'ସରକାରୀ ଚାକିରୀ ପାଇଁ ବୟସସୀମା ୪୨କୁ ବୃଦ୍ଧି କରାଯାଉ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେଧାବୀ ଛାତ୍ରଛାତ୍ରୀ

Published By : Prameya-News7 Bureau | October 11, 2020 IST

ଭୁବନେଶ୍ୱର,୧୧|୧୦: ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ପରିବର୍ତ୍ତେ ୪୨ ବର୍ଷକୁ ବୃଦ୍ଧି କରାଯାଉ। ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚଶିକ୍ଷା ଶେଷ କରିବା ବେଳକୁ ବୟସ ୩୨ ଟପିଯାଉଛି । ବିଶେଷ କରି ଯେଉଁମାନେ ପିଏଚଡି ଓ ଏମଫିଲ୍‌ କିମ୍ବା ପୋଷ୍ଟ ଡକ୍ଟରେଟ୍‌ କରୁଛନ୍ତି, ସେମାନଙ୍କୁ ପରେ ଚାକିରି ପାଇବା ପାଇଁ ଅସୁବିଧା ଭୋଗ କରିବାକୁ ପଡୁଛି । ତେଣୁ ଦୀର୍ଘଦିନ ହେବ ଛାତ୍ରଛାତ୍ରୀମାନେ ବିଭିନ୍ନ ଫୋରମ୍‌ରେ ଏହି ଦାବି କରୁଛନ୍ତି। ତେବେ ସରକାର ଏ ଦିଗରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଉନଥିବାରୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁମନ୍ତ କୁମାର ଶତପଥୀ, ରୁଦ୍ର ମାଧବ ଚାନ୍ଦ, ସୁନିଲ୍‌ କୁମାର ମିଶ୍ର, ଈଶ୍ୱର ନାଏକ ଏବଂ ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ବହୁ ମେଧାବୀ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦାବି ଜଣାଇଛନ୍ତି ।

ଏହି ଅବସରରେ ଛାତ୍ରମାନେ କହିଛନ୍ତି ଯେ, ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୪୨ବର୍ଷ ରହିଛି । ଏପରିକି କିଛି ରାଜ୍ୟରେ ସର୍ବୋଚ୍ଚ ବୟସ ସୀମା ୪୨ବର୍ଷରୁ ମଧ୍ୟ ଅଧିକ ରହିଛି । ଆନ୍ଧ୍ରପ୍ରଦେଶରେ ୪୨ବର୍ଷ, ହରିୟାଣାରେ ୪୨ବର୍ଷ, ଉତ୍ତରାଖଣ୍ଡରେ ୪୨ବର୍ଷ, ତେଲେଙ୍ଗାନାରେ ୪୪ବର୍ଷ ଓ ଗୋଆରେ ୪୫ବର୍ଷ ରହିଛି । ଆମ ରାଜ୍ୟର ମେଧାବୀମାନେ ଅନ୍ୟ ରାଜ୍ୟର ପବ୍ଲିକ୍‌ ସର୍ଭିସ୍‌ କମିଶନ ଓ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ଆମ ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ମାତ୍ର ୩୨ବର୍ଷ ଥିବାରୁ ଅନେକ ମେଧାବୀ ଉପଯୁକ୍ତ ସୁଯୋଗରୁ ବଞ୍ଚିତ ହେଇଛନ୍ତି । ଉଚ୍ଚଶିକ୍ଷା ପରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ମାତ୍ର ଥରେ ବା ଦୁଇଥର ସୁଯୋଗ ମିଳୁଛି ।

ନିକଟରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ମାନଙ୍କର ନିଯୁକ୍ତିରେ ସରକାର ସର୍ବୋଚ୍ଚ ବୟସସୀମା ୩୩ ବର୍ଷରୁ ୪୮ବର୍ଷକୁ ବୃଦ୍ଧି କରିଛନ୍ତି । ଏପରିକି ଅବସରକାଳୀନ ବୟସସୀମା ମଧ୍ୟ ବୃଦ୍ଧି ହେଇଛି । ଏନେଇ ବହୁବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଧାନସଭାରେ ମଧ୍ୟ ବିଧାୟକମାନେ ସରକାରୀ ଚାକିରି ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ୩୨ବର୍ଷ ରୁ ୪୨ ବର୍ଷକୁ ବୃଦ୍ଧି କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ସରକାର ଏ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ନେବେ ବୋଲି ମେଧାବୀ ଛାତ୍ରଛାତ୍ରୀମାନେ ଆଶା ପ୍ରକଟ କରିଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.