ଖୁବ୍ ଶୀଘ୍ର ସେୟାରଚାଟ୍କୁ କିଣିପାରେ ଗୁଗଲ୍, ଜାଣନ୍ତୁ କେତେ ଟଙ୍କାରେ ହେଉଛି ଡିଲ୍ ! କାହାକୁ କେତେ ମିଳିବ ଫାଇଦା
24/11/2020 at 4:12 PM

ନୂଆଦିଲ୍ଲୀ ୨୪।୧୧: ଗୁଗଲ ବହୁତ ଶୀଘ୍ର ଭାରତୀୟ ଷ୍ଟାର୍ଟଅପ୍ ଆପ୍ ସେୟାରଚାଟ୍କୁ କିଣିପାରେ। ଏଥିପାଇଁ ଗୁଗଲ ଓ ସେୟାରଚାଟ୍ ମଧ୍ୟରେ ଆଲୋଚନା ଜାରି ରହିଛି। କୁହାଯାଉଛି, ସେୟାରଚାଟ୍ ଓ ଗୁଗଲ ମଧ୍ୟରେ ପ୍ରାୟ ୧.୦୩ ଅରବ ଡଲାରର ଚୁକ୍ତି ହୋଇପାରେ। ସେୟାରଚାଟ୍କୁ କିଣିବା ଲାଗି ଗୁଗଲ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ହୋଇପାରେ ଆଗାମୀ କିଛି ଦିନରେ ଏହାକୁ ନେଇ ଗୁଗଲ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇପାରେ।
ସୂଚନା ଅନୁଯାୟୀ ସେୟାରଚାଟ୍ର ପ୍ରତିଷ୍ଠାତା ଏହି ଚୁକ୍ତି ଆଧାରରେ ନିଜର ଏକ ଛୋଟ ଅଂଶ ନିଜ ପାଖରେ ସୁରକ୍ଷିତ ରଖି ପାରନ୍ତି ଏବଂ ବାକି ସମସ୍ତ ଅଂଶକୁ ଗୁଗଲକୁ ଦେଇ ଦେବେ। ସେପ୍ଟେମ୍ବରରେ ସେୟାରଚାଟ୍ରେ କିଛି ନିବେଶକ ୪ କୋଟି ଡଲାରର ଅର୍ଥ ବିନିଯୋଗ କରିଥିଲେ। ଏ ପର୍ଯ୍ୟନ୍ତ ସେୟାରଚାଟ୍ ମୋଟ୍ ୨୬.୦୪ କୋଟି ଡଲାରର ଫଣ୍ଡ ନିବେଶକଙ୍କଠୁ ସଂଗ୍ରହ କରିଛି। ସଂସ୍ଥାର ଅଧିକାରୀଙ୍କ ଅନୁଯାୟୀ ସେୟାରଚାଟର ମୂଲ୍ୟ ପ୍ରାୟ ୬୫ କୋଟି ଡଲାରର ଆକଳନ କରାଯାଇଥିଲା। ଯଦି ଗୁଗଲ୍ ସହ ସେୟାରଚାଟ୍ର ଚୁକ୍ତି ଚୂଡାନ୍ତ ହୁଏ ତେବେ ବର୍ତ୍ତମାନର ନିବେଶକ ସେୟାରଚାଟରୁ ବାହାରି ଯିବେ।
ସେୟାରଚାଟ୍ ଉପରେ ପୂର୍ବରୁ ନଜର ରଖିଛି ଗୁଗଲ୍

ଏହା ମଧ୍ୟ ଖବର ରହିଛି ଯେ, ଗୁଗଲ ସେୟାରଚାଟ୍କୁ ନେଇ ବହୁ ପୂର୍ବରୁ ରୁଚି ଦେଖାଇ ଆସିଛି। ସେପ୍ଟେମ୍ବରେ ସେ ସେୟାରଚାଟ୍କୁ ପ୍ରିମିୟମ ଦେବାକୁ ଚାହୁଁଥିଲା। ହେଲେ ସେହି ସମୟରେ କୌଣସି କାରଣରୁ ଉଭୟ ସଂସ୍ଥା ମଧ୍ୟ ଚୁକ୍ତି ହୋଇପାରିନଥିଲା। ଏବେ ପୁଣି ଥରେ ଗୁଗଲ ଓ ସେୟାରଚାଟ୍ ମଧ୍ୟରେ ଡିଲ୍ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି। ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଏହି ଚୁକ୍ତିକୁ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଏହି ଚୁକ୍ତିକୁ ନେଇ ଗୁଗଲ ଓ ସେୟାରଚାଟ୍ ମଧ୍ୟରୁ କେହି ପ୍ରତିକ୍ରିୟା ରଖି ନାହାନ୍ତି।
ଗୁଗଲକୁ କଣ ମିଳିବ ଫାଇଦା
ଗୁଗଲ ଓ ସେୟାରଚାଟ୍ ଡିଲ୍ ଖବର ଶୁଣିବା ପରେ ଲୋକ ଭାବୁଥିବେ ଯେ, ଏହି ଡିଲ୍ରେ ଗୁଗଲକୁ କଣ ଫାଇଦା ମିଳିବ। ଯଦି ଏହି ଚୁକ୍ତି ଚୂଡାନ୍ତ ହୁଏ ତେବେ ସେୟାରଚାଟ୍ ବଳରେ ଗୁଗଲକୁ ସାମାଜିକ ଗଣମାଧ୍ୟମରେ ବହୁତ ବଡ କ୍ଷେତ୍ର ମିଳିଯିବ। ସେୟାରଚାଟ୍ ୧୫ଟି ଭାଷାରେ ଉପଲବ୍ଧ। ଏଥିରେ ଭିଡିଓ ଫର୍ମାଟ୍ ମଧ୍ୟ ରହିଛି ଏବଂ ୧୬ କୋଟି ସକ୍ରିୟ ୟୁଜର୍ସ ମଧ୍ୟ ରହିଛନ୍ତି। ଟିକ୍ଟକ୍ ପରି ଚୀନ୍ ଆପ୍ ବ୍ୟାନ ହେବାରୁ ଏହାର ସିଧାସଳଖ ଫାଇଦା ସେୟାରଚାଟ୍କୁ ମିଳିଥିଲା, ଏଥିରେ ସେୟାରଚାଟ୍ର ୟୁଜର୍ସ ଅହେତୁକ ଭାବେ ବୃଦ୍ଧି ଘଟିଥିଲା।