୨୫ ବର୍ଷ ହେଲା ସ୍ବାମୀ ଛାଡ଼ି ଚାଲିଗଲେ: ସାଙ୍ଗରେ ୨ଟି ବଢ଼ିଲା ଝିଅଙ୍କୁ ଧରି ଖୋଲା ଆକାଶ ତଳେ ରହୁଛନ୍ତି ମହିଳା

Published By : Prameya-News7 Bureau | June 26, 2020 IST

ଭଦ୍ରକ୨୬/୬: ଅନ୍ୟ ଜଣଙ୍କୁ ବିବାହ କରି ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଚାଲିଗଲେ ସ୍ବାମୀ। ପ୍ରଥମ ସ୍ତ୍ରୀଙ୍କ ପାଖରେ ଛାଡ଼ି   ଦେଇଗଲେ ୨ଟି କନ୍ୟା ସନ୍ତାନ। ସ୍ବାମୀ ଛାଡ଼ି ଚାଲିଯିବା ପରେ ମହିଳାଙ୍କ ଉପରେ ଆରମ୍ଭ ହୋଇଗଲା ଶ୍ବଶୂର ଘର ଲୋକଙ୍କ ନିର୍ଯାତନା।  ସେମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଦୁଇଝିଅଙ୍କୁ ନେଇ ଶ୍ଵଶୂର ଘର ଛାଡିଲେ ପ୍ରଥମ ସ୍ତ୍ରୀ କାଞ୍ଚନ। ଆଉ ସେଇଠୁ ଆରମ୍ଭ ହେଲା ଜୀବନ ଯନ୍ତ୍ରଣା । ଶେଷରେ ପ୍ରାୟ ୪ ବର୍ଷରୁ ଅଧିକ ଦିନ ବିତିଲାଣି। ଖୋଲା ଆକାଶ ଯେମିତି ହୋଇଯାଇଛି ତାଙ୍କର ଆଶ୍ରୟସ୍ଥଳୀ। କିନ୍ତୁ ନା ଅଛି ଆଶ୍ରୟ ନା ଆଶ୍ରା।

କାଞ୍ଚନ ପଣ୍ଡା, ତାଙ୍କ ବୟସ ପ୍ରାୟ ୫୦ ବର୍ଷରୁ ଅଧିକ ହେବ । ସାଙ୍ଗରେ ଅଛନ୍ତି ପୁଣି ଦୁଇ ଦୁଇଟି ବଢିଲା ଝିଅ । ବଡ ଝିଅର ମାନସିକ ସ୍ଥିତି ଦୁର୍ବଳ । ଏହି ତିନି ପ୍ରାଣୀ କୁଟୁମ୍ବ , କିନ୍ତୁ ଏବେ ସମ୍ପୂର୍ଣ୍ଣ ନିରାଶ୍ରୟ । କାରଣ ଦୁଇ ଝିଅ ଜନ୍ମ ହେବା ପରେ ସ୍ଵାମୀ ଅନ୍ୟତ୍ର ବାହା ହୋଇଗଲେ । ସ୍ଵାମୀଙ୍କ ଦ୍ବିତୀୟ ବିବାହ ପରେ ଶ୍ଵଶୂର ଘର ଲୋକଙ୍କ ଗଞ୍ଜଣା ସହିନପାରି ଦୁଇଝିଅଙ୍କୁ ନେଇ ଘରୁ ପଦାକୁ ଗୋଡ଼ କାଢିଲେ। ଏମାନେ ଭଡା ରେ ଘର ନେଇ ରହୁଥିଲେ । କିନ୍ତୁ ବୟସ ବଇରୀ ସାଜିଲା। ଆଗ ଭଳି ଆଉ କାମ ଦାମ କରି ପାରିଲେନାହିଁ । ଘର ଭଡା ଦେଇନପାରି ଘର ଛାଡିଲେ । ତା ପରେ ଜୀବନ ବିତୁଛି ଖୋଲା ଆକାଶତଳେ।ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ର ଆଗରପଡା ବଜାର ନିକଟ ସିରିଡି ସାଇ ମନ୍ଦିର ନିକଟ  ଏକ ପରିତ୍ୟକ୍ତ ସ୍ଥାନରେ ରହୁଛନ୍ତି ।

ଅସହାୟ ପରିବାରକୁ ସହାୟକ ହୋଇଛନ୍ତି ସ୍ଥାନୀୟ ଲୋକେ । ରହିବା ପାଇଁ ଜାଗା ଖଣ୍ଡିଏ ମିଳିଛି । ସରକାରୀ ଯୋଜନାରେ ମାସକୁ ମାସ ଚାଉଳ ପାଉଛନ୍ତି । କିନ୍ତୁ ସେତିକିରେ ପରିବାର ଚାଲିବା ମୁସ୍କିଲ । ସେଥିପାଇଁ ମା ଓ ଦୁଇ ଝିଅ ବଜାରରେ ବୁଲି ବୁଲି ଅଳିଆ ଗୋଟାଉଛନ୍ତି। ଆଉ ତାକୁ ବିକ୍ରି କରି ଜେଣେ ତେଣେ ପ୍ରକାରେ ଚଳି ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.