କପିରାଇଟ୍ ଫ୍ରେମୱାର୍କ ଉପରେ ସହମତି, ଫରାସୀ ସମ୍ବାଦପତ୍ର ପ୍ରକାଶକଙ୍କୁ କଣ୍ଟେଣ୍ଟ ଲାଗି ପୈଠ କରିବେ Google
21/01/2021 at 11:06 PM

ପ୍ୟାରିସ୍ : ଗୁଗଲ ଓ ଫ୍ରାନ୍ସ ସମ୍ବାଦପତ୍ର ପ୍ରକାଶକଙ୍କ ସମୂହ(ଏପିଆଇଜି) ମଧ୍ୟରେ କପିରାଇଟ୍ ଫ୍ରେମୱାର୍କକୁ ନେଇ ସହମତି ହୋଇଛି। ରାଜିନାମା ଅନୁସାରେ ଆମେରିକାର ଦିଗ୍ଗଜ ଟେକ୍ ଫାର୍ମ ଗୁଗଲ ଅନଲାଇନ କଣ୍ଟେଣ୍ଟ ଲାଗି ଏବେ ଫରାସୀ ସମ୍ବାଦପତ୍ର ପ୍ରକାଶକଙ୍କୁ ପୈଠ କରିବେ। ସମଗ୍ର ଇୟୁରୋପରେ ଏହା ଏହିପରି ପ୍ରଥମ ବୁଝାମଣା।
ଗୁଗଲଙ୍କ ସହ ଏହି ରାଜିନାମା ପରେ ଫ୍ରାନସରେ ଛପା ସମ୍ବାଦପତ୍ରର ସର୍କୁଲେସନ ହ୍ରାସ ଯୋଗୁ ରାଜସ୍ୱ କ୍ଷତିର ସମ୍ମୁଖୀନ ହେଉଥିବା ଫରାସୀ ପ୍ରକାଶକଙ୍କୁ ଆଶ୍ୱସ୍ତି ମିଳିଛି। ଏହି ରାଜିନାମା ପରେ ଫେସବୁକ୍ ଓ ସେହିପରି ଅନ୍ୟ ଅନଲାଇନ ସୋସିଆଲ ସାଇଟ୍ ମଧ୍ୟ ଏ ବିଷୟରେ ଏବେ ଚିନ୍ତା କରିବେ ବୋଲି ଜନୈକ ଫରାସୀ ସାମ୍ବାଦିକ କହିଛନ୍ତି।
ୟୁରୋପୀୟ ସଂଘ ନୂଆ କପିରାଇଟ୍ ଲାଗୁ କରିବା ପରେ ଗୁଗଲ ଓ ଫରାସୀ ସମ୍ବାଦପତ୍ର ପ୍ରକାଶକଙ୍କ ମଧ୍ୟରେ ଦୀର୍ଘ ସମୟରୁ ଆଲୋଚନା ଜାରି ରହିଥିଲା। ଏହି କପିରାଇଟ୍ ନିୟମ ଅନୁସାରେ ଅନଲାଇନ ପ୍ଲାଟଫର୍ମରେ ପ୍ରକାଶକ ତାଙ୍କର କୌଣସି ଖବର ଦେଖାଇଲେ ଏ ବାବଦରେ ଶୁଳ୍କ ପାଇବାକୁ ହକଦାର ହେବେ। ତେବେ ବିଶ୍ୱର ସର୍ବବୃହତ୍ତ ସର୍ଚ୍ଚ ଇଞ୍ଜିନ ଗୁଗଲ ଏହାକୁ ପ୍ରଥମରୁ ଟାଳି ଆସୁଥିଲେ।
ଗୁଗଲ ସର୍ଚ୍ଚ ଇଞ୍ଜିନ ହୋଇଥିବାରୁ ଏଥିରେ ଅପଲୋଡ ହେଉଥିବା କଣ୍ଟେଣ୍ଟ ଲାଗି ମିଡିଆ ହାଉସ୍ଙ୍କ ସାଇଟ୍କୁ ଟ୍ରାଫିକ ମିଳୁଥିବାର ଗୁଗଲ ତର୍କ କରୁଥିଲେ। ତେବେ ରାଜିନାମା ଅନୁସାରେ ଦୈନିକ ପ୍ରକାଶିତ କପି, ମାସିକ ଇଣ୍ଟରନେଟ୍ ଟ୍ରାଫିକ ଓ ଏଥିରେ ରାଜନୈତିକ ଏବଂ ଅନ୍ୟ ସୂଚନା ଆଧାରରେ ଶୁଳ୍କ ଧାର୍ଯ୍ୟ ହେବବୋଲି ଏପିଆଇଜି କହିଛନ୍ତି।
ଏହି ଫ୍ରେମୱାର୍କ ଆଧାରରେ ଗୁଗଲ କେତେକ ସମ୍ବାଦପତ୍ର ପ୍ରକାଶକଙ୍କ ସହ ରାଜିନାମା ମଧ୍ୟ କରିସାରିଲେଣି। ତେବେ ଏଥିଲାଗି ଗୁଗଲ କେତେ ପୈଠ କରିବେ ତାହା ଏବେ ଧାର୍ଯ୍ୟ କରିନାହାନ୍ତି। ପ୍ରକାଶକଙ୍କୁ ପୈଠ କରିବା ଲାଗି ଗୁଗଲ ନୂଆକରି ନ୍ୟୁଜ୍ ସୋ କେସ୍ ନାମରେ ଏକ ସ୍ୱତନ୍ତ୍ର ପଦକ୍ଷେପନେବାକୁ ଯାଉଛନ୍ତି।