ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି : ମୃତ୍ୟୁସ୍ଥାନର ପାଖାପାଖି ଅଞ୍ଚଳରେ ହେବ କରୋନା ମୃତକଙ୍କ ଶେଷକୃତ୍ୟ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୩: କରୋନା ଭାଇରସ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ଏଠାରେ କରିବାକୁ ହେବ। କରୋନା ଭାଇରସ୍ ଯୋଗୁଁ ଏବେ ସୁଦ୍ଧା ଦେଶରେ ୩ଜଣଙ୍କ ମୃତ୍ୟୁ ହୋଇସାରିଛି। ଦିଲ୍ଲୀରେ ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଉପୁଜିଥିବା ସମସ୍ୟା ପରେ ସରକାର ଅନ୍ତିମ ସଂସ୍କାର ଏବଂ ପୋଷ୍ଟମର୍ଟମକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି।

ମୃତକଙ୍କ ପରିବାର ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ତାଙ୍କ କାଉନସିଲିଂ ଜରିଆରେ ତାଙ୍କୁ କୁହାଯିବ ଯେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେବା କେତେ ଜରୁରୀ। ଶବ ସଂରକ୍ଷଣ କରାଯିବ ନାହିଁ। ଏହା ଯୋଗୁଁ ଶବକୁ ଅଧିକ ଦୂର ଯାଏଁ ନିଆଯାଇ ପାରିବ ନାହିଁ।

ଭାଇରସ୍ ପାଇଁ ଯଦି ରୋଗୀଙ୍କର ମୃତ୍ୟୁ ହୋଇ ଯାଉଛି ତେବେ ତାଙ୍କର ଅନ୍ତିମ ସଂସ୍କାର ଆଖପାଖରେ କରିବାକୁ ପଡ଼ିବ। ଏହା ବ୍ୟତୀତ କିଛି ବିଶେଷ ମାମଲାକୁ ଛାଡ଼ି ଅନ୍ୟାନ୍ୟ ଗୁଡ଼ିକରେ ପୋଷ୍ଟମର୍ଟମର ଅନିବାର୍ଯ୍ୟତା ରହିବ ନାହିଁ। ଯଦି କୌଣସି ପରିସ୍ଥିତିରେ ପୋଷ୍ଟମର୍ଟମ କରିବାକୁ ପଡ଼ୁଛି ତେବେ ଶବଗୃହର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ପିପିଇ ସମେତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରି ଫରେନସିକ୍ ଡାକ୍ତର ପୋଷ୍ଟମର୍ଟମ କରିବେ। ଭାରତରେ ଏବେ ସୁଦ୍ଧା କର୍ଣ୍ଣାଟକ,ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ୩ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି।

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶବର ଅନ୍ତିମ ସଂସ୍କାରକୁ ନେଇ ଏହି ନିୟମକୁ ସମସ୍ତ ରାଜ୍ୟରେ ପଠାଇ ଦିଆଯାଇଛି। ଓ୍ବାର୍ଡ଼ଠୁ ଆରମ୍ଭ କରି ଶବଗୃହ ଏପରିକି ଅନ୍ତିମ ସଂସ୍କାର ସ୍ଥାନ​‌ରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବା ଜରୁରୀ ଅଟେ। ସଂକ୍ରମିତ ରୋଗୀଙ୍କ ଶବ ପ୍ରତି କାହାକୁ କିଛି ଡର ନାହିଁ କିନ୍ତୁ ପୋଷ୍ଟମର୍ଟମ ସମୟରେ ରୋଗୀଙ୍କ ଫୁସଫୁସରୁ ସଂକ୍ରମଣ ହୋଇପାରେ।

ଯଦି କରୋନା ସଂକ୍ରମିତ ରୋଗୀଙ୍କ ହସ୍ପିଟାଲରେ ଓ୍ବାର୍ଡ଼ରେ ମୃତ୍ୟୁ ହୋଇଥାଏ ତେବେ କର୍ମଚାରୀଙ୍କୁ ହ୍ୟାଣ୍ଡ ହାଇଜିନିଂ,ସୁରକ୍ଷା ସାମଗ୍ରୀ,ସଂକ୍ରମଣକୁ ରୋକୁଥିବା ବ୍ୟାଗ୍ ଇତ୍ୟାଦିକୁ ଧ୍ୟାନ ରଖାଯିବ। ସମସ୍ତ ଟ୍ୟୁବ୍,କ୍ୟାଥେଟର ଇତ୍ୟାଦିକୁ ଶରୀରରୁ ବାହାର କରାଯିବ ଏବଂ ଚିକିତ୍ସା ସମୟରେ କରାଯାଇଥିବା ପଙ୍କଚରକୁ ବନ୍ଦ କରାଯିବ।


ତରଳ ପଦାର୍ଥକୁ ରୋକିବା ପାଇଁ ନାକ ଏବଂ ମୁହଁ ଭଲ ଭାବେ ବନ୍ଦ କରାଯିବ। ୧ ପ୍ରତିଶତ ହାଇପୋକ୍ଲୋରାଇଡ ରସାୟନ ଦ୍ବାରା ସ୍ବଚ୍ଛ କରାଯିବ। ଯଦି ପରିବାର ଲୋକେ ଶେଷ ଦର୍ଶନ କରିବାକୁ ଚାହଁନ୍ତି ତେବେ ଶବକୁ ବ୍ୟାଗରେ ପ୍ୟାକ୍ କରିବା ପୂର୍ବରୁ ପୂରାପୂରି ସୁରକ୍ଷା ସହିତ ଅନୁମତି ଦିଆଯିବ। ଏହା ପରେ ଓ୍ବାର୍ଡ଼,ବିଛଣା ଇତ୍ୟାଦିକୁ ୧ ପ୍ରତିଶତ ସୋଡିୟମ୍ ହାଇପୋକ୍ଲୋରାଇଡରେ ୩୦ମିନିଟ୍ ଯାଏଁ ସଫା କରିବା ପରେ ପବନ ପ୍ରେସର ଜରିଆରେ ଏହାକୁ ଶୁଖା ଯିବ। ଏହା ପରେ ଉକ୍ତ ସ୍ଥାନକୁ ପୁଣି ଥରେ ବ୍ୟବହାର କରାଯାଇ ପାରିବ। ସଂକ୍ରମିତ ଶବକୁ ମୋର୍ଚେରିରେ ଅତିକମରେ ୪ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.