ବରଗଡରେ ବେଧଡକ ଚାଲିଛି ନିଶା କାରବାର ; ନିଶା ଔଷଧ କବଳରେ କୋମଳମତି ଯୁବସମାଜ

Published By : Prameya-News7 Bureau | November 17, 2018 IST

ବରଗଡ ୧୭|୧୧: ବରଗଡ ଜିଲ୍ଲା ପଦ୍ମପୁରରେ ଚାଲିଛି ବେଧଡକ ନିଶା କାରବାର । ନିଶା ଫାଶରେ ପଡି ଅକାଳରେ ଯାଉଛି କୋମଳମତି ଯୁବକଙ୍କ ଜୀବନ । ସହଜରେ ଉପଲବ୍ଧ କଫ୍ ସିରପ୍, ଚିକିତ୍ସାପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଆଦିକୁ ନିଶାଭାବେ ଗ୍ରହଣ କରି ପଥଭ୍ରଷ୍ଟ ହେଉଛନ୍ତି ଆଜିର ଯୁବସମାଜ । ନିଶା ଔଷଧ କବଳରେ ବରଗଡ ଜିଲ୍ଲାର କୋମଳମତି ଯୁବସମାଜ।। ପଦ୍ମପୁର ଅଞ୍ଚଳକୁ ଲାଗି ରହିଥିବା ଛତିଶଗଡର ସୀମା ମୁକୁଳା ରହିଥିବାରୁ ଡ୍ରଗ୍ସ ମାଫିଆଙ୍କ ପାଇଁ ଏହି ଅଞ୍ଚଳ ପାଲଟିଛି ଭୂସ୍ବର୍ଗ। ପ୍ରତିଦିନ ଚୋରାରେ ଚାଲାଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ କଫ୍ ସିରପ୍, ନିଶା ବଟିକା, ଇଞ୍ଜେକ୍ସନ। ସହରଠୁ ଗାଁ ପର୍ଯ୍ୟନ୍ତ ଏହା ସହଜରେ ଉପଲବ୍ଧ ହେଉଥିବାରୁ କଲେଜ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ଯିଏ ଥରେ ଏହାର ଫାଶରେ ପଡୁଛି ସିଏ ଏଥିରୁ ମୁକୁଳି ପାରୁନି । ପଦ୍ମପୁରରେ ନିଶା ଔଷଧ ସେବନ କରି ଦଶରୁ ଉର୍ଦ୍ଧ୍ବ ଯୁବକଙ୍କ ଜୀବନ ଗଲାଣି। ଅନେକଙ୍କ ପରିବାର ଉଜୁଡିଲାଣି । କିଏ ନିଜ ଏକମାତ୍ର ପୁଅକୁ ହରାଇ ଆଜି ପର୍ଯ୍ୟନ୍ତ ଝୁରି ହେଉଛି ତ ଆଉ କିଏ ନିଜ ସାହା ଭରସାକୁ ହରାଇ ରାତିରେ ଶୋଇପାରୁନି। କିଛି ଯୁବକଙ୍କୁ ତାଙ୍କର ଅଭିଭାବକମାନେ କଟକ, ଭୁବନେଶ୍ବର ସ୍ଥିତ ନିଶା ନିବାରଣ କେନ୍ଦ୍ରରେ  ଚିକିତ୍ସିତ କରାଉଛନ୍ତି। ଆଉ କିଛି ନିଶା ନିବାରଣ କେନ୍ଦ୍ରରୁ ଫେରି ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ନିଶା କାରବାରରେ ଜଡିତ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.