କଟକଣା କୋହଳ କଲେ ସରକାର, ଜୁନ୍‌ ପହିଲାରୁ ବିବାହ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅନୁମତି

Published By : Prameya-News7 Bureau | May 27, 2021 IST

ଭୋପାଳ  ୨୭/୫: ଶିବରାଜ ସିଂହ ସରକାରଙ୍କ ନିର୍ଦେଶ କ୍ରମେ କୋହଳ ହେବାକୁ ଯାଉଛି ଜନତାକର୍ଫ୍ୟୁ । ଜୁନ ପହିଲାରୁ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ଲଗାତାର କରୋନା ସଂକ୍ରମଣ କମୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ସବୁ ଜିଲ୍ଲାରେ ୫ ପ୍ରତିଶତରୁ କମ୍‌ ସଂକ୍ରମଣ ହାର କମ୍‌ ରହିଛି ସେଠାରେ ଜନତାକର୍ଫ୍ୟୁ କୋହଳ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

କ୍ୟାବିନେଟ ବୈଠକରେ ବ୍ୟବସାୟିକ ଗତିବିଧି ପୁଣି ଥରେ ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି। ବିଶେଷ କରି ସୁବେ ଜିଲ୍ଲାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ବୈଠକ ପରେ ନରୋତ୍ତମ ମିଶ୍ର କହିଛନ୍ତି, ‘ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ । ଏହା ସହ ରେଜିଷ୍ଟ୍ରାର ଅଫିସ୍‌,  କୃଷି ମଣ୍ଡି ଏବଂ କିଷାନ କଲ୍ୟାଣ ବିଭାଗ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ।’

ଏହା ବ୍ୟତୀତ ରାଜ୍ୟରେ ବିବାହ ଉତ୍ସବକୁ ଅନୁମତି ଦିଆଯାଇଛି। କିନ୍ତୁ ବିବାହରେ ବର, କନ୍ୟା ସହ ୨୦ ଜଣଙ୍କୁ ଉପସ୍ଥିତ ପାଇଁ ଅନୁମତି ରହିବ। ବିବାହକୁ ଆସିବାକୁ ଥିବା ଅତିଥିଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରିବା ଜରୁରୀ । ମନ୍ଦିର, ମସଜିଦ ସମେତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କିନ୍ତୁ ଏକ ସମୟରେ କେବଳ ଦୁଇ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ରାଜନୈତିକ, ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କୁ ରୁଣ୍ଡ କରିବା ଉପରେ ରୋକ ଲାଗୁ ରହିବ। ରାଜ୍ୟରେ ସଂକ୍ରମଣ ହାର ୨୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ପରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା। ଏବେ ରାଜ୍ୟରେ ସଂକ୍ରମଣ ହାର ୩.୧ ପ୍ରତିଶତକୁ ଖସିଆସିଛି। ମଧ୍ୟପ୍ରଦେଶରେ ଏବେ ୪୩,୨୬୫ ସକ୍ରିୟ ସଂକ୍ରମିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.