ଫେସବୁକ୍‌ରେ ହେଲା ପ୍ରେମ, ବିବାହ କରିବାକୁ କଲେ ଅପହରଣ : ଗୋପର ଯୁବତୀ ଦିଘାରୁ ଉଦ୍ଧାର, ବନ୍ଧାହେଲା ଯୁବକ

Published By : Prameya-News7 Bureau | December 17, 2020 IST

କୋଣାର୍କ ୧୭।୧୨: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ନିକଟସ୍ଥ ନରସିଂହପୁର ଅଞ୍ଚଳର ଜଣେ ଯୁବତୀକୁ କେନ୍ଦ୍ରାପଡ଼ା ଅଞ୍ଚଳର ଯୁବ ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଫେସବୁକରୁ ଆରମ୍ଭ ହୋଇଥିବା ସମ୍ପର୍କ ନିବିଡ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ କିଛି ଦିନ ବାର୍ତ୍ତାଳାପ ହୋଇଥିଲା । ହଠାତ୍ ଯୁବକ ଜଣଙ୍କ ଯୁବତୀଙ୍କୁ ଦେଖାକରିବା ପାଇଁ ଗୋପ ଥାନା ନୟାହାଟ ନିକଟକୁ ଡାକିଥିଲେ । ଯୁବତୀଙ୍କ ସହ କଥା ହେବା ସହ ଘରକୁ ଲିଫ୍ଟ ଦେବାକୁ କହି ଏକ କାରରେ କୋଲକତା ଦିଘା ଅଞ୍ଚଳକୁ ଜୋର ଜବରଦସ୍ତ ନେଇ ଯାଇଥିଲେ ।

ଯୁବକ ଜଣଙ୍କ ବିବାହ କରିବାକୁ ବାଧ୍ୟ କରିବାରୁ ଯୁବତୀ ଜଣଙ୍କ ରାଜି ହୋଇନଥିଲେ । ପରେ ଯୁବତୀଙ୍କୁ ଅପହରଣକାରୀ ଯୁବକ ମାଡ ମାରିବା ସହିତ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ବନ୍ଦ କୋଠରୀରେ ରହିଥିବା ଯୁବତୀ ସୁଯୋଗ ପାଇଁ ସେହି ଅଞ୍ଚଳର ଜଣେ ମହିଳାଙ୍କ ଫୋନରୁ ଅପହରଣ ହୋଇଥିବା ନେଇ ଘରକୁ ଫୋନ୍ କରି କହିଥିଲେ । ପରେ ଯୁବତୀ ଜଣଙ୍କ ପରିବାର ତରଫରୁ ଗୋପ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ପୁରୀ ଏସପି କନୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଗୋପ ପୋଲିସ ଫୋନ୍ ଟ୍ରାକ୍ କରି ଦିଘା ସ୍ଥିତ ଏକ ଘର ଭିତରୁ  ଅପହୃତା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.