ସୀମାପାର କଲା ଦାୟିତ୍ବହୀନତା : ସରକାରୀ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କୁ ଦିଆଗଲା ଏଚଆଇଭି ସଂକ୍ରମିତ ଇଞ୍ଜେକସନ୍

Published By : Prameya-News7 Bureau | December 26, 2018 IST

ଚେନ୍ନାଇ ୨୬/୧୨: ତାମିଲନାଡ଼ୁର ଜଣେ ୨୪ବର୍ଷ ବୟସ୍କା ମହିଳା ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ବିରଧୁନଗର ଜିଲ୍ଲାର ଏକ ସରକାରୀ ଚିକିତ୍ସାଳୟରେ ମହିଳାଙ୍କୁ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ୍ ଦିଆଯାଇଛି। ଗତ ୨ବର୍ଷରୁ ଦାୟିତ୍ବହୀନତା ଯୋଗୁଁ ୩ଜଣ ଲ୍ୟାବ୍ ଟେକ୍ନିସିୟାନ୍ ନିଲମ୍ବିତ ହୋଇଛନ୍ତି। ଡିସେମ୍ବର ୩ତାରିଖରେ ଜଣେ ଏଚଆଇଭି ସଂକ୍ରମିତ ପୁରୁଷଙ୍କ ରକ୍ତ ମହିଳାଙ୍କୁ ଇଞ୍ଜେକସନ ଦ୍ବାରା ଦିଆଯାଇଥିଲା।

ପାଖାପାଖି ୨ବର୍ଷ ପୂର୍ବରୁ ଯେବେ ଏହି ବ୍ୟକ୍ତି ରକ୍ତ ଦାନ କରିଥିଲେ ତାଙ୍କ ରକ୍ତରେ ଏଚଆଇଭି ସଂକ୍ରମଣ ଥିବା ଜଣାଯାଇଥିଲା। ତାଙ୍କୁ ହେପାଟାଇଟିସ୍ ବି ହୋଇଥିଲା। ସରକାରୀ ହସ୍ପିଟାଲରେ ଏହାର ଯାଞ୍ଚ କରାଯାଇଥିଲା। କିନ୍ତୁ ତାଙ୍କୁ ଏବିଷୟରେ କିଛି ଜଣାଯାଇନଥିଲା।  କର୍ମଚାରୀଙ୍କ କହିବାନୁଯାୟୀ ଗତ ମାସରେ ମଧ୍ୟ ବ୍ୟକ୍ତି ଜଣକ ବ୍ଲଡ ବ୍ୟାଙ୍କରେ ରକ୍ତ ଦାନ କରିଥିଲେ। ଏଚଆଇଭି ସଂକ୍ରମଣ ବିଷୟରେ ସୂଚନା ମିଳିବା ଆଗରୁ ମହିଳାଙ୍କୁ ରକ୍ତ ଦିଆ ସରିଥିଲା।

ମହିଳା ଏଚଆଇଭି ସଂକ୍ରମିତ ହେବା ପରେ ଆଣ୍ଟି ରେଟ୍ରୋଭାଇରାଲ ଉପଚାର କରାଯାଇଥିଲା। କର୍ମଚାରୀଙ୍କ କହିବାନୁସାରେ ଶିଶୁକୁ ଏଚଆଇଭି ହୋଇଛି କି ନାହିଁ ତାହା ଶିଶୁ ଜନ୍ମ ହେବା ପରେ ଜଣା ପଡ଼ିବ। ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ଏଚଆଇଭି ସଂକ୍ରମିତ ରକ୍ତ ଏବଂ ଶାରିରୀକ ସମ୍ପର୍କ ଦ୍ବାରା ବ୍ୟାପିଥାଏ। ଏହା ବ୍ୟତୀତ ଯଦି ମାଆକୁ ଏଚଆଇଭି ହୋଇଥାଏ ତେବେ ଛୁଆକୁ ମଧ୍ୟ ହେବାର ଆଶଙ୍କା ଥାଏ। ଏଚଆଇଭି ଭୂତାଣୁ ଦ୍ବାରା ସଂକ୍ରମିତ ମା’ର କ୍ଷୀର ଯଦି ଛୁଆକୁ ଦିଆଯାଏ ତେବେ ଏଚଆଇଭି ହୋଇଥାଏ।

ଡାକ୍ତରଙ୍କ କହିବାନୁସାରେ ଏପରି ଘଟଣା ଦୁଇଥର ଘଟିଛି। ଲ୍ୟାବ୍ ଟେକ୍ନିସିଆନଙ୍କୁ ସନ୍ଦେହ କରାଯାଉଛି ଯେଉଁମାନେ ଭଲଭାବେ ପରୀକ୍ଷା କରିନାହାନ୍ତି। ଏହା ଦୁର୍ଘଟଣା ବଶତଃ ଘଟିଛି ; ସୁପରିକଳ୍ପିତ ଯୋଜନା ନୁହେଁ। ତଦନ୍ତ ଚାଲିଛି। ମହିଳାଙ୍କ ଚିକିତ୍ସା ଚାଲିଛି। ସରକାରଙ୍କ ତରଫରୁ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଏହି ଦାୟିତ୍ବହୀନତା ଘଟିବା ପରେ କ୍ଷତିପୂରଣ ବାବଦକୁ ଚାକିରୀ  ଏବଂ କିଛି ଅନୁଦାନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.