ସରକାରୀ କର୍ମଚାରୀଙ୍କୁ ଝଟକା, ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଢ଼ିବନି ମହଙ୍ଗା ଭତ୍ତା

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧।୧୧:  ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟର ପ୍ରାଇଜ୍ (ସିପିଏସଇ) କର୍ମଚାରୀଙ୍କୁ ଲାଗିଛି ତାଗଡା ଝଟକା। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଅଟକି ଯାଇଛି। ୨୦୧୭, ୨୦୦୭, ୧୯୯୭, ୧୯୯୨ ଓ ୧୯୮୭ ମସିହା ଆଇଡିଏ ବେତନ ସଂଶୋଧନ ଗାଇଡଲାଇନ ଅନୁସାରେ ସିପିଏସ୍‌ଇ କର୍ମଚାରୀମାନଙ୍କୁ ୧ ଅକ୍ଟୋବାର ୨୦୨୦ରୁ ଦେୟ ମହଙ୍ଗା ଭତ୍ତାର ଅତିରିକ୍ତ କିସ୍ତି ପୈଠ ନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ଲାଗି ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। 

ଦେଶରେ କରୋନା ଭାଇରସ ଲକଡାଉନ ରାଜସ୍ୱ ଆୟ ହ୍ରାସ କରିଛି। ଏଣୁ ସାର୍ବଜନିକ ଉପକ୍ରମ ବିଭାଗ (ଡିପିଇ) ଏ ନେଇ ଏକ ମେମୋରେଣ୍ଡମ ଜାରି କରିଛନ୍ତି। ଏଥିରେ ୧.୧.୨୦୨୧ ଓ ୧.୪.୨୦୨୧ରେ ଦିଆଯିବାକୁ ଥିବା ମହଙ୍ଗା ଭତ୍ତାର ଅତିରିକ୍ତ କିସ୍ତି କର୍ମଚାରୀଙ୍କୁ ପୈଠ କରାଯିବ ନାହିଁ ବୋଲି  ସୂଚିତ କରାଯାଇଛି।  ତେବେ ଜାରି ହାରରେ ମହଙ୍ଗା ଭତ୍ତା କର୍ମଚାରୀ ଯେପରି ପାଉଛନ୍ତି ସେହିପରି ପାଇବେ ବୋଲି କୁହାଯାଇଛି।

କରୋନା ସଂକଟ ଦେଶର ସରକାରୀ ରାଜସ୍ୱକୁ ଗୁରୁତର ପ୍ରଭାବିତ କରିଛି। ଏଣୁ କରୋନା ଲକଡାଉନ୍‌ କାଳରେ ସରକାର କର୍ମଚାରୀଙ୍କୁ ମହଙ୍ଗାଭତ୍ତା ନ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିରେ ଜୁନ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି କରାଯିବନି ବୋଲି ଘୋଷଣା ମଧ୍ୟ ହୋଇଥିଲା। ଏଣୁ କର୍ମଚାରୀ ଜୁନ ୨୦୨୧ ପରେ ଯାଇ ମହଙ୍ଗା ଭତ୍ତା ପାଇପାରନ୍ତି ବୋଲି ଆକଳନ କରାଯାଉଛି।

କେନ୍ଦ୍ର ଅର୍ଥମନ୍ତ୍ରାଳୟ ଗତ ଏପ୍ରିଲ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୧ ଲକ୍ଷ ପେନସନ୍‌ ଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ରୋକ ଲଗାଇଥିଲେ। ସେହିପରି ଡିପିଇ  ୧ ଅକ୍ଟୋବର ୨୦୨୦ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଅବଧି ଲାଗି କୌଣସି ପ୍ରକାର ବକେୟା ମଧ୍ୟ ପ୍ରଦାନ କରିବେନି ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.