ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆଗକୁ ଆସିଲା ଗୁଗଲ୍‌, ଯୋଗାଇବ ୫ ଲକ୍ଷ ଡଲାର ଆର୍ଥିକ ସହାୟତା

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮/୦୩: ମାର୍ଚ୍ଚ ୮,କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ। ମହିଳା ଦିବସର ମୂଳ ଲକ୍ଷ୍ୟ ମହିଳା ସଶକ୍ତିକରଣକୁ ଗତି ଦେବାକୁ ବୁଝାଏ। ମହିଳାମାନଙ୍କ ପାଇଁ ଗୁଗଲ୍‌ ଆଗକୁ ଆସିଛି। ଭାରତରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସମର୍ଥନ ପାଇଁ ଗୁଗଲ ସହୟତା ଦେବାକୁ ଘୋଷଣା କରିଛି। ଭାରତ ସମେତ ବିଶ୍ବର ଉଦ୍ୟମୀ ମହିଳାମାନଙ୍କୁ ଗୁଗଲ ପକ୍ଷରୁ ୨୫ ମିଲୟନ ଡଲାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଗୁଗଲ ଏବଂ ଆଲ୍ଫାବେଟ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ୧୦ ଲକ୍ଷ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଗୁଗଲ ଇଣ୍ଟେରନେଟ୍‌ ସାଥି କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍‌ନେସ୍‌ ଟ୍ୟୁଟୁରିଆଲ, ଟୁଲ ଏବଂ ମେଣ୍ଟରସିପ୍‌ ମାଧ୍ୟମରେ ଉଦ୍ୟମୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଚାଇ।

ପିଚାଇ ‘ଗୁଗଲ ଫର ଇଣ୍ଡିଆ’ ଇଭେଣ୍ଟ ମାଧ୍ୟମରେ କହିଛନ୍ତି, ମହାମାରୀ ସମୟରେ ମହିଳାମାନଙ୍କ ଚାକିରୀ ଯିବାର ଆଶଙ୍କା ଦୁଇ ଗୁଣା ବୃଦ୍ଧି ପାଇଥିବା ବେଳେ ପାଖାପାଖି ୨୦ ମିଲିୟନ୍‌ ଝିଅ ଆଉ ସ୍କୁଲ ଫେରିପାରି ନାହାନ୍ତି। ଭବିଷ୍ୟତ ତିଆରି କରିବାର ସମୟ ଆସିଛି। ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ସହିତ କମ୍ପାନୀ  ଲକ୍ଷେ କୃଷି ଶ୍ରମିକଙ୍କୁ ସହାୟତା କରିବାକୁ ୫ ଲକ୍ଷ ଡଲାର ଅନୁଦାନ ଦେବାକୁ ଘୋଷଣା କରିଛି।

ଭର୍ଚୁଆଲ୍‌ ଇଭେଣ୍ଟରେ ଟାଟା ଟ୍ରଷ୍ଟ ସହ ମିଶି ଗୁଗଲ ଏହି ସ୍ବପ୍ନ ପୂରା କରିବାକୁ ଯୋଜନା କରିଛି। ଏହାସହ ୨୦୧୫ରେ ଆରମ୍ଭ ହୋଇଥିବା ଇଣ୍ଟରେନେଟ୍‌ ସାଥି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଡିଜିଟାଲ ସାକ୍ଷରତା ଏବଂ ସଶକ୍ତ କରିବାର ପ୍ରୟାସ ଜାରି ରହିଛି। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା କହିଛନ୍ତି, ଆଜିର କିମ୍ବା ଆସନ୍ତାକାଲିର ପ୍ରଯୁକ୍ତିବିଦ୍ୟା ମହିଳାଙ୍କ ଲାଭ ପାଇଁ ବ୍ୟବହାର କରିବା ମହାନ ପଦକ୍ଷେପ । ସମୟ ସହିତ ଇଣ୍ଟେରନେଟ୍‌ର ସଠିକ୍‌ ମୂଲ୍ୟ ମିଳିପାରିବା ଉପରେ ଗୁରୁତ୍ବ ଦିଆଯିବ। ଗତ ୬ ବର୍ଷ ମଧ୍ୟରେ ଇଣ୍ଟେରନେଟ୍‌ ସାଥି କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ମିଲିୟନରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସ୍ବାବଲମ୍ବୀ ହେବାକୁ ଉତ୍ସାହିତ କରାଯାଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.