ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା, ‘ବ୍ୟାଡ୍‌ ବ୍ୟାଙ୍କ’ ପାଇଁ ୩୦୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟିକୁ ସରକାରଙ୍କ ମଞ୍ଜୁରୀ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବହୁପ୍ରତିକ୍ଷିତ ବ୍ୟାଡ୍‌ ବ୍ୟାଙ୍କର ଗଠନ ପାଇଁ ଘୋଷଣା କରିଛନ୍ତି। ସରକାର ନ୍ୟାସନାଲ୍‌ ଆସେଟ୍‌ ରିକନଷ୍ଟ୍ରକ୍ସନ କମ୍ପାନୀ (NARCL) ଅର୍ଥାତ ବ୍ୟାଡ୍‌ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଜାରି ହେବାକୁ ଥିବା ସିକ୍ୟୁରିଟି ରିସିପ୍ଟକୁ ଗ୍ୟାରେଣ୍ଟି ଦେବେ ବୋଲି ସେ କହିଛନ୍ତି। ଏହି ଗ୍ୟାରେଣ୍ଟି ୩୦,୬୦୦ କୋଟି ଟଙ୍କାର ହେବ। ଚଳିତବର୍ଷ ବଜେଟ୍‌ ସମୟରେ ବ୍ୟାଡ୍‌ ବ୍ୟାଙ୍କ ଗଠନ ନେଇ ସରକାର ଘୋଷଣା କରିଥିଲେ।

ସାମ୍ବାଦିକ ସମ୍ମଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟାଡ୍‌ ଲୋନ୍‌ ରିକୋଭର ହୋଇଛି। ମାର୍ଚ୍ଚ ୨୦୧୮ରୁ ଏବେ ଯାଏଁ ୩ ଲକ୍ଷ କୋଟିରୁ ଅଧିକ ଆଦାୟ ହୋଇଛି। କେବଳ ୨୦୧୮-୧୯ରେ ବ୍ୟାଙ୍କ ୧.୨ ଲକ୍ଷ କୋଟି ଟଙ୍କା ଋଣ ଟଙ୍କା ଆଦାୟ କରିଛନ୍ତି। ବ୍ୟାଡ୍‌ ବ୍ୟାଙ୍କ ବତୀତ ଆଜି ଋଣ ପରିଚାଳନା କମ୍ପାନୀ ଗଠନ ପାଇଁ ମଧ୍ୟ ଘୋଷଣା ହୋଇଛି।

ପବ୍ଲିକ ସେକ୍ଟର ବ୍ୟାଙ୍କ ପାଖରେ ଡେବଟ୍‌ ମ୍ୟାନେଜମେଣ୍ଟ କମ୍ପାନୀର ୪୯ ପ୍ରତିଶତ ଭାଗିଦାରୀ ରହିବ। ଏହା ବ୍ୟତୀତ ସରକାରୀ ବ୍ୟାଙ୍କଗୁଡ଼ିକ ପାଖରେ ଏନଏଆରସିଏଲ୍‌ର ୫୧ ପ୍ରତିଶତ ଭାଗିଦାରୀ ରହିବ। ସୀତାରମଣ କହିଛନ୍ତି, ସରକାର ଦ୍ବାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ବ୍ୟାଙ୍କଗୁଡ଼ିକର ଆର୍ଥିକ ସୁଧାର ହୋଇଛି। ୨୦୧୮ରେ ୨୧ ବ୍ୟାଙ୍କ ମଧ୍ୟରୁ କେବଳ ଦୁଇଟି ବ୍ୟାଙ୍କ ଲାଭ କମାଇଥିଲେ କିନ୍ତୁ ୨୦୨୧ରେ କେବଳ ଦୁଇଟି ବ୍ୟାଙ୍କ ହିଁ ଘାଟା ସହିଛନ୍ତି।

ବ୍ୟାଡ ବ୍ୟାଙ୍କ ଗଠନ ପାଇଁ ଭାରତୀୟ ବ୍ୟାଙ୍କ ସଙ୍ଘ (ଆଇବିଏ)କୁ ଦାୟିତ୍ବ ଦିଆଯାଇଛି। ପ୍ରସ୍ତାବିତ ବ୍ୟାଡ୍‌ ବ୍ୟାଙ୍କ (ଏନଏଆରସିଏଲ୍‌) ଲୋନ୍‌ ପାଇଁ ସହମିତି ମୂଲ୍ୟର ୧୫ ପ୍ରତିଶତ ନଗଦ ପ୍ରଦାନ କରିବ ଏବଂ ବାକି ୮୫ ପ୍ରତିଶତ ସରକାରଙ୍କ ଗ୍ୟାରେଣ୍ଟି ସିକ୍ୟୁରିଟି ରିସିପ୍ଟସ୍‌ରେ ରହିବ। ଏନଏଆରସିଏଲ୍‌ ସ୍ଥାପନ ପାଇଁ ଲାଇସେନ୍ସ ହାସଲ୍‌ କରିବାକୁ ଗତ ମାସରେ ଆଇବିଏ ଆରବିଆଇରେ ଆବେଦନ କରିଥିଲା।

ବ୍ୟାଡ୍‌ ବ୍ୟାଙ୍କ କଣ ?

Bad Bank କୌଣସି ବ୍ୟାଙ୍କ ନୁହେଁ ବରଂ ଏହା ଏକ ଆସେଟ୍‌ ରିକନଷ୍ଟ୍ରକ୍ସନ କମ୍ପାନୀ। ବ୍ୟାଙ୍କର ବୁଡ଼ିଯାଇଥିବା ଋଣ ରାଶି ଏହି କମ୍ପାନୀକୁ ଟ୍ରାନ୍ସଫର କରାଯିବ । ଏହା ଦ୍ବାରା ବ୍ୟାଙ୍କର ବାଲାନ୍ସ ସିଟ୍‌ କ୍ଲିୟର ହେବ ଏବଂ ଲୋକମାନଙ୍କୁ ସହଜରେ ଋଣ ମିଳିପାରିବ। ଏହା ଦ୍ବାରା ଦେଶର ଆର୍ଥିକ ଗତିବିଧି ବୃଦ୍ଧିପାଇବ ।  ତେବେ ବ୍ୟାଙ୍କର ଋଣ ରାଶି ବ୍ୟାଡ ବ୍ୟାଙ୍କ ଏକ ଧାର୍ଯ୍ୟ ସମୟ ମଧ୍ୟରେ ଆଦାୟ କରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.