ସରକାର ଏହି ମାସରେ ଦେବେ ମାଗଣା ଏଲପିଜି ରୋଷେଇ ଗ୍ୟାସ୍ କନେକ୍ସନ, ଆପଣ ବି ଉଠାନ୍ତୁ ଏହାର ଲାଭ

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯।୦୬: ଯଦି ଆପଣ ମାଗଣାରେ ରୋଷେଇ ସଂଯୋଗ ନେବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସିର ଖବର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳ ଯୋଜନା ଆଧାରରେ ମାଗଣାରେ ରୋଷେଇ ଗ୍ୟାସ୍ କନେକ୍ସନ ଦେଉଛନ୍ତି। ବିଜନେସ୍ ଷ୍ଟାଣ୍ଡାର୍ଡର ଖବର ଅନୁଯାୟୀ, ଚଳିତ ମାସ ଜୁନରେ ପିଏମୟୁଓ୍ଵାଇର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇପାରେ। ଏହାର ରୂପ ରେଖ ପୂର୍ବ ଯୋଜନା ପରି ରହିବ। ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ପରବର୍ତ୍ତୀ ରୂପରେଖକୁ ଅନ୍ତିମ ରୂପ ଦେଇଛନ୍ତି ଏବଂ ଏହା ଆସନ୍ତା ମାସରେ ଆରମ୍ଭ ହେବାର ଆଶା ରହିଛି।

ସୂଚନାଯୋଗ୍ୟ, ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମାଗଣା ରୋଷେଇ ଗ୍ୟାସ୍ ଏଲପିଜି ଯୋଜନା(ଉଜ୍ଜ୍ଵଳା)ର ବିସ୍ତାର କରାଯିବ ବୋଲି ଘୋଷଣା କରିଥିଲେ। ଅର୍ଥ ମନ୍ତ୍ରୀ ଏହା ମଧ୍ୟ କହିଥିଲେ, ଆହୁରି ଏକ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ।

କିଏ ଉଠାଇ ପାରିବେ ଫାଇଦା

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କ ପାଇଁ ଘରୋଇ ରୋଷେଇ ଗ୍ୟାସ୍ ଅର୍ଥାତ ଏଲପିଜି ସଂଯୋଗ ମାଗଣାରେ ଦେଇଥାନ୍ତି। ପରିବାରର ମହିଳାଙ୍କ ନାମରେ ଏହି କନେକ୍ସନ ଜାରି କରାଯାଏ। ବିଶେଷ କରି ଗ୍ରାମାଞ୍ଚଳ ଭାରତର ମହିଳାଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି।

ଏମିତି କରନ୍ତୁ ଅନଲାଇନ୍ ଆବେଦନ

୧ - ଯଦି ଆପଣ ଆବେଦନ କରିବାକୁ ଚାହାନ୍ତି ତେବେ ଏଥିପାଇଁ ସର୍ବ ପ୍ରଥମେ Pradhan Mantri Ujjwala Yojanaର ଓ୍ଵେବସାଇଟ୍ pmujjwalayojana.comକୁ ଓପନ କରନ୍ତୁ।

୨ - ଓ୍ଵେବସାଇଟ୍‌ ଖୋଲିବା ମାତ୍ରେ ହୋମ ପେଜ୍ ନଜର ଆସିବ। ଆପଣ ଡାଉନଲୋଡ୍ ଫର୍ମକୁ ଯାଇ କ୍ଲିକ୍ କରନ୍ତୁ।

୩ - ଡାଉନଲୋଡ୍ ଫର୍ମରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଫର୍ମ ନଜର ଆସିବ।

୪ - ଏହାକୁ ଆପଣଙ୍କୁ ଭରିବାକୁ ପଡିବ। ଏଥିରେ ନିଜର ନାମ, ଇମେଲ୍ ଆଇଡି, ଫୋନ୍ ନମ୍ବର, ଗୋଟିଏ କେପ୍‌ଚା ଭରିବାକୁ ପଡିବ। ଏହା ପରେ ଆପଣଙ୍କୁ ଓଟିଟି ଜେନେରେଟ୍ କରିବା ପାଇଁ ଥିବା ବଟନକୁ କ୍ଲିକ୍ କରିବାକୁ ପଡିବ।

୫ - ଏହା ପରେ ଆପଣ ଏହି ଫର୍ମକୁ ଡାଉନ୍‌ଲୋଡ୍ କରି ନିଅନ୍ତୁ।

୬ - ଏଥିସହ ଆପଣଙ୍କୁ କିଛି କାଗଜପତ୍ର ଦେବାକୁ ପଡିବ, ଯେମିତି କି ଆଧାରକାର୍ଡ, ସ୍ଥାନୀୟ ଠିକଣାର ପ୍ରମାଣପତ୍ର ଏବଂ ଗୋଟିଏ ଫଟୋ।

୭ - କାଗଜପତ୍ର ଯାଞ୍ଚ ପରେ ଆପଣଙ୍କ ଏଲପିଜି ଗ୍ୟାସ୍ କନେକ୍ସନ ଉପଲବ୍ଧ କରାଇବା ପାଇଁ ବାକି ପ୍ରକ୍ରିୟା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.