ସଂସଦୀୟ ସମିତି ସାମ୍ନାରେ ହାଜର ହେଲେ ଗୁଗଲ ଓ ଫେସବୁକର ଅଧିକାରୀ, ମିଳିଲା ଏହି କଡା ନିର୍ଦ୍ଦେଶ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯।୦୬: ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ହେଉଥିବା ପ୍ରସଙ୍ଗରେ ଫେସବୁକ ଓ ଗୁଗଲର ଅଧିକାରୀ ମଙ୍ଗଳବାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ସଂସଦର ସ୍ଥାୟୀ ସମିତି ସାମ୍ନାରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଫେସବୁକ ଓ ଗୁଗଲର ଅଧିକାରୀଙ୍କୁ ଉପସ୍ଥିତ ହେବାକୁ କମିଟି ସମନ ଜାରି କରିଥିଲା। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହି କମିଟିର ଅଧ୍ୟକ୍ଷ। ଏହି ବୈଠକରେ କମିଟି ନୂତନ ଆଇଟି ନିୟମ ଓ ଦେଶର ଆଇନ ପାଳନ କରିବାକୁ ଫେସବୁକ ଓ ଗୁଗଲକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଫେସବୁକର ଭାରତରେ ଅବସ୍ଥାପିତ ଲୋକ ନୀତି ନିର୍ଦ୍ଦେଶକ ଶିବନାଥ ଠୁକରାଲ ଓ ଜେନେରାଲ କାଉନସିଲ ନମ୍ରତା  ସିଂହ କମିଟି ସମ୍ମୁଖରେ ନିଜର ପକ୍ଷ ରଖିଛନ୍ତି। ସଂସଦୀୟ କମିଟିର ବୈଠକର ଏଜେଣ୍ଡା ନାଗରିକଙ୍କ ଅଧିକାରର ରକ୍ଷା କରିବା ଓ ସାମାଜିକ ଗଣମାଧ୍ୟମ-ଅନଲାଇନ ସମାଚାର ମିଡିଆ ମଞ୍ଚର ଦୁରୁପଯୋଗ ରୋକିବାର ଥିଲା।

ଏହା ପୂର୍ବରୁ ଫେସବୁକର ପ୍ରତିନିଧି ସଂସଦୀୟ କମିଟିକୁ ଜଣାଇଥିଲେ ଯେ, କୋଭିଡ୍ ସମ୍ବନ୍ଧିତ ପ୍ରୋଟୋକଲ୍ କାରଣରୁ ତାଙ୍କ କମ୍ପାନୀ ଅଧିକାରୀଙ୍କୁ ଭୌତିକ ଭାବେ ଉପସ୍ଥିତ ହେବାକୁ ଅନୁମତି ଦେଉ ନାହିଁ। ତେଣୁ ଭର୍ଚୁଆଲ ବୈଠକ କରାଯାଉ। ହେଲେ କମିଟିର ଅଧ୍ୟକ୍ଷ ଶଶି ଥରୁର ଫେସବୁକର ଅଧିକାରୀଙ୍କୁ ବୈଠକରେ ପହଞ୍ଚିବାକୁ ପଡିବ, କାରଣ ସଂସଦୀୟ ସଚିବାଳୟ ଡିଜିଟାଲ ବୈଠକର ଅନୁମତି ଦିଏ ନାହିଁ ବୋଲି କହିଥିଲେ। ଏହା ପରେ ଫେସବୁକ ଓ ଗୁଗଲ ସଂସଦୀୟ କମିଟି ସମ୍ମୁଖରେ ହାଜର  ହେବାକୁ ବାଧ୍ୟ ହୋଇଥିଲେ।

ଏବେ ୟୁଟ୍ୟୁବ୍ ଓ ଅନ୍ୟ ସୋସିଆଲ ମିଡିଆର ପାଳି

ସୁଚନା ପ୍ରଯୁକ୍ତିବିଦ୍ୟା ସମ୍ଵନ୍ଧିତ ଏହି ସଂସଦୀୟ କମିଟି ଆଗାମୀ ସପ୍ତାହରେ ୟୁଟ୍ୟୁବ୍ ଓ ଅନ୍ୟ ସାମାଜିକ ଗଣାମାଧ୍ୟମର ପ୍ରତିନିଧିକୁ ସମନ କରିବ। ଫେସବୁକ ଓ ଗୁଗଲ ପ୍ରତିନିଧିଙ୍କ ସହ ବୈଠକ ପୂର୍ବରୁ ଟ୍ଵିଟରର ଅଧିକାରୀ କମିଟି ସମ୍ମୁଖରେ ନିଜର କଥା ରଖି ସାରିଛି। ଗତ ବୈଠକରେ କମିଟିର ଅନେକ ସଦସ୍ୟ ଟ୍ଵିଟରକୁ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ, ତାର ନୀତି ନୁହେଁ  ବରଂ ଦେଶର ଆଇନ ସର୍ବୋଚ୍ଚ ଏବଂ ଟ୍ଵିଟରକୁ ଏହା ମାନିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.