କରୋନା ଯୋଗୁ ମୌସୁମୀ ଅଧିବେଶନରେ ଲାଗିଲା ବ୍ରେକ, ସରକାର ରାଜ୍ୟସଭାରେ କହିଲେ- ଆଜିଠାରୁ ସଂସଦ ଅନିଶ୍ଚିତକାଳ ପାଇଁ ସ୍ଥଗିତ

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩/୦୯: କରୋନା ସଂକ୍ରମଣ ଯୋଗୁ ସଂସଦର ମୌସୁମୀ ଅଧିବେଶନ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇପାରେ। ସରକାର ଧାର୍ଯ୍ୟ ସମୟ ପୂର୍ବରୁ ଅନିଶ୍ଚିତକାଳ ପାଇଁ ସଂସଦକୁ ସ୍ଥଗିତ ରଖିବା ନିଷ୍ପତି ନେଲେ। ଗୃହ ମନ୍ତ୍ରୀ ମୁରଲୀଧରନ ଆଜି (ବୁଧବାର) ରାଜ୍ୟସଭାରେ କହିଛନ୍ତି, ତାଙ୍କୁ ସଦସ୍ୟଙ୍କୁ ସୁନିଶ୍ଚିତ କରିବାର ଅଛି ଯେ ଆଜିଠାରୁ ଅନିଶ୍ଚିତକାଳ ପାଇଁ ସଂସଦ ସ୍ଥଗିତ ରଖାଯିବ। ମାତ୍ର ଏହା ପୂର୍ବରୁ ଲୋକସଭାରୁ ପାସ୍ କିଛି ଜରୁରୀ କାର୍ଯ୍ୟକୁୂ ଗୃହରେ ପୂରା କରାଯିବ।

ଲୋକସଭା ଅଧିବେଶନ ଆଜି ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଗତକାଲି ସନ୍ଧ୍ୟାରେ ଏକଥା ଘୋଷଣା କରିଥିଲେ। ରାଜ୍ୟସଭାକୁ ଅଧିକ ସମୟ ଦେବା ପାଇଁ ଏମିତି କରାଯାଉଛି। ଏହା ବ୍ୟତୀତ କରୋନା ସଂକ୍ରମଣ ଯୋଗୁ ବିରୋଧୀ ଦଳର ଦାବି ଥିଲା ମୌସୁମୀ ଅଧିବେଶନକୁ ସମୟ ପୂର୍ବରୁ ଶେଷ କରାଯାଉ।

କରୋନାରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଦୁଇ ଗୃହର ବୈଠକ ଦୁଇଟି  ସଭା କକ୍ଷରେ ହେଉଛି। ଏଥିପାଇଁ ରାଜ୍ୟସଭାକୁ ସକାଳ ୯ଟାରୁ ଦ୍ବିପହର ୧ଟା ଓ ଲୋକସଭା ପାଇଁ ଦ୍ବିପହର ତିନିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଚାଲୁଛି। ଲୋକସଭା ଅଧିବେଶନ ସନ୍ଧ୍ୟାରେ ହେଉଥିବାରୁ ରାଜ୍ୟସଭାକୁ ଅଧିକ ଏକ ଘଣ୍ଟା ମିଳିପାରୁଛି।ଏପରିକି ଲୋକସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ହେଉଛି।ଏଣୁ ଲୋକସଭାରେ ପାରିତ ବିଭିନ୍ନ ବିଲକୁ ରାଜ୍ୟସଭାରେ ଆଜି ଅଧିକ ସମୟଦିଆଯିବ। ସବୁ ଦଳ ସହମତି କ୍ରମେ ଆଜି ମୌସୁମୀ ଅଧିବେଶନ ବନ୍ଦ ହୋଇପାରେ।

କୃଷି ବିଲ ପ୍ରସଙ୍ଗରେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ସଂସଦରର ଦୁଇ ଗୃହକୁ ବହିଷ୍କାର କରିବା ନିଷ୍ପତି ନେବା ସହ ଗତକାଲି ସେମାନେ ଅଧିବେଶନରେ ସାମିଲ ହୋଇ ନ ଥିଲେ। ଏଭଳି ସ୍ଥିତିରେ ସରକାରଙ୍କ ପାଖରେ କୌଣସି ବାଧା ବିନା ସବୁ କାର୍ଯ୍ୟ ଶେଷ କରିବାର ସୁଯୋଗ ରହିଛି। ଏହା ସହ ସଂସଦକୁ ଶୂନ୍ୟକାଳ ମାଧ୍ୟମରେ  ନିଜ ପ୍ରସଙ୍ଗ ଉଠାଇବାରେ ଅଧିକ ସମୟ ମିଳୁଛି।

ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଅଧିବେଶନ ଅକ୍ଟେବାର ୧ ତାରିଖ ପର୍ଯ୍ୟନ୍ତ ୧୮ ଦିନ ପାଇଁ ଚାଲିବାର ଥିଲା। ମାତ୍ର କରୋନା ସଂକମ୍ରଣ ଯୋଗୁ ଧାର୍ଯ୍ୟ ସମୟଠାରୁ ୮ ଦିନ ପୂର୍ବରୁ ଶେଷ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.