡ-୧୯ ମହାମାରୀ ଓ ତତ୍‌ଜନିତ ଲକଡାଉନ୍‌ କାରଣରୁ ଶେଷରେ ବଜେଟ୍‌ ପ୍ରତ୍ୟାହୃତ ହୋଇଥିଲା। ଏଣୁ ସମସ୍ତଙ୍କ ନଜର ଏବେ ଆଗାମୀ ବଜେଟ୍‌ ଉପରେ ଥିବା ବେଳେ ଏଥର ବଜେଟ୍‌ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସରକାର ପୂର୍ବରୁ ସୂଚିତ କରିସାରିଛନ୍ତି। ଏଥରକ ବଜେଟ୍ ‘ଆତ୍ମ ନିର୍ଭର’ ଭାରତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି। ଏଣୁ ଆର୍ଥିକ ବିଷାରଦମାନେ ୨୦୨୧-୨୨ ବଜେଟ୍‌କୁ ନେଇ ଅନେକ ଆକଳନ କରୁଛନ୍ତି। ଯେଉଁଥିରେ ସରକାର ପ୍ରଥମ ଥର କୋଭିଡ ସରଚାର୍ଜ ଲଗୁ କରିପାରନ୍ତି ବୋଲି ମଧ୍ୟ ଅନୁମାନ କରୁଛନ୍ତି।

ଲାଗିବ କରୋନା ସରଚାର୍ଜ
ସେମକୋ ଗ୍ରୁପର ରିସର୍ଚ୍ଚ ହେଡ୍‌ ଉମେଶ ମେହେଟା ସରକାର ରାଜସ୍ୱ କ୍ଷତି ଓ ଦେଶରେ କରୋନା ଟିକାକରଣ ଲାଗି ହେବାକୁ ଥିବା ଖର୍ଚ୍ଚ ଭରଣା ନିମନ୍ତେ କୋଭିଡ ସରଚାର୍ଜ ଲାଗୁ କରିପାରନ୍ତି ବୋଲି ଆକଳନ କରିଛନ୍ତି। କାରଣ ସରକାରଙ୍କୁ ପାଣ୍ଠିର ଜରୁରି ଆବଶ୍ୟକତା ରହିଛି ଓ ଏଥିପାଇଁ ଡିସଇନଭେଷ୍ଟ ଜରିଆରେ ପାଣ୍ଠି ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ଟିକାକରଣ ଖର୍ଚ୍ଚ ଭରଣା ଲାଗି ସରକାର ବଜେଟ୍‌ରେ ଏଥିଲାଗି ପଦକ୍ଷେପ ନେଇ ପାରନ୍ତି ବୋଲି କହିଛନ୍ତି।

ଟ୍ୟାକ୍ସ ସ୍ଲାବରେ ହୋଇପାରେ ପରିବର୍ତ୍ତନ
ଗତ ଡିସେମ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଭେଣ୍ଟକୁ ସମ୍ବୋଧିତ କରିବା ବେଳେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବାକୁ ସମର୍ଥ ବୋଲି ଘୋଷଣା କରିଥିଲେ। ଏହାର ଅର୍ଥ ସରକାର ବଜେଟ୍‌ରେ କୋଭିଡ ଯୋଗୁ ଖର୍ଚ୍ଚକାଟ କରିବା ବଦଳେ ବୃଦ୍ଧି କରିପାରନ୍ତି। ଏଥିରେ ସରକାର ଡିମାଣ୍ଡ ବୃଦ୍ଧି ଲାଗି କ୍ଷୁଦ୍ର କରଦାତାଙ୍କୁ ଆର୍ଥିକ ରୂପେ ମଜଭୁତ କରିବାକୁ ଉଦ୍ୟମ କରିବେ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ସରକାର ଟ୍ୟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ କରିବାର ପୂର୍ବାନୁମାନ କରାଯାଉଛି।

ଆତ୍ମନିର୍ଭର ଭାରତ ଉପରେ ରହିବ ଫୋକସ
ଏଥର ବଜେଟ୍‌ରେ ସରକାର ଆତ୍ମନିର୍ଭର ଭାରତ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରିତ କରିବେ। ଏଥିଲାଗି ଗତବର୍ଷରୁ ସରକାର ପ୍ରଡକ୍ସନ ଲିକ୍ୱିଡ  ଇନସେଣ୍ଟିଭ (ପିଏଲଆଇ) ଯୋଜନାରେ ପ୍ରମୁଖ ୧୦ଟି ସେକ୍ଟର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଫାର୍ମା, ଟେଲିକମ, ଅଟୋମୋବାଇଲ, ଅଟୋ କମ୍ପୋନେଣ୍ଟ, ଟେକ୍ସଟାଇଲ ଓ ଫୁଡ ପ୍ରଟକ୍ଟସ ଆଦି କ୍ଷେତ୍ରକୁ ସରକାର ଆଗାମୀ ୫ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଏହି ସବୁ କ୍ଷେତ୍ରରେ ନବ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ମେନଫେକ୍ଚରିଂ କ୍ଷେତ୍ରର ପରିସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ସରକାର ଆଶା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.