ନରମିଲା ଗମ୍ଭୀରଙ୍କ ସ୍ୱର, ବିରାଟଙ୍କୁ କଲେ ପ୍ରଶଂସା, କହିଲେ- 'ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ କ୍ଲିନ୍ ସ୍ୱିପ୍ କରିବ'

Published By : Prameya-News7 Bureau | February 02, 2021 IST

ନୂଆଦିଲ୍ଲୀ, ୦୨/୦୨: ଫେବ୍ରୁଆରୀ ୫ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜ ଆରମ୍ଭ ହେବ ।  ଟେଷ୍ଟ ସିରିଜ୍‌ର ଫଳାଫଳ ଉପରେ ପୂର୍ବତନ ଖେଳାଳିମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେଣି ।  ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସିରିଜ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଇଂଲଣ୍ଡ ଗୋଟିଏ ମ୍ୟାଚ୍‌ ବି ଜିତିପାରିବନି ବୋଲି ଗମ୍ଭୀର କହିଛନ୍ତି ।

ଗମ୍ଭୀର କହିଛନ୍ତି ଯେ, ଇଂଲଣ୍ଡର ସ୍ପିନ ବିଭାଗ ଦୁର୍ବଳ ରହିଛି । ମୋଇନ୍‌ ଅଲି, ଜାକ୍‌ ଲିଚ୍‌ ଓ ଡମ୍‌ ବେସ୍‌ ସ୍ଥାନ ପାଇଛନ୍ତି । ଅଲି ୬୦ଟେଷ୍ଟରୁ ୧୮୧ଟି ୱିକେଟ୍‌ ନେଇଥିବାବେଳେ ଲିଚ୍‌ ଓ ବେସ୍‌ ପ୍ରତ୍ୟେକ ୧୨ଟି ଲେଖାଏଁ ମ୍ୟାଚ୍‌ ଖେଳି ଯଥାକ୍ରମେ ୪୪ ଓ ୩୧ଟି ୱିକେଟ୍‌ ନେଇଛନ୍ତି । ଏମାନଙ୍କ ପାଖରେ ଅଭିଜ୍ଞତା କମ୍‌ ରହିଛି । ତେଣୁ ଭାରତ କ୍ଲିନ୍‌ସୁଇପ କରିପାରେ । କେବଳ ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ (ଅହମ୍ମଦାବାଦ)ରେ ଉଭୟ ଦଳ ପାଖରେ ୫୦ ପ୍ରତିଶତ ବିଜୟୀ ହେବାର ସୁଯୋଗ ରହିଛି । ଜୋ ରୁଟ୍‌ ଶ୍ରୀଲଙ୍କା ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଭାରତ ବିପକ୍ଷରେ ସେ ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ରବିଚନ୍ଦ୍ରନ ଅଶ୍ୱିନ ଏବେ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ।

ଏତତ୍ ବ୍ୟତୀତ ସେ କହିଛନ୍ତି ଯେ, ବୁମ୍‌ରାହ, ଈଶାନ୍ତଙ୍କ ବିପକ୍ଷରେ ଖେଳିବା ଚ୍ୟାଲେଞ୍ଜ ସଦୃଶ ହେବ । ଟେଷ୍ଟ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଉପରେ ମତ ଦେଇ ଗମ୍ଭୀର କହିଛନ୍ତି, କୋହଲି ଦଳର ଅଧିନାୟକ । ସେ ଟେଷ୍ଟରେ ସଫଳ ହୋଇଛନ୍ତି । ତେଣୁ ତାଙ୍କୁ ହଟାଇବାର କୌଣସି ଆବଶ୍ୟକତା ନାହିଁ । ସେ କେବଳ ଟି-ଟ୍ୱେଣ୍ଟି ଫର୍ମାଟ ଅଧିନାୟକ ପରିବର୍ତ୍ତନ ପାଇଁ କହିଆସିଛନ୍ତି । କାରଣ ସେ ସେତେଟା ସଫଳ ହୋଇନାହାନ୍ତି ବୋଲି ଗମ୍ଭୀର ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.