ବିନା ଇଂଜିନରେ ୬କି:ମି ଓଲଟା ଚାଲିଲା ଟ୍ରେନ; ଚିନ୍ତାରେ ପଡିଗଲେ ରେଳ କର୍ମଚାରୀ

Published By : Prameya-News7 Bureau | December 05, 2018 IST

ସିରୋହି ୫/୧୨ : ରାଜସ୍ଥାନର ସିରୋହି ଜିଲ୍ଲାରେ କିବରଲି ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା | ଷ୍ଟେସନରେ ଛିଡା ହୋଇଥିଲା ଏକ ଡବଲ ଡେ଼କର ମାଲ ବୋଝେଇ ଟ୍ରେନ | ତେବେ ଅଚାନକ ଟ୍ରେନଟି ଓଲଟା ଚାଲିବ ଆରମ୍ଭ କରିଥିଲା | ଏହା ଶୁଣି ରେଳବାଇ କର୍ମଚାରୀଙ୍କ ମୁଣ୍ଡ ଖରାପ ହୋଇଗଲା | ମୋରଥଲା ଷ୍ଟେସନ ପାଖରେ ରେଳବାଇ ପ୍ରଶାସନ ରେଳ ଡବାର ଗତି ଡେଡ଼ ଲାଇନ ଆଡକୁ କରିଦେବା ଫଳରେ ରେଳ ଡବା ଗୁଡିକ ରେଳ ଧାରଣାରୁ ତଳକୁ ଖସି ଯାଇଥିଲା | ତେବେ କିବରଲି ଷ୍ଟେସନ ପାଖରେ ଅଧିକାଂଶ ଜାଗା ଢଳାଣିଆ ହୋଇଥିବାରୁ ଟ୍ରେନ ଗାଡି ଯାଇଥିବା ଆଶଙ୍କା କରାଯାଉଛି | ବିନା ଇଂଜିନରେ ପ୍ରାୟ ୬ କି:ମି: ଟ୍ରେନଟି ଓଲଟା ଦୌଡ଼ିଥିଲା | ସୂଚନା ପାଇ ରେଳବାଇ କର୍ମଚାରୀ ରେଳ ଡବାର ଗତିପଥ ବଦଳାଇ ଦେଇଥିଲେ | ଯାହାଫଳରେ ଟ୍ରେନର ୧୦ଟି ଡବା ରେଳ ଧାରଣାରୁ ତଳକୁ ଖସି ଯାଇଥିଲା | ଟ୍ରେନ ଡବା ପଡିଯିବାରୁ ଟ୍ରେନ ଟ୍ରାକରେ ବହୁତ କ୍ଷତି ହୋଇଥିଲା | ଟ୍ରେନ ଟ୍ରାକ ଠିକ କରିବା ପାଇଁ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ବନ୍ଦ କରାଯାଇଥିଲା | ସୂଚନାଯୋଗ୍ୟ ଯେ, ମାଲ ବୋଝେଇ ଟ୍ରେନ ଯେଉଁ ଟ୍ରାକରେ ଗାଡି ଯାଇଥିଲା ସେହି ଟ୍ରାକରେ ହିଁ କିଛି ସମୟ ପରେ ଯୋଧପୁର- ବାନ୍ଦ୍ରା ଟର୍ମିନସ ଟ୍ରେନ ଆସିବାର ଥିଲା | ତେବେ ଠିକ ସମୟରେ ଘଟଣା ସମ୍ପର୍କରେ ଜଣାପଡ଼ିବାରୁ ଏକ ବଡ ଦୁର୍ଘଟଣା ହେଉ ହେଉ ବଂଚିଗଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.