ସରକାରୀ ବାବୁଙ୍କ ମଉଜ ମଜଲିସ୍, ଅଫିସ୍‌ରେ ଜମିଲା ମଦ-ମାଂସର ଆସର, ପୁଣି ଅଫିସ ଆଓ୍ଵାରରେ

Published By : Prameya-News7 Bureau | December 26, 2020 IST

ରାୟଗଡା ୨୬।୧୨: ସରକାରୀ ଅଫିସରେ ସରକାରୀ ବାବୁଙ୍କ ମଦ ଆସର । ତାହା ପୁଣି ଅଫିସ ଆଓ୍ବାରରେ । ଯେତେବେଳେ ଚେୟାରରେ ବସି ବାବୁ ଟେବୁଲ ଉପରେ ଫାଇଲ୍ ଚାଷ କରିବା କଥା ଠିକ୍ ସେଇ ସମୟରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡଙ୍ଗସୋରଡ଼ା କୃଷି ପରାମର୍ଶ କେନ୍ଦ୍ରରେ ଜମିଥିଲା ବାବୁଙ୍କ ମଦମାଂସର ଆସର

ସରି ସରି ଯାଉଛି ପୁରୁଣା ବର୍ଷ । ନୂଆ ବର୍ଷ ଆସୁଛି । ଏମିତିରେ ବି ପ୍ରତିବର୍ଷ ଡିସେମ୍ବର ମାସଟା ସେଲିବ୍ରେସନର ମାସ । କିଏ କୁଆଡ଼େ ଟିକେ ବୁଲାବୁଲି କରିବେ, କିଏ କୋଉଠି ଗୋଟେ ଭୋଜି ଭାତର ଆସର କରିବେ, ଗୋଟେ ଖୁସି ତ, ନା’ ଆଉ କ’ଣ ।  ଏସବୁ ଭିତରେ ବଦମାସ୍ କ୍ୟାମେରା କିନ୍ତୁ କାହାକୁ ଛାଡ଼ୁନି । ମଉକା ପାଇଲେ ଫଟୋଗୁଡ଼ାକ କଏଦ କରିପକାଉଛି । ଆଉ ସେଇ ଫଟୋ  ଯେତେବେଳେ ଭାଇରାଲ୍ ହେଉଛି, ତାକୁ ନେଇ ଆରମ୍ଭ ହେଉଛି ତମ୍ବି ତୋଫାନ ।  ଠିକ୍ ଯେମିତି ଏବେ ହୋଇଛି  । ସରକାରୀ ଅଫିସରେ ସରକାରୀ ବାବୁଙ୍କ ମଦ ଆସର ଯେତେବେଳେ ଜମିବ । ଆଉ ଏ ଫଟୋ ଯେତେବେଳେ ଭାଇରାଲ୍ ହେବ, ତାହେଲେ ଏହାକୁ ନେଇ ଚର୍ଚ୍ଚା, ଆଲୋଚନା, ସମାଲୋଚନା ହେବ ତ ନିଶ୍ଚୟ । ଏବେ ଆସନ୍ତୁ ପୂରା ଘଟଣା କ’ଣ ଖୋଲିବା।

{"id":383134,"sizeSlug":"large","linkDestination":"none"}

ଏହି ଘଟଣା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡଙ୍ଗସୋରଡ଼ାରେ ଥିବା କୃଷି ଓ ପରାମର୍ଶ କେନ୍ଦ୍ରରେ ଘଟିଛି। ଏଠି ଜିଲ୍ଲା କୃଷି ବିଭାଗର ଅଧିକାରୀମାନେ ଚାଷୀଙ୍କୁ କୁଆଡ଼େ ପରାମର୍ଶ ଦିଅନ୍ତି । କିନ୍ତୁ ଏଠି ଗୋଟେ ଅଜବ ଚିତ୍ର ସାମ୍ନାକୁ ଆସିଛି । ଅଫିସ ଆହ୍ବାରରେ ଏଠି ଅଫିସ କର୍ମଚାରୀମାନେ ଖୋଦ୍ ଅଫିସ ଭିତରେ ମଦ ମାଂସର ଆସର ଜମାଇଥିଲେ । ଯାହାର ଚିତ୍ର କ୍ୟାମେରାରେ କଏଦ୍ ହୋଇଛି । ଦେଖନ୍ତୁ ଏ ଦୃଶ୍ୟକୁ । ବରାବର ବୋତଲ ଥୁଆ ହୋଇଛି । ଗ୍ଲାସରେ ପେଗ୍ ପରେ ପେଗ୍ ପ୍ରସ୍ତୁତ ହେଉଛି । ଆଉ ପାଖରେ ଥୁଆ ହୋଇଛି ଚାଖଣା, ସେ ପୁଣି ପିଓର୍  ଖାସୀ ମାଂସ ତରକାରୀ । ଆଉ ପୂରା ଅଫିସ କର୍ମଚାରୀଙ୍କ ଚାଲିଛି ରାଉଣ୍ଡ ଟେବୁଲ୍ ବୈଠକ । ଆଉ ୨/୪ ପେଗ୍ ପରେ ବୋଧ ହୁଏ ଚାଷୀଙ୍କ କଣ ପରାମର୍ଶ ଦିଆଯିବ ସେ ବିଷୟରେ ଆଲୋଚନା ହେବ । ଖୋଦ୍ ସରକାରୀ ଅଫିସରେ ସରକାରୀ କର୍ମଚାରୀଙ୍କ ଏଭଳି ଆକ୍ଟିଭିଟିର ଚିତ୍ରକୁ ଆମେ କଣ କହିବା ? 

ପୂରା ଘଟଣା ସମ୍ପର୍କରେ ବାବୁ କହୁଛନ୍ତି ଏଭଳି ଆସର କୁଆଡ଼େ ଛୁଟି ଦିନରେ ଚାଲିଥିଲା । କିନ୍ତୁ ଆସର ଚାଲିଥିଲା, ଆଉ ସରକାରୀ ଅଫିସରେ ଚାଲିଥିଲା, ସେ କଥାକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି । ଏଠି ସରକାରୀ ଚାକିରି କରିଥିବା ବିନ୍ଦାସ ବାବୁଙ୍କ ଏଭଳି ବିନ୍ଦାସ ଉତ୍ତର ପୂରା ବ୍ୟବସ୍ଥାର ମଜାକ୍ ଉଡ଼ାଉନାହିଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.