କରୋନା କେଳେଙ୍କାରୀକୁ ବ୍ରେକ୍‌, ତଥ୍ୟ ଆଳରେ ଗଡ଼ବଡ଼ କରିବା ଆଶଙ୍କାରେ ପ୍ରତିଦିନ୧୮ ନିୟୁତ ଇ-ମେଲ୍‌ ରୋକୁଛି ଗୁଗୁଲ୍‌

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୦୪: ଆମେରିକୀୟ କମ୍ପାନି ଗୁଗୁଲ୍‌ କହିଛି ଯେ ଏବେ ଅନେକ ଅସାମାଜିକ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣରେ ସୂଚନା ଦେବା ବାହାନାରେ ବିଭିନ୍ନ ଲୋକଙ୍କ ପାଖକୁ ଇମେଲ୍‌ ପଠାଉଛନ୍ତି । କିନ୍ତୁ ସେଗୁଡ଼ିକରେ ସ୍ପାୟୱେର ସଂଯୁକ୍ତ ହୋଇ ରହୁଛି । ତେଣୁ କେହି ଉକ୍ତ ଇମେଲ୍‌କୁ ଓପନ୍‌ କରିବା ମାତ୍ରେ ସେଇ ସ୍ପାୟୱେର ତା’ର ଫୋନ କିମ୍ବା କମ୍ପ୍ୟୁଟରରେ ଡାଉନ୍‌ଲୋଡ ହୋଇଯାଉଛି । ଏପରି କରି ହ୍ୟାକରମାନେ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସହ ସେମାନଙ୍କ ଆକାଉଣ୍ଟରୁ ଅର୍ଥ ବି ଲୁଟ୍‌ କରୁଛନ୍ତି । ଗତ ସପ୍ତାହରେ ଗୁଗୁଲ୍‌ କଂପାନି ଦୈନିକ ୧୦୦ ନିୟୁତ ଫିସିଙ୍ଗ ଇମେଲ୍‌କୁ ରୋକିଥିଲା ।

ସେଥିରୁ ୧୮ ନିୟୁତ ଇମେଲ୍‌ରେ କରୋନା ଭାଇରସ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଥିଲା । ସେହିପରି କଂପାନି ଦ୍ୱାରା ଦୈନିକ ୨୪୦ ନିୟୁତ ସ୍ପାମ୍‌ ମେସେଜକୁ ବି ରୋକାଯାଉଥିବାର ସୂଚନା ଦିଆଯାଇଛି । କଂପାନି କହିଛି କି ସ୍ୱାସ୍ଥ୍ୟ ସେବା ସହିତ ଜଡିତ ବିଭିନ୍ନ ଦେଶର ସଂଗଠନ କିମ୍‌ବା ଆନ୍ତର୍ଜାତିକ ସଂସ୍ଥାର ନାମରେ ଏଭଳି ଇମେଲ ପ୍ରେରଣ କରାଯାଉଛି । କିନ୍ତୁ ତା’ ଦ୍ୱାରା ପ୍ରସ୍ତୁତ ଆଲଗୋରିଦମ୍‌ ଏଭଳି ୯୯.୯୯% ଇମେଲକୁ ରୋକିବାରେ ସଫଳ ହେଉଛି । ତେବେ ସାଧାରଣ ଲୋକ ଏଭଳି ଫିସିଙ୍ଗ୍‌ ଇମେଲ ପ୍ରତି ଅଧିକ ସତର୍କତା ଅବଲମ୍‌ବନ କରିବାକୁ ସିଏ ନିବେଦନ କରିଛି । ସେମାନେ ଆଖିବୁଜା କୌଣସି ଇ-ମେଲ ଓପନ ନକରିବାକୁ ଏବଂ ଇମେଲ ଯେଉ ଡୋମେନ ନେମରୁ ଆସିଛି ତାହା ସୁରକ୍ଷିତ କି ନାହିଁ ସେଥିପ୍ରତି ଦୃଷ୍ଟିଦେବାକୁ କଂପାନି ମତ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.